ଅମିତାଭଙ୍କ ପୁରସ୍କାରର ଲମ୍ବା ଯାତ୍ରା, ‘ସାତ୍‌ ହିନ୍ଦୁସ୍ତାନୀ’ରୁ ‘ପିକୁ’ ଯାଏ…

ମହାନାୟକ ଅମିତାଭ ବଚ୍ଚନଙ୍କ ଅଭିନୟର ଯାଦୁରେ ବିଭୋର ହୋଇଛନ୍ତି ସାରା ଦେଶର କୋଟି କୋଟି ଦର୍ଶକ। ‌ ପ୍ରଥମ ଚଳଚ୍ଚିତ୍ର ‘ସାତ୍‌ ହିନ୍ଦୁସ୍ତାନୀ’ରୁ ହିଁ ସେ ଦର୍ଶକ ଓ ଚଳଚ୍ଚିତ୍ର ବିଶେଷଜ୍ଞମାନଙ୍କ ଦୃଷ୍ଟି ଆକର୍ଷଣ କରି ନିଜକୁ ‌ଲମ୍ବା ରେସ୍‌ର ଘୋଡ଼ା ବୋଲି ପ୍ରମାଣିତ କରି ଦେଇଥିଲେ। ୧୯୬୯ରେ ପ୍ରଥମ ଫିଲ୍ମ ‘ସାତ୍‌ ହିନ୍ଦୁସ୍ତାନୀ’ର ଅନୱର ଅଲ୍ଲୀ ଚରିତ୍ରରେ ନିଜର ଜୀବନ୍ତ ଓ ପ୍ରଭାବଶାଳୀ ଅଭିନୟ ପାଇଁ ତାଙ୍କୁ ମିଳିଥିଲା ଶ୍ରେଷ୍ଠ ନବାଗତ ଅଭିନେତା ଭାବେ ଜାତୀୟ ପୁରସ୍କାର ପୁରସ୍କାର। ବାସ୍ , ସେଇଠୁ ଆରମ୍ଭ ହୋଇଥିବା ବିଗ୍‌-ବି’ଙ୍କ ପୁରସ୍କାରର ଏହି ଯାତ୍ରା ଏବେ ବି ଜାରି ରହିଛି। ଦୀର୍ଘ ଅର୍ଦ୍ଧଶତାବ୍ଦୀର ଫିଲ୍ମ କ୍ୟାରିଅର୍‌ରେ ସେ ଶ୍ରେଷ୍ଠ ଅଭିନେତା ଭାବେ ୪ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବାବେଳେ ୧୧ଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି ଏବଂ ୩୪ଥର ଫିଲ୍ମ ଫେୟାର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

freepressjournal.in

‘ସାତ୍‌ ହିନ୍ଦୁସ୍ତାନୀ’ରେ ଶ୍ରେଷ୍ଠ ନବାଗତ ଅଭିନେତା ପୁରସ୍କାର ପାଇଲେ ମଧ୍ୟ ଜଣେ ଦକ୍ଷ ଅଭିନେତା ଭାବେ ବଲିଉଡ୍‌ରେ ସ୍ବୀକୃତି ପାଇବାକୁ ତାଙ୍କୁ ପ୍ରାୟ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ୧୯୭୧ରେ ସେ ହୃଷୀକେଶ ମୁଖାର୍ଜୀଙ୍କ ‘ଆନନ୍ଦ’ ଚଳଚ୍ଚିତ୍ରରେ ଡ.ଭାସ୍କର ବାନାର୍ଜୀ ଭୂମିକାରେ ଚମତ୍କାର ଅଭିନୟ ପାଇଁ ସେ ଶ୍ରେଷ୍ଠ ସହଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ‘ଆନନ୍ଦ’ ଚଳଚ୍ଚିତ୍ର ତାଙ୍କୁ ଏକ ଅଭିନେତାର ପରିଚୟ ଦେଇଥିବାବେଳେ ୧୯୭୨ରେ ପ୍ରକାଶ ମେହେରାଙ୍କ ବହୁଚର୍ଚ୍ଚିତ ‘ଜଞ୍ଜିର’ ଚଳଚ୍ଚିତ୍ରରେ ଇନ୍ସପେକ୍ଟର ବିଜୟ ଭୂମିକାରେ ଅଭିନୟ କରି ସେ ପ୍ରଥମ କରି ନିଜର ‘ ଆଂଗ୍ରି ୟଙ୍ଗ୍ ମ୍ୟାନ୍’ ପରିଚୟ ସୃଷ୍ଟି କଲେ। ତେବେ ତାଙ୍କ ନାଁ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ମଧ୍ୟ ତାଙ୍କୁ ପୁରସ୍କାର ମିଳି ନ ଥିଲା। ଠିକ୍ ସେମିତି ୧୯୭୪ରେ ୟସ୍‌ ଚୋପ୍ରାଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଦିୱାର୍‌’ରେ ବିଜୟ ଭୂମିକାରେ ଏବଂ ରମେଶ ସିପ୍ପିଙ୍କ ‘ସୋଲେ’ରେ ଜୟ ଭୂମିକାରେ ତାଙ୍କର ଜୀବନ୍ତ ଅଭିନୟ ସତ୍ତ୍ବେ ତାଙ୍କୁ ସେ ବର୍ଷ ବି ଫିଲ୍ମ ଫେୟାର ପୁରସ୍କାର ମିଳି ନ ଥିଲା।

Mid-Day

ଏହାପରେ ଆଉ ପଛକୁ ଫେରି ଚାହିଁ ନ ଥିଲେ ଅମିତାଭ। ଏହାର ୪ ବର୍ଷ ପରେ ୧୯୭୬ରେ ‌ମନମୋହନ ଦେଶାଇଙ୍କ ‘ଅମର ଆକବର ଆନ୍ଥୋନି’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ପ୍ରଥମ ଫିଲ୍ମଫେୟାର ପୁରସ୍କାର ପାଇଥିଲେ। ଏହାପରେ ଅମିତାଭ ସୁପରହିଟ୍ ‘ଡନ୍’ ଫିଲ୍ମରେ ଅଭିନୟ ପାଇଁ ମଧ୍ୟ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ। ସେହିବର୍ଷ ସେ ‘ତ୍ରିଶୂଲ’ ଓ ‘ମୁକଦ୍ଦର କା ସିକନ୍ଦର’ ପାଇଁ ମଧ୍ୟ ‌‌େଶ୍ରଷ୍ଠ ଅଭିନେତା ଭାବେ ଫିଲ୍ମଫେୟାର ମନୋନୟନ ତାଲିକାରେ ସ୍ଥାନ ପାଇଥିଲେ। ଠିକ୍‌ ସେମିତି ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ଅମିତାଭଙ୍କୁ ଦୁଇ ଦଶନ୍ଧି ସମୟ ଲାଗି ଯାଇଥିଲା। ୧୯୯୦ରେ ‘ଅଗ୍ନିପଥ’ ଚଳଚ୍ଚିତ୍ରରେ ବିଜୟ ଦୀନନାଥ ଚୌହାନ ଚରିତ୍ରରେ ତାଙ୍କର ଯାଦୁକରୀ ଅଭିନୟ ପାଇଁ ତାଙ୍କୁ ପ୍ରଥମ ଥର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହାପରେ ୨୦୦୪ରେ ‘ବ୍ଲାକ୍‌’, ୨୦୦୯ରେ ‘ପା’ ଓ ୨୦୧୫ରେ ‘ପିକୁ’ ଚଳଚ୍ଚିତ୍ରରେ ନିଜର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏହା ବ୍ୟତୀତ ‘ହମ୍‌’, ‘ବ୍ଲାକ୍‌’ ଓ ‘ପା’ ପାଇଁ ମଧ୍ୟ ତାଙ୍କ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ମିଳିଥିଲା। ଅକ୍ସ, ବ୍ଲାକ୍ ଓ ପିକୁ ପାଇଁ ତାଙ୍କୁ ଶ୍ରେଷ୍ଠ କ୍ରିଟିକ୍ ଚଏସ୍ ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା।

ସମ୍ବନ୍ଧିତ ଖବର