ସଲମାନ ଓ ଆମୀର ଭିତରେ ଯେମିତି ବାହାରେ ସେମିତି ନୁହନ୍ତି, ସବୁବେଳେ ମିଛ କୁହନ୍ତି: ଅନୀଲ କପୁର
ମୁମ୍ବାଇ: ଗୋଆରେ ଆୟୋଜିତ ହୋଇଥିବା ଭାରତର ୫୦ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ ଅଭିନେତା ଅନୀଲ କପୁର ଯୋଗ ଦେଇଥିଲେ। ଏହି ଫେଷ୍ଟିଭାଲରେ ଯୋଗ ଦେଇ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ଅନୀଲ। ତାଙ୍କୁ ଗୋଟେ ପ୍ରଶ୍ନ କିଛି ଏଭଳି ପଚରାଯାଇଥିଲା, ଯାହାର ଉତ୍ତର ରଖିବାକୁ ଯାଇ ସେ ଅଭିନେତା ଆମୀର ଖାନ୍ ଓ ସଲମାନ ଖାନଙ୍କୁ ମିଛୁଆ ବୋଲି କହିଥିଲେ। ଏହା ସହ ଦେଖାଇବା ପାଇଁ ଦୁହେଁ ଅନେକ ମିଛ କୁହନ୍ତି ଓ କାମ କରନ୍ତି ବୋଲି ମଧ୍ୟ କହିଥିଲେ।
ପ୍ରଶ୍ନଟି ଥିଲା କି, ବଲିଉଡ କଳାକାରମାନଙ୍କୁ ଟିକେ ସଫଳତା ମିଳିବା ପରେ ଗାଡ଼ି ଓ ଘର କିଣି ଅଳସୁଆ ହୋଇ ଯାହାନ୍ତି। ନିଜ କାମକୁ ଗମ୍ଭୀରତାର ସହ ନେଇ ନଥାନ୍ତି। ଆପଣଙ୍କ ହିସାବରେ ବଲିଉଡରେ ସେଭଳି କଳାକାର ଅଛନ୍ତି କି? ଏହାର ଉତ୍ତରରେ ଅନୀଲ କପୁର କହିଥିଲେ, ଆପଣଙ୍କ ସହ ମୁଁ ସହମତ। ଅନେକ ଅଭିନେତା ସଫଳ ହେବା ପରେ ଅଳସୁଆ ହୋଇ ଯାଆନ୍ତି। କିନ୍ତୁ କିଛି ଲୋକ ନିଜକୁ ଅଳସୁଆ କହି ମଧ୍ୟ ଖୁବ୍ ପରିଶ୍ରମ କରନ୍ତି। ସେ ମଧ୍ୟରୁ ଜଣେ ହେଲେ ଆମୀର ଖାନ୍। ଅନେକ ସମୟରେ ସେ ନିଜକୁ ଅଳସୁଆ ବୋଲି କହିଛନ୍ତି। କିନ୍ତୁ ପ୍ରକୃତରେ ସେ ହିଁ ଅଧିକ ପରିଶ୍ରମ କରନ୍ତି। ଅନ୍ୟ କଳାକାର ତାଙ୍କ କଥା ଶୁଣି ଅଳସୁଆ ହୁଅନ୍ତୁ ବୋଲି ସେ ବାହାରେ ନିଜକୁ ଅଳସୁଆ ବୋଲି କହିଥାନ୍ତି।

ସେହିଭଳି ଭାବେ ସଲମାନ ମଧ୍ୟ ଅନେକ କଥା ଲୁଚାନ୍ତି। ବିମାନରେ ଯିବା ସମୟରେ ସଲମାନ ପ୍ରତି ଘଣ୍ଟାକରେ ଖାଇବା ମଗାଇ ଖାଇଥାନ୍ତି। ତାଙ୍କୁ ସେ ସମୟରେ ଯିଏ ଦେଖିବ, ସେ ଭାବିବ କି, ଏତେ ଖାଇ ମଧ୍ୟ ଜଣେ ଏତେ ଫିଟ୍ କେମିତି? କିନ୍ତୁ ସେମାନେ ଜାଣି ନାହାନ୍ତି କି, ସଲମାନ ଅନେକ ଦିନର ବ୍ୟବଧାନ ପରେ ଏତେ ଖାଇବା ଖାଆନ୍ତି। ପ୍ରକୃତରେ ପ୍ରତିଦିନ ସେ ନିଜକୁ ଫିଟ୍ ରଖିବା ହିସାବରେ ହିଁ ଖାଇବା ଖାଇଥାନ୍ତି। ଅନ୍ୟମାନେ ତାଙ୍କୁ ଏଭଳି ଖାଇବା ଦେଖି ନିଜେ ସେଭଳି ଖାଇ ମୋଟା ହୋଇ ଯାଆନ୍ତୁ ବୋଲି ସଲମାନ ଏଭଳି କରିଥାନ୍ତି ବୋଲି ଅନୀଲ କପୁର କହିଥିଲେ। ଅନୀଲ କପୁରଙ୍କଠାରୁ ଏଭଳି ଉତ୍ତର ଶୁଣି ଉପସ୍ଥିତ ଲୋକେ ଜୋରରେ ହସିବାକୁ ଲାଗିଥିଲେ।