ମୁମ୍ବାଇ: ବଲିଉଡ଼୍ର ମୁନ୍ନାଭାଇ ଓରଫ୍ ସଂଜୟ ଦତ୍ତଙ୍କର ଜେଲରୁ ମୁକୁଳିବା ପରେ କେବଳ ଗୋଟିଏ ସିନେମା ରିଲିଜ୍ ହୋଇଥିଲା। ଏହା ହେଲା ‘ଭୂମି’।ଏଥିରେ ସଂଜୟ ଦତ୍ତଙ୍କୁ ଅଦିତି ରାଓ ହାଇଦରୀଙ୍କ ପିତା ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। ଏହା କିନ୍ତୁ ବକ୍ସ ଅଫିସ୍ରେ ଫ୍ଲପ୍ ହୋଇଥିଲା।
ଏବେ ସଂଜୟ ଦତ୍ତ ‘ଶିକାଗୋ ଜଂକସନ୍’ ଟାଇଟଲରେ ନିର୍ମାଣଧୀନ ଏକ ସିନେମାରେ କାମ କରିବେ ବୋଲି ଜଣାଯାଇଛି। ଏହି ଫିଲ୍ମରେ ପ୍ରଥମେ ଅରସାଦ୍ ଓ୍ଵାରସୀଙ୍କୁ ନିଆଯିବାର ଯୋଜନା କରାଯାଇଥିଲା। କିନ୍ତୁ ଅରସାଦ୍ଙ୍କ ପରିବର୍ତ୍ତେର୍ ଏଥିରେ ଏବେ ସଂଜୟଙ୍କୁ ନିଆ ଯାଇଥିବା ଜଣାଯାଇଛି। କବୀର କୌଶିକ୍ ଏହି ସିନେମାର ନିର୍ଦ୍ଦେଶକ ।ଏହି ଫିଲ୍ମରେ ବଲିଉଡ଼୍ର ବିଗ୍ ବି ଅମିତାଭ ବଚ୍ଚନଙ୍କୁ ମଧ୍ୟ କାଷ୍ଟ୍ କରାଯାଇଥିବା ଜଣାଯାଇଛି। ଏହା ଏକ ଥ୍ରିଲର ଫିଲ୍ମ।
ପ୍ରାୟ ଚାରି ବର୍ଷ ତଳେ ନିର୍ଦ୍ଦେଶକ କବୀର କୌଶିକ୍ ଅରସାଦ୍ ଓ୍ଵାରସୀ,ନଶିରୁଦ୍ଦିନ୍ ଶାହା ଓ ପଙ୍କଜ କପୁରଙ୍କୁ ନେଇ ଏହି ଫିଲ୍ମର ନିର୍ମାଣ କରୁଥିଲେ ,କିନ୍ତୁ କୌଣସି କାରଣରୁ ସେତେବେଳ ତାହା ନିର୍ମିତ ହୋଇ ପାରି ନଥିଲା।

ସେ ଯାହା ହେଉନା କାହିଁକି , ସଂଜୟ ଦତ୍ତ ପ୍ରାୟ ଛଅ ବର୍ଷ ପରେ ପୁଣିଥରେ ଅମିତାଭ ବଚ୍ଚନଙ୍କ ସହିତ ସ୍କ୍ରିନ୍ ସେଆର୍ କରୁଛନ୍ତି।୨୦୧୨ରେ ରିଲିଜ୍ ହୋଇଥିବା ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ଡ଼ିପାର୍ଟମେଣ୍ଟ୍’ରେ ଶେଷ ଥର ପାଇଁ ଅମିତାଭ ଓ ସଂଜୁବାବା ଏକାଠି ନଜର ଆସିଥିଲେ। ଅବଶ୍ୟ ତା’ ପୂର୍ବରୁ ଏ ଦୁହେଁ ଆଲାଦିନ୍,ସୁଟ୍ ଆଉଟ୍ ଆଟ୍ ଲୋଖଣ୍ଡଓ୍ଵାଲା,ଏକଲବ୍ୟ,ଦିଓ୍ଵାର୍ ଓ କାଣ୍ଟେ ସମତେ ବେଶ୍ ବେଶ୍ କେତୋଟି ସିନେମାରେ ଏକାଠି କାମ କରିଥିଲେ।