ଅନୀଲ୍‌-ମାଧୁରୀ ଏକାଠି

ସୁପର୍‌ହିଟ୍‌ କମେଡି ସିରିଜ୍‌ ‘ଧମାଲ୍‌’ର ତୃତୀୟ ସଂସ୍କରଣ ‘ଟୋଟାଲ୍‌ ଧମାଲ୍‌’ର ସୁଟିଂ ଆସନ୍ତା ବର୍ଷ ଜାନୁଆରିରେ ଆରମ୍ଭ ହୋଇ ଫିଲ୍ମଟି ଡିସେମ୍ବର ମାସରେ ରିଲିଜ୍‌ ହେବ ବୋଲି ଘୋଷଣା କରା ଯାଇଛି। ଏହା ସହିତ ଏ ଫିଲ୍ମ ବିଷୟରେ କିଛି ତଥ୍ୟ ମଧ୍ୟ ଅନାବରଣ କରା ଯାଇଛି। ‘ଧମାଲ୍‌’ ସିରିଜ୍‌ର ପୁରୁଣା କଳାକାର, ଯଥା: ଆର୍ଶଦ୍‌ ଓ୍ଵର୍‌ସି, ଜାଭେଦ୍‌ ଜାଫ୍ରି, ରୀତେଶ ଦେଶମୁଖ ଓ ଆଶିଷ ଚୌଧୁରୀ ‘ଟୋଟାଲ୍‌ ଧମାଲ୍‌’ରେ ରହିବେ। ତେବେ ମୁଖ୍ୟ ଭୂମିକାରେ, ଅର୍ଥାତ୍‌ ସଞ୍ଜୟ ଦତ୍ତ କରିଥିବା ଭୂମିକାରେ ଅଭିନୟ କରିବେ ଅଜୟ ଦେବଗନ୍‌। ଆଗରୁ ଶୁଣା ଯାଉଥିଲା ଯେ ଏ ଫିଲ୍ମରେ ଅଜୟଙ୍କ ନାୟିକା ହେବେ ଇଲିଆନା ଡି’କ୍ରୁଜ୍‌। କିନ୍ତୁ ନିର୍ଦ୍ଦେଶକ ଇନ୍ଦ୍ର କୁମାର୍‌ କହିଛନ୍ତି ଯେ ଏ ଫିଲ୍ମରେ ଅଜୟ କାହା ସହିତ ରୋମାନ୍‌ସ୍‌ କରିବାର ନାହିଁ। ତେବେ ସବୁଠୁ ଉଲ୍ଲେଖନୀୟ ଖବର ହେଉଛି, ‘ଟୋଟାଲ୍‌ ଧମାଲ୍‌’ରେ ଆମେ ପୁରୁଣା ସୁପର୍‌ହିଟ୍‌ ଯୋଡ଼ି ଅନୀଲ୍‌ କପୁର୍‌ ଓ ମାଧୁରୀ ଦୀକ୍ଷିତ୍‌ଙ୍କୁ ଦେଖିବାକୁ ପାଇବା। ଆପଣ ଜାଣିଥିବେ, ଅତୀତରେ ଅନୀଲ୍‌ ଓ ମାଧୁରୀ ଏଇ ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କର ଅନେକ ହିଟ୍‌ ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି।
ଆଜିକାଲି ତ ଅଜୟ ଦେବଗନ୍‌ଙ୍କ କମେଡି ଫିଲ୍ମଗୁଡ଼ିକ ଗୋଟେ ପରେ ଗୋଟେ ସୁପର୍‌ହିଟ୍‌ ହେଉଛି। ‘ଟୋଟାଲ୍‌ ଧମାଲ୍‌’ରେ ତାଙ୍କ ସହିତ ଆହୁରି ଅଛନ୍ତି ଅନୀଲ୍‌ ଓ ମାଧୁରୀ! ତେଣୁ ଏ ଫିଲ୍ମଟିର ସଫଳତାକୁ ନେଇ କାହାରି ସନ୍ଦେହ ରହିବା କଥା ନୁହେଁ।

ସମ୍ବନ୍ଧିତ ଖବର