ଓଲିଉଡ୍‌ ନାୟକ ଅଙ୍କିତ କୁମାରଙ୍କୁ ଦର୍ଶକ ଇତିମଧ୍ୟରେ ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଭୋକ’ ଓ ‘ମାୟା ଦର୍ପଣ’, ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଦୃଷ୍ଟିକୋଣ’, ଶୈଳେନ୍ଦ୍ର ପରିଡ଼ାଙ୍କ ନିର୍ଦ୍ଦେଶିତ ‘ସିନ୍ଦୂର’, ସଞ୍ଜୟ ଘୋଷଙ୍କ ନିର୍ଦ୍ଦେଶିତ ‘ପ୍ରତ୍ୟାଘାତ’ ଓ ଅଶ୍ବିନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ‘ଡଟ୍‌ପେନ୍‌’ ଆଦି ଓଡ଼ିଆ ଛବିରେ ଦେଖିସାରିଛନ୍ତି। ଏବେ ବି ତାଙ୍କର ଅଭିନୀତ କେତୋଟି ସିନେମା ମୁକ୍ତି ପ୍ରତୀକ୍ଷାରେ ରହିଛି। ଏଥିମଧ୍ୟରେ ରହିଛି ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ପାଦେ ଆକାଶ’, ପପୁ ରାଉତଙ୍କ ନିର୍ଦ୍ଦେଶିତ ‘ତୋ ବିନା ମୋ ଜୀବନ ଅଧୁରା’, ଭାରତ ପୁଷ୍ପରାଗଙ୍କ ‘ଦର୍ପଣ’ ଏବଂ ଅଭିଷେକଙ୍କ ନିର୍ଦ୍ଦେଶିତ ‘ଜୟହିନ୍ଦ୍‌’।

Advertisment

ହେଲେ ଆପଣ କ’ଣ ଜାଣନ୍ତି କି ଅଙ୍କିତ କୁମାରଙ୍କ କେତୋଟି ଓଡ଼ିଆ ସିନେମା ଅଟକି ରହିଛି? ଏଥିମଧ୍ୟରୁ ପ୍ରଥମଟି ହେଲା ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଛବି ‘ପାଗଳ ମୁଁ ତୋ ପାଇଁ’। ଏନ୍. ପାଢ଼ୀଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଲଭଲି ଲିଲି ଥିଲେ ତାଙ୍କ ନାୟିକା ଭୂମିକାରେ। ଫିଲ୍ମର ସେନ୍‌ସର୍‌ ସରିଥିଲେ ବି ତାହା ଏଯାଏ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିନାହିଁ। ତେଣେ ତାଙ୍କ ଅଭିନୀତ ଅନ୍ୟ ଏକ ସିନେମା ‘ଏସ୍ଏମ୍ଏସ୍’ର ୮୦ ପ୍ରତିଶତ ସୁଟିଂ ସରିଛି, ମାତ୍ର ଅବଶିଷ୍ଟ ସୁଟିଂ ହୋଇପାରି ନ ଥିବା ହେତୁ ପାଖାପାଖି ବର୍ଷେ ହେବ ଅଧାରେ ଅଟକିଛି। ଏହି ସିନେମାର ନିର୍ଦ୍ଦେଶକ ହେଲେ ଏସ୍. କେ. ମୁରଲୀଧରନ୍। ଏଥିରେ ନବାଗତା ପୂଜାଙ୍କୁ ନାୟିକା ଭୂମିକାରେ ନିଆଯାଇଥିଲା। ତେଣେ ବହୁ ବର୍ଷ ହେବ ଅଶ୍ବିନୀ ଗଡ଼ନାୟକଙ୍କ ନିର୍ଦ୍ଦେଶିତ ‘କୃଷ୍ଣଲୀଳା’ ରିଲିଜ୍ ଅପେକ୍ଷାରେ ରହିଛି। ଏଥିରେ ଅମ୍ଳାନଙ୍କ ସହ ଅନ୍ୟତମ ନାୟକ ଭୂମିକାରେ ଥିଲେ ଅଙ୍କିତ କୁମାର।