କାହିଁକି ଅମିତାଭ-ମାଧୁରୀଙ୍କ ସିନେମା ‘ରିସ୍ତା’ ବନ୍ଦ ହୋଇଥିଲା ?

ମୁମ୍ବାଇ:କିଏ ତାଙ୍କୁ ମନମୟୁରୀ ବୋଲି କହେ ତ କିଏ କହେ ଧକ୍‌ ଧକ୍‌ ଗର୍ଲ। ହଁ ସେ ହେଲେ ସମସ୍ତଙ୍କର ପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ଅଶୀ ଦଶକରେ ମାଧୁରୀ ଦୀକ୍ଷିତ ବଲିଉଡରେ ପ୍ରବେଶ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ସିନେମା ହେଲା ଅବୋଧ୍‌। ରାଜଶ୍ରୀ ପ୍ରଡକସନସର ଏହି ଛୋଟ ବଜେଟ ସିନେମାରେ ହିରୋ ହୋଇଥିଲେ ଜଣାଶୁଣା ବଙ୍ଗଳା ନାୟକ ତାପସ ପାଲ୍‌। ଏହା ଫ୍ଲପ୍‌ ହେବାପରେ ତାଙ୍କ ସହ କେହି କାମ କରିବାକୁ ରାଜି ହେଲେ ନାହିଁ । କିନ୍ତୁ ଅନୀଲ କପୁର ରାଜି ହୋଇଥିଲେ। ବିଶେଷ କରି ଅନୀଲ୍‌ –ମାଧୁରୀଙ୍କ ଯୋଡି ‘ତେଜାବ’ ରେ ଜମିଯିବାପରେ ଏହି ଯୋଡିର ଚାହିଦା ବଢ଼ି ଯାଇଥିଲା। ତ’ଛଡ଼ା ସେତେବେଳେ ଅନୀଲ କପୁରଙ୍କର ଅଧିକ ଡିମାଣ୍ଡ ଥିବା ହେତୁ ସେ ତାଙ୍କ ବିପକ୍ଷରେ ମାଧୁରୀଙ୍କୁ ନେବା ଲାଗି ଚାପ ପକାଇଲେ। ଏଥିଲାଗି ମାଧୁରୀଙ୍କୁ ଅଧିକ ସିନେମାରେ ବି କାମ ମିଳିଥିଲା।

 

photo–rediff.com

ତା’ସାଙ୍ଗକୁ ଯୋଡି ବି ସୁପର ହିଟ୍‌ ହେଲା। ଏହି ଯୋଡିଙ୍କ ସୁପରହିଟ୍‌ ସିନେମା ଭିତରେ ରହିଛି ତେଜାବ୍‌, ରାମଲଖନ୍‌,ବେଟା,ଖେଲ୍‌,କିଶନ୍‌ କହ୍ନେୟା ଏବଂ ପୁକାର୍‌ ଆଦି । ହେଲେ ଅନୀଲ କପୁର ସବୁବେଳେ ଚାହୁଁଥିଲେ ଯେ ମାଧୁରୀ କେବେ ବି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ବିପକ୍ଷରେ ନାୟିକା ହୁଅନ୍ତୁ । ଏଥିଲାଗି ସେ ମାଧୁରୀଙ୍କୁ ପ୍ରବର୍ତ୍ତାଉଥିଲେ ମଧ୍ୟ । ସେସମୟରେ ଅନୀଲ ନିଜକୁ ବିଗ୍‌ ବିଙ୍କର ପ୍ରତିଦ୍ୱନ୍ଦ୍ୱୀ ବୋଲି ମନେ କରିବା ଆରମ୍ଭ କରି ଦେଇଥିଲେ। ଏହି କାରଣରୁ ଅମିତାଭଙ୍କ ସହ କାମ କରିବାର ସୁଯୋଗ ମିଳୁଥିଲେ ମଧ୍ୟ ଜାଣିଶୁଣି ମାଧୁରୀ ଦୀକ୍ଷିତ ଆଗ୍ରହ ଦେଖାଉନଥିଲେ ।

ଏପରିକି ପ୍ରଖ୍ୟାତ ନିର୍ଦ୍ଦେଶକ ଇନ୍ଦ୍ର କୁମାର ଅମିତାଭ ବଚ୍ଚନ-ମାଧୁରୀ ଦୀକ୍ଷିତଙ୍କୁ ନେଇ ‘ରିସ୍ତା’ଟାଇଟଲରେ ଏକ ସିନେମା ତିଆରି କରୁଥିବାର ଘୋଷଣା ବି କରିଥିଲେ। ହେଲେ ତାହା କେବେ ବି ଫ୍ଲୋରକୁ ଯାଇ ନଥିଲା। ଶୁଣାଯାଏ ଯେତେବେଳେ ଏ ଖବର ଅନୀଲ ପାଇଥିଲେ ସେ ଏହାକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କୁ ପରାମର୍ଶ ଦେଇଥିଲେ। ପୂର୍ବରୁ ଅନୀଲଙ୍କୁ ନେଇ ବେଟା ଭଳି ସୁପରହିଟ୍‌ ସିନେମା କରିଥିବା ହେତୁ ଇନ୍ଦ୍ର କୁମାର ବି ଅନୀଲଙ୍କ ପରାମର୍ଶ ମାନିଥିଲେ। ଆଉ ରିସ୍ତା ନିର୍ମାଣରୁ ଓହରି ଥିଲେ। ଏଥିରେ ବି ସଫଳ ହୋଇଥିଲେ ଅନୀଲ୍‌ କପୁର।

 

ସମ୍ବନ୍ଧିତ ଖବର