ଜୁନ୍ ୨୯ରେ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’। ପ୍ରଥମ ଥର ପାଇଁ ପରଦାକୁ ଏକାଠି ଆସୁଛନ୍ତି ଅମ୍ଳାନ ଓ ଏଲିନା। ଏହି ଫିଲ୍ମରେ ପ୍ରେମ ରୋମାଞ୍ଚକୁ ନେଇ ହୋଇଛି ନୂଆ ପରୀକ୍ଷା। ଯେଉଁଥିରେ ହ୍ୟାଣ୍ଡସମ୍ ଅମ୍ଳାନ ଓ ଚୁଲବୁଲି ନାୟିକା ଏଲିନାଙ୍କୁ ଏକାଠି ଦେଖିବେ ଦର୍ଶକ। ଏଥିରେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟର ଯାଦୁ ଦେଖାଇଥିବା ବବି ମିଶ୍ରଙ୍କୁ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ।

Advertisment

ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ର ମୁକ୍ତିଲାଭର ତାରିଖ ଘୋଷଣା କରାଯାଇଛି। ଏହି ଅବସରରେ ପ୍ରଯୋଜିକା ଝିଲିକ୍ ଭଟାଚ୍ଚାର୍ଯ୍ୟ କହିଛନ୍ତି ଯେ ‘ଆସନ୍ତା ଜୁନ୍ ୨୯ରେ ଓଡ଼ିଶାର ୩୦ରୁ ଉର୍ଦ୍ଧ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର’। ଅମ୍ଳାନ, ଏଲିନା ଓ ବବି ମିଶ୍ରଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଚୌଧୁରୀ ଜୟପ୍ରକାଶ ଦାସ‌, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ, କାର୍ଯ୍ୟକାରୀ ପ୍ରଯୋଜକ ଅରୁଣ କୁମାର ସ୍ବାଇଁ ଓ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ।

ପ୍ରେମ ହେଇଯାଏ କେଉଁଠି, କେମିତି, କେତେବେଳେ! ପୁଅ ଓ ଝିଅର ପରିବାରର ଆଭିଜାତ୍ୟ ଭିତରେ ରହିଛି ଆକାଶ- ପାତାଳ ପ୍ରଭେଦ। ଜଣେ ଗରିବ ପୁଅକୁ ଭଲ ପାଇଛି ଜଣେ ଜମିଦାରର ଝିଅ। ଏମିତି କାହିଁକି ହେଲା, କେମିତି ହେଲା। ଏହା ଏକ ନିଆରା ପ୍ରେମ କାହାଣୀର ନିଛକ ଛବି। ଏମିତି ଏକ ହୃଦୟକୁ ଛୁଇଁଲା ଭଳି କାହାଣୀ ନେଇ ଆସୁଛି ଝିଲିକ ମୋସନ୍‌ ପିକଚର। ଏହାର ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ସାହୁ। କାହାଣୀ ରଚନା କରିଛନ୍ତି ଶରଣାବିନ୍ଦ ଓଝା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ। ଏଥିରେ ଅଭିଷେକ ଗିରି, ଭୂପତି ତ୍ରିପାଠୀ, ଗୁଡୁ, ରମେଶ ରାଉତ, ଚୌଧୁରୀ ଜୟପ୍ରକାଶ ଦାସ, ସୁଧାଶୁଂ ସାହୁ, ସୋମା ଭୌମିକ, ଛନ୍ଦିତା ପାଢ଼ୀ ଓ ଇଷା ବେବର୍ତ୍ତା ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ସୁଟିଂ ବାରିପଦାରେ ହୋଇଥିବାବେଳେ ଗୀତଦୃଶ୍ୟ ମନାଲୀ ଓ ଚଣ୍ଡିଗଡ଼ରେ ସୁଟିଂ ହୋଇଛି।

ଆଗରୁ ଅଭିନୟ ମାଧ୍ୟମରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିବା ଝିଲିକ୍ ଏବେ ପ୍ରଯୋଜନା କ୍ଷେତ୍ରରେ ସକ୍ରିୟ ହେଇଛନ୍ତି। ଝିଲିକ ମୋସନ୍ ପିକଚର୍ସ ବ୍ୟାନରରେ ‘ରୁଦ୍ରାଣୀ’, ‘କିସ୍‌ମିସ୍‌’ ଏବଂ ‘ତୋର ମୋର କଟି’ ପରେ ଏବେ ଆସୁଛି ‘ପ୍ରିୟେ ତୁ ମୋ ସିଏ’।