ଆଖିରେ ଅସ୍ତ୍ରୋପଚାର ହୋଇଥିବା କଥା ଜଣାଇଲେ ଅମିତାଭ ବଚ୍ଚନ

ମୁମ୍ବାଇ: ଆଖିରେ ଅସ୍ତ୍ରୋପଚାର ହୋଇଥିବା କଥା ଆଜି ଅଭିନେତା ଅମିତାଭ ବଚ୍ଚନ କହିଛନ୍ତି। ପ୍ରଶଂସକମାନଙ୍କ ପ୍ରତି ବ୍ଲଗ୍‌ରେ ସେ ଲେଖିଛନ୍ତି, ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରତି ଚିନ୍ତିତ ହୋଇ ଶୁଭକାମନା ଜଣାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଏ ବୟସରେ ଆଖିରେ ଅସ୍ତ୍ରୋପଚାର ବଡ଼ ଜଟିଳ କାମ ହୋଇଥିବାରୁ ଅତି ସାବଧାନତା ସହ କରାଇବାକୁ ପଡ଼ିଲା। ଖୁବ୍‌ ଭଲ ଅସ୍ତ୍ରୋପଚାର ହୋଇଛି। ସବୁ ଠିକ୍‌ ହୋଇଯିବ ବୋଲି ଆଶା। ଦୃଶ୍ୟତା କମ୍‌ ଓ ଆରୋଗ୍ୟ ବେଗ ଧୀର,ଏବଂ କଷ୍ଟକର ହୋଇଥିବାରୁ ଯଦି ‘ଟାଇପ୍‌’ଜନିତ କିଛି ତ୍ରୁଟିଥାଏ, ସେଥିପାଇଁ କ୍ଷମା ଦେବେ।

ଅମିତାଭା ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏବେ ତାଙ୍କୁ ପୂର୍ବତନ େଓ୍ଵଷ୍ଟ୍‍ଇଣ୍ଡିଜ୍‌ କ୍ରିକେଟ୍‌ ଖେଳାଳି ଗ୍ୟାରି ସୋବର୍ସଙ୍କ ଭଳି ଲାଗୁଛି। ତାଙ୍କୁ ଏ ଭଳି ଲାଗୁଥିବାର କାରଣ ମଧ୍ୟ ସେ ଲେଖିଛନ୍ତି। ଥରେ ରମ୍‌ ପାନ କରି ସୋବର୍ସ ବ୍ୟାଟିଙ୍ଗ୍‌ କରି ଯାଇଥିବା ବେଳେ ପିଚ୍‌ରେ ତାଙ୍କୁ ତିନି ତିନିଟି ବଲ୍‌ ପଡୁଥିବା ଦେଖାଯାଇଥିଲା। ଏବଂ ସେଥିରୁ ସେ ମଝିରେ ଥିବା ବଲ୍‌ଟିକୁ ପିଟିବାକୁ ଚେଷ୍ଟା କରୁଥିଲେ।

Image Courtesy of India Today

ଠିକ୍‌ ସେମିତି ଏବେ ଟାଇପ୍‌ କରିବା ବେଳେ ସେ ତିନୋଟି ଲେଖାଏଁ ଅକ୍ଷର ଦେଖୁଛନ୍ତି। କିନ୍ତୁ, ସେଥିରୁ ସେ ମଝି ଅକ୍ଷରଟିକୁ ବାସ୍ତବ ବୋଲି ବିଚାରୁଛନ୍ତି।

ତାଙ୍କର ଅନ୍ୟ ଆଖିରେ ମଧ୍ୟ ଅସ୍ତ୍ରୋପଚାର କରାଯିବ ବୋଲି ସୂଚନା ଦେଇ ସେ ଲେଖିଛନ୍ତି, ସମସ୍ତଙ୍କୁ ମୋର ସ୍ନେହ। ଧୀରେ ଧୀରେ ସୁସ୍ଥ ହେଉଛି। ଆଉ ଗୋଟାଏ ଆଖିରେ ମଧ୍ୟ ଅସ୍ତ୍ରୋପଚାର ହେବ।

ଏଥିସହ ବିକାଶ ବହଲଙ୍କ ନୂଆ ଚଳଚ୍ଚିତ୍ରରେ କାମ କରିବେ ବୋଲି ସେ ଜଣାଇଛନ୍ତି। ସେତେବେଳକୁ ସୁସ୍ଥ ହୋଇଯାଇଥିବେ ବୋଲି ତାଙ୍କର ଆଶା।

ସମ୍ବନ୍ଧିତ ଖବର