ରାଜ କପୁରଙ୍କ ପଛକୁ ଯେଉଁମାନେ ବଡ଼ ପରଦାରେ ଲୋକପ୍ରିୟ ହେଇଥିଲେ ସେମାନଙ୍କ ମଧ୍ୟରେ ସବା ଆଗରେ ଥିଲେ ଅଭିନେତା ରାଜେଶ ଖାନ୍ନା। ସେଥିପାଇଁ ତାଙ୍କୁ ସୁପରଷ୍ଟାରର ମାନ୍ୟତା ମିଳିଥିଲା। ପରେ ଦିଲୀପ କୁମାର, ସଞ୍ଜୀବ କୁମାର, ରାଜ କୁମାର, ରାଜ ବାବର, କମଲ ହାସାନ୍, ଧର୍ମେନ୍ଦ୍ର ଓ ଅମିତାଭ ବଚ୍ଚନଙ୍କ ଭଳି ଅଭିନେତାମାନେ ଆକ୍ସନ୍ ଓ ଡାଇଲଗ୍ ହିରୋ ଭାବେ ଦର୍ଶକଙ୍କ ହୃଦୟ ଜିଣିଲେ। ଏପାଖେ ପ୍ରାନ୍, ଆମଜାଦ ଖାନ୍, ଅମ୍ରେଶ ପୁରୀ, କାଦର ଖାନ୍, ଶକ୍ତି କପୁର, ରାଜା ମୁରାଦ, ଡ୍ୟା‌ନି ଡାଞ୍ଜୋପା, ପ୍ରେମ ଚୋପ୍ରା,କିରଣ କୁମାର, ସଦାଶିବ ଅମରପୁରକର, ଗୁଲସନ୍ ଗ୍ରୋଭର ପ୍ରମୁଖ ଖଳନାୟକ ଭୂମିକାରେ ବେଶ୍ ଚର୍ଚ୍ଚିତ ଥିଲେ। ଏମାନଙ୍କ ପରେ ଅନୁପମ୍ ଖେର, ପରେଶ ରାୱଲ, ମହେଶ ମଞ୍ଜରେକର, ପ୍ରକାଶରାଜ, ରାହୁଲ ଦେବ ପ୍ରମୁଖ ଖଳନାୟକ ଭୂମିକାରେ ମଧ୍ୟ ଦିନାକେତେ ନିଜର ସ୍ଥିତି ଜାହିର କରିଥିଲେ।

Advertisment

ସିନେମା କାହାଣୀରେ ଯେଉଁମାନଙ୍କୁ ଚରିତ୍ରାଭିନୟରେ ଦେଖିବାକୁ ମିଳୁଥିଲା ସେମାନଙ୍କ ମଧ୍ୟରେ ନସିରୁଦ୍ଦିନ୍, ନାନା ପାଟେକର, ଆଲୋକନାଥ, ନାନା ପାଟେକର, ମନୋଜ ବାଜପାୟୀ, ଆର୍ସାଦ ୱାର୍ଶି, ବୋମାନ ଇରାନୀ, ନୱାଜଉଦ୍ଦିନ ସିଦ୍ଦିକୀ ଥିଲେ ଆଗଧାଡ଼ିରେ। ଏହା ଭିତରେ ଜିତେନ୍ଦ୍ର, ଅନୀଲ କପୁର, ଜ୍ୟାକି ସ୍ରଫ୍, ମିଥୁନ ଚକ୍ରବର୍ତ୍ତୀ, ଅମୀର ଖାନ୍, ଅକ୍ଷୟ କୁମାର, ଅଜୟ ଦେବଗନ୍, ସଲମନ୍ ଖାନ୍, ଶାହରୁଖ ଖାନ୍, ସୁନୀଲ ସେଟ୍ଟୀ, ଗୋବିନ୍ଦା, ନାଗାର୍ଜୁନଙ୍କ ଭଳି ହିରୋମାନଙ୍କୁ ମଧ୍ୟ ଦମଦାର ଭୂମିକାରେ ଦେଖିବାକୁ ମିଳିଲା। ହେଲେ ସବୁ କଳାକାର ଆସନ୍ତି ପୁଣି ଚାଲିଯାଆନ୍ତି। କିଛି ନା କିଛି ପ୍ରତିକୂଳ ପରିସ୍ଥିତିର ସାମନା କରି ଏମାନେ ଧୀରେ ଧୀରେ ପରଦା ଉପରୁ ଆଢ଼ୁଆଳକୁ ପଳେଇ ଯାଇଛନ୍ତି। ହେଲେ ଆଜି ବି ଅଭିନେତା ଅମିତାଭ ବଚ୍ଚନ ସଚଳ ଓ ସକ୍ରିୟ ହେଇରହିଛନ୍ତି। କୌଣସି ସିନେମାରେ ଯଦି ଅମିତାଭ ଆସୁଛନ୍ତି, ଦର୍ଶକ ତାଙ୍କୁ ଦେଖିବା ପାଇଁ ପାଗଳ ହେଉଛନ୍ତି।

ସିନେମାଟି ମଧ୍ୟ ବ୍ୟବସାୟିକ ସଫଳତା ପାଇବା ସହ ସଫଳତା ପାଉଛି। ଏମିତିରେ ଛୋଟ ପରଦାର ‘କେବିସି’ ପରି ରିୟାଲିଟି ସୋ ଏବଂ ସରକାରଙ୍କ ଦ୍ବାରା ପ୍ରାୟୋଜିତ କିଛି ସଚେତନତାମୂଳକ ବିଜ୍ଞ‌ାପନରେ ମଧ୍ୟ ଅମିତାଭଙ୍କୁ ଦେଖିବାକୁ ମିଳୁଛି। ଆଜି ଅମିତାଭଙ୍କ ସମ୍ପର୍କରେ ପୁଣି ଆଲୋଚ୍ୟର ବିଷୟ ହେଇଛି ଯେ ସେ ୮୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତାଙ୍କ ଜନ୍ମଦିନକୁ ହଜାର ହଜାର ଭାରତୀୟ ଏବଂ ବିଦେଶରେ ରହୁଥିବା ବହୁ ପ୍ରଶଂସକ ପାଳନ କରିଛନ୍ତି। ଅନେକ ମଧ୍ୟ ଭଗବାନଙ୍କ ନିକଟରେ ଅମିତାଭଙ୍କ ପରମାୟୁ ବୃଦ୍ଧିପାଉ ବୋଲି କାମନା କରିଛନ୍ତି। ଅମିତାଭଙ୍କ ଅତି ଅନ୍ତରଙ୍ଗମାନେ କହିଛନ୍ତି ସେ ଅଭିନେତା ଅମିତାଭ ନୁହେଁ ‘ଅମୃତ ଅମିତାଭ’।