ଅମ୍ଳାନ-ରୀୟାଙ୍କ ଅଭିନୀତ ଏହି ଓଡ଼ିଆ ସିନେମାର ସିକ୍ୟୁଏଲ୍ ଆସୁଛି!

ଭୁବନେଶ୍ବର: ରୀୟା ଏବଂ ଅମ୍ଳାନ ଏବେକାର ଜଣେ ବ୍ୟସ୍ତ ନାୟକ ନାୟିକା। ଅମ୍ଳାନ ୨୦୧୩ରେ ‘ଟାର୍ଗେଟ’ ସିନେମାରୁ ଓଲିଉଡରେ ହିରୋଭାବେ ଡେବ୍ୟୁ କରିବା ପରେ ନିୟମିତ ଭାବେ ସିନେମାରେ କାମ କରି ଆସୁଛନ୍ତି । ତାଙ୍କର ବର୍ଷକୁ ପ୍ରାୟତଃ ୨ ରୁ ୩ ଟି ଲେଖାଏଁ ସିନେମା ରିଲିଜ୍‌ ହୋଇଛି ।

ରୀୟା ‘ପ୍ରେମ ଅଢେଇ ଅକ୍ଷର’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ବି ବହୁ ସିନେମାରେ ନାୟିକା ଭୂମିକାରେ ନଜର ଆସିଛନ୍ତି।  ଏବେ ଉଭୟଙ୍କ ହାତରେ କିଛି ସିନେମା ରହିଛି। ଏହାର ଟାଇଟଲ୍  ‘ଗୋଲାପି ଗୋଲାପି-୨’।


୨୦୧୪ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଗୋଲାପି ଗୋଲାପି’ର ଏହା ସିକ୍ୟୁଏଲ୍ ବୋଲି ଜଣାଯାଇଛି। ସୀତାରାମ ଅଗ୍ରଓ୍ବାଲଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦେଶିତ ଏହି ସିନେମାରେ ଅମ୍ଳାନ, ରୀୟା ଦେ, ମିହିର ଦାସ ଓ ଅପରାଜିତା ପ୍ରମୁଖଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ହେଲେ ‘ଗୋଲାପି ଗୋଲାପି-୨’ର ନିର୍ଦେଶକ ହେଲେ ମୃତ୍ୟୁଞ୍ଜୟ ସାହୁ(ବାପି), ଯିଏ କି ଆଗରୁ ‘ବ୍ୟାଚେଲର୍’, ‘ଯିଏ ଯାହା କହୁ ମୋର ଢୋ’, ‘ଗୋଟେ ଶୁଆ ଗୋଟେ ଶାରୀ‘, ‘ଭୈରବ’, ‘ନାୟକର ନାଆଁ ଦେବଦାସ’ ଆଦିର ନିର୍ଦେଶନା ଦେଇଛନ୍ତି।

‘ଗୋଲାପି ଗୋଲାପି-୨’ରେ ଦର୍ଶକ ପୁଣି ଥରେ ଅମ୍ଳାନ-ରୀୟାଙ୍କୁ ଭେଟିବେ। ଆଗରୁ ଏହି ଯୋଡ଼ି ‘ତୁ ମୋ ଦେହର ଛାଇ’, ‘ଗୋଲାପି ଗୋଲାପି’, ‘ପାଗଳ କରିଛୁ ତୁ’, ‘କଲେଜ୍ ଟାଇମ୍’ ଓ ‘ତୋର ଦିନେକୁ ମୋର ଦିନେ’ ଆଦି ଓଡ଼ିଆ ସିନେମାରେ ନଜର ଆସିଥିଲେ। ‘ଗୋଲାପି ଗୋଲାପି’ ଭଳି ଏହାର ସିକ୍ୟୁଏଲ୍ ଦର୍ଶକଙ୍କୁ ଆକୃଷ୍ଟ କରିପାରୁଛି କି ନା, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର