ରିଆଲିଟି ସୋ’ ଜରିଆରେ ଛୋଟ ପରଦାକୁ ଫେରିଲେ ଏହି ନାୟିକା

ଭୁବନେଶ୍ୱର: ଛୋଟ ପରଦାର ଜଣେ ଚର୍ଚ୍ଚିତ ନାୟିକା ପୁଣି ଫେରିଛନ୍ତି ଛୋଟ ପରଦାକୁ। ସେ ଅବଶ୍ୟ ବଡ଼ ପରଦାରେ ବି କାମ କରିଛନ୍ତି। ଏଠାରେ ଯେଉଁ ନାୟିକାଙ୍କ କଥା କୁହାଯାଉଛି ସେ ହେଲେ ଅନିଶା ଦାଶ । ମାତ୍ର ବଡ଼ ପରଦା ପାଇଁ ସେ ଅଳ୍ପ ଚର୍ଚ୍ଚିତା । ଅନିଶାଙ୍କୁ ଦର୍ଶକ ମେଗା ଧାରାବାହିକ ‘ସ୍ୱାଭିମାନ’ ରେ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ । ଏହା ତାଙ୍କୁ ମଧ୍ୟ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା । ଏହି ମେଗା ଧାରାବାହିକରେ ତାଙ୍କ ବିପକ୍ଷରେ ନାୟକ ସାଜିଥିବା ଅଭିନେତା ଶୁଭାଶିଷ ଶର୍ମା ଓରଫ ମଣ୍ଟୁଙ୍କୁ ଅନିଶା ଜୀବନ ସାଥୀ ରୂପେ ବରଣ କରିଥିଲେ ।

ଏବେ କିନ୍ତୁ କୌଣସି ଟେଲି ଧାରାବାହିକରେ ଅଭିନୟ କରୁ ନାହାନ୍ତି ସେ। ସେ ସାର୍ଥକ ଟିଭିରେ ପ୍ରସାରିତ ରିଆଲିଟି ସୋ’ ‘ରଜ କୁଇନ୍‌’ରେ ଜଜ୍‌ ଭାବେ ନଜର ଆସୁଛନ୍ତି। ଏହି ସୋ’ରେ ଅନିଶାଙ୍କ ବ୍ୟତୀତ ଅନୁଭା,ଦୀପକ ଏବଂ ଜ୍ୟୋତିଙ୍କୁ ଦେଖିବାକୁ ମିଳୁଛି ଜଜ୍‌ ଭାବରେ।

ବିବାହ ପୂର୍ବରୁ ଅନିଶା କେବଳ ଗୋଟିଏ ଓଡ଼ିଆ ସିନେମାରେ ଫିମେଲ୍‌ ଲିଡ୍‌ରେ ନଜର ଆସିଥଲେ । ଏଠାରେ ଯେଉଁ ସିନେମା କଥା କୁହାଯାଉଛି ତାହା ହେଲା ୨୦୧୫ରେ ରିଲିଜ୍‌ ହୋଇଥିବା ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ‘ଲଭ ୟୁ ହମେଶା’ । ଏଥିରେ ଅରିନ୍ଦମ୍‌ଙ୍କ ବିପକ୍ଷରେ ନଜର ଆସିଥିଲେ ଅନିଶା । ଏହା ଅବଶ୍ୟ ଭିନ୍ନ କଥା ଯେ ‘ ଲଭ ୟୁ ହମେଶା’ ରେ ଝିଲିକ୍‌ ଥିଲେ ଅନ୍ୟତମ ନାୟିକା । ପ୍ରଥମ ସିନେମାରେ ଅରିନ୍ଦମ୍‌ଙ୍କ ପରି ଟପ୍‌ ହିରୋଙ୍କ ନାୟିକା ହେବା କିଛି କମ୍‌ ବଡ଼ କଥା ନୁହେଁ । ଏଥିରେ ଅନିଶା ଜଣେ ଡାକ୍ତର ଭୂମିକା ନିଭାଇ ଥିଲେ ।

ପ୍ରାୟ ଦୁଇ ବର୍ଷ ପରେ ଅନିଶା ବଡ଼ ପରଦାକୁ ଫେରିଥିଲେ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘କାବୁଲା ବାରବୁଲା’ ରେ । ଏହି ସିନେମାରେ ତାଙ୍କୁ ପ୍ରଥମ ଥର ପାଇଁ ଆଉ ଜଣେ ଟପ ଷ୍ଟାର୍‌ ଅନୁଭବଙ୍କ ସାଥ୍‌ ମିଳିଥିଲା ।

ସଂପ୍ରତି ଅନିଶା ଆଉ ଏକ ଓଡ଼ିଆ ସିନେମାରେ ବି କାମ କରିଛନ୍ତି । ଏହା ହେଲା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ ଓନ୍‌ଲି ପ୍ୟାର୍‌’ । ଏହି ସିନେମାରେ ଅନିଶା ଓଲିଉଡ଼ର ଅନ୍ୟତମ ଲୋକପ୍ରିୟ ନାୟକ ବାବୁସାନ୍‌ଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି ।

ସମ୍ବନ୍ଧିତ ଖବର