ଓଲିଉଡ୍‌ରେ ନାୟିକା ଭାବେ ବିଗତ ୨୧ ବର୍ଷ ଧରି ନିଜର ଯାତ୍ରା ଜାରି ରଖିଛନ୍ତି ନମ୍ରତା ଥାପ୍ପା। ବ୍ରଜରାଜ ମୁଭିଜ୍‌ର ‘ଆଇ ଲଭ୍‌ ୟୁ’ (୨୦୦୪) ସିନେମାରୁ କ୍ୟାରିୟର୍‌ ଆରମ୍ଭ  କରିଥିଲେ ସେ। ହର ପଟ୍ଟନାୟକ ନିର୍ଦ୍ଦେଶିତ ଏହି ଛବିରେ ତାଙ୍କର ନାୟକ ଥିଲେ ନବାଗତ ଅନୁଭବ। ତା’ପରେ ସେ ୨୦୦୬ରେ ପୁଣି ଦୁଇଜଣ ନବାଗତ ନାୟକଙ୍କ ବିପକ୍ଷରେ ପରଦାକୁ ଆସିଲେ। ‘ପ୍ରେମଋତୁ  ଆସିଲାରେ’ରେ ନବାଗତ ଅରିନ୍ଦମ୍ ଓ  ‘ଆଇ ଲଭ୍ ମାଇଁ ଇଣ୍ଡିଆ’ରେ ନୂଆ ନାୟକ ବୁଦ୍ଧାଦିତ୍ୟଙ୍କ ନାୟିକା ବନିଥିଲେ ନମ୍ରତା।

Advertisment

ଏବେ ତାଙ୍କ ଅଭିନୀତ ‘ରାକେଟ୍’ ମୁକ୍ତି ଅପେକ୍ଷାରେ ରହିଛି। ଏହି ସିନେମାରେ ତାଙ୍କୁ ପୁଣି ଜଣେ ନବାଗତଙ୍କ ବିପକ୍ଷରେ ଦେଖିବାକୁ ପାଇବେ ଦର୍ଶକ। ସଂଗ୍ରାମ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ରାକେଟ୍’ରେ ନମ୍ରତାଙ୍କ ବିପକ୍ଷରେ ଅଛନ୍ତି ହେମନ୍ତ ପାତ୍ର। ଏଥିରେ ନମ୍ରତା ଜଣେ ଅଧ୍ୟାପିକା ଭୂମିକାରେ ଥିବାବେଳେ ହେମନ୍ତ ତାଙ୍କ ସ୍ବାମୀ ଭୂମିକା ତୁଲାଇଛନ୍ତି। କାହାଣୀ ଅନୁଯାୟୀ, ଉଭୟଙ୍କର ଏକ ଝିଅ ଅଛି। କୌଣସି ଘଟଣାକୁ ନେଇ ଝିଅଟି ଅସୁବିଧାରେ ପଡ଼ିଛି। ସେହି ଘଟଣା କ’ଣ ଓ ତା’ର କିପରି ସମାଧାନ କରାଯାଇଛି, ତାହା ହିଁ ସିନେମାର ମୁଖ୍ୟ ପ୍ରସଙ୍ଗ।
ତେବେ ନମ୍ରତାଙ୍କ ଅଭିନୀତ ‘ମୁଁ  ତତେ ଲଭ୍‌  କରୁଚି’, ‘ସିନ୍ଦୂର’, ‘ୱାନ୍ ଫୋର୍ ଥ୍ରି ଆଇ ଲଭ୍ ୟୁ’, ‘ରସିକ ନାଗର’, ‘ମିତରେ ମିତ’, ‘ଗୁଡ୍ଡୁ ଗ୍ୟାଙ୍ଗ୍‌ଷ୍ଟର୍’ ଓ ‘କାଇଁଚମାଳି’  ଆଦି ଓଡ଼ିଆ ସିନେମାରେ କୌଣସି ନବାଗତ ତାଙ୍କର ନାୟକ ନଥିଲେ।