‘ଲଭର୍ସ ପଏଣ୍ଟ’ର ନାୟକ ଏବେ କହୁଛନ୍ତି ‘ପାଗଳ ମୁଁ ତୋ’ ପାଇଁ’

ଭୁବନେଶ୍ୱର: ରିଲିଜ୍‌ ଅପେକ୍ଷାରେ ଥିବା ‘ପାଗଳ ମୁଁ ତୋ’ ପାଇଁ’ରେ ଆସୁଛନ୍ତି ଏକ ନୂଆ ଯୋଡି। ଏହି ଯୋଡ଼ି ହେଲେ ନାୟକ ଅଙ୍କିତ ଓ ନାୟିକା ଲଭ୍‌ଲି ଲିଲି। ଅଙ୍କିତ ଆଗରୁ ଅନ୍ୟ ଏକ ଓଡ଼ିଆ ଛବି ‘ଲଭର୍ସ ପଏଣ୍ଟ’ରେ ନାୟକ ଭାବେ ଅଭିନୟ କରୁଥିଲେ,କିନ୍ତୁ ସେହି ସିନେମାଟି ଅଧାରେ ଅଟକି ଯାଇଥିଲା। ତାହା ମୁକ୍ତିଲାଭ କରି ନାହିଁ।
ତେବେ ସେ ଯାହା ହେଉନା କାହିଁକି ଅଙ୍କିତ ‘ପାଗଳ ମୁଁ ତୋ’ ପାଇଁ ’ଜରିଆରେ ଓଲିଉଡ଼୍‍ରେ ଡ଼େବ୍ୟୁ କରୁଛନ୍ତି। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ଦିବଂଗତ ଅଭିନେତ୍ରୀ ଅନୀତା ଦାସ,ମନୋଜ ମିଶ୍ର,ବିଜୁ ବଡ଼ଜେନା,ଲକି,ଡ଼. ଅନନ୍ତ ଆଚାର୍ଯ୍ୟ,ସରୋଜ ଦାସ ଓ ଜୀବନ ପଣ୍ଡା ପ୍ରମୁଖ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।
ଏ ବି ଭିଜୁଆଲ୍‌ ପ୍ରଡ଼କସନ୍‌ସ ପ୍ରାଇଭେଟ୍‌ ଲିମିଟେଡ଼୍‍ ବ୍ୟାନରରେ ନିର୍ମିତ ।ଏହି ଓଡ଼ିଆ ଛବିର ପ୍ରଯୋଜନା କରିଛନ୍ତି ଏନ୍‌.ପାଢ଼ୀ।
ନିର୍ଦ୍ଦେଶକ ଏନ୍‌.ପାଢ଼ୀ ଏହି ଫିଲ୍ମ ଜରିଆରେ ଓଲିଉଡ଼୍‍କୁ ପ୍ରାୟ ଚାରି ବର୍ଷ ବ୍ୟବଧାନରେ ଫେରୁଛନ୍ତି। ତାଙ୍କ ନିର୍ଦ୍ଦେଶିତ ଶେଷ ସିନେମା ଥିଲା ‘ଅ ଆ ହର୍ଷେଇ’। ଏହା ୨୦୧୪ରେ ମୁକ୍ତିଲାଭ କରିଥିଲା।
ନିର୍ଦ୍ଦେଶକ ଏନ୍‌.ପାଢ଼ୀ ତା’ ପୂର୍ବରୁ ‘ଏ ମନ ମାନେନା’,‘ମୁନ୍ନା ଏ ଲଭ୍‌ଷ୍ଟୋରି’,‘ଆରେ ସାଥୀ ଆ’ ଏବଂ ‘ଅ ଆ ହର୍ଷେଈ ’ ଭଳି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ।


ନିର୍ଦ୍ଦେଶକ ଏନ୍‌.ପାଢ଼ୀଙ୍କ ନୂଆ ଓଡ଼ିଆ ସିନେମା ‘ପାଗଳ ମୁଁ ତୋ’ ପାଇଁ’ରେ ଦର୍ଶକ ଏକ ନୂଆ ଯୋଡ଼ିଙ୍କୁ ଦେଖିବାକୁ ପାଇବେ।
‘ପାଗଳ ମୁଁ ତୋ’ ପାଇଁ’ର କାହାଣୀ ଓ ସଂଳାପ ଲେଖିଛନ୍ତି ଆଶୁତୋଷ ବାରିକ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦୀପକ କୁମାର ।ଏହି ସିନେମା ଏବେ ରିଲିଜ୍‌ ଅପେକ୍ଷାରେ ରହିିଛି।

ସମ୍ବନ୍ଧିତ ଖବର