‘ମଣିକର୍ଣ୍ଣିକା: କ୍ୱିନ୍‌ ଅଫ୍‌ ଝାନ୍‌ସୀ’ରେ ଝଲକାରୀ ବାଈ ଭୂମିକାରେ ଅଙ୍କିତା

ଆସନ୍ତା ବର୍ଷ ଏପ୍ରିଲ୍‌ ଶେଷ ଭାଗରେ ମୁକ୍ତିଲାଭ କରିବ କଙ୍ଗନା ରନୌତଙ୍କ ବହୁ-ଚର୍ଚ୍ଚିତ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା: କ୍ୱିନ୍‌ ଅଫ୍‌ ଝାନ୍‌ସୀ’। ଫିଲ୍ମର କାହାଣୀ ଝାଁସୀର ରାଣୀ ଲକ୍ଷ୍ମୀ ବାଈଙ୍କ ଜୀବନୀ ଉପରେ ଆଧାରିତ। ଏଥିରେ ଲକ୍ଷ୍ମୀ ବାଈ ଭୂମିକାରେ ନିଜେ ଅଭିନୟ କରୁଛନ୍ତି କଙ୍ଗନା ଏବଂ ତାଙ୍କ ମହିଳା ସେନାର ମୁଖ୍ୟ ‘ଝଲକାରୀ ବାଈ’ ଭୂମିକାରେ ଦର୍ଶକେ ଦେଖିବେ ଅଙ୍କିତା ଲୋଖଣ୍ଡେଙ୍କୁ। ଟେଲିଭିଜନ୍‌ ଦୁନିଆରେ ସକ୍ରିୟ ଅଙ୍କିତାଙ୍କର ଏହା ପ୍ରଥମ ଚଳଚ୍ଚିତ୍ର। ‘ଝଲକାରୀ ବାଈ’ ଏକ ଐତିହାସିକ ଚରିତ୍ର। ସେ ବୁନ୍ଦେଲଖଣ୍ଡ ଅଞ୍ଚଳର ମୂଳ ବାସିନ୍ଦା। ‘କୋରୀ’ ନାମକ ଉତ୍ତର ଭାରତୀୟ ଦଳିତ ସଂପ୍ରଦାୟରେ ସେ ଜନ୍ମ ହୋଇଥିଲେ। ସେ ଥିଲେ, ଅପୂର୍ବ ସାହସିନୀ। କୁରାଢ଼ି ଦ୍ୱାରା ଲଢ଼ି, ଏକ ମହାବଳବାଘକୁ ଏବଂ ଠେଙ୍ଗା ଦ୍ୱାରା ଏକ ଚିତାବାଘ ମାରିଥିଲେ। ଲକ୍ଷ୍ମୀ ବାଈଙ୍କ ସେନାର ଜଣେ ସୈନିକ ପୂରନ ସିଂହଙ୍କ ସହ ତାଙ୍କର ବିବାହ ହୋଇଥିଲା ଏବଂ ସେ, ରାଣୀଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଥିଲେ। ସେ ରାଣୀଙ୍କ ନିକଟତମ ପରାମର୍ଶଦାତାଙ୍କ ମଧ୍ୟରେ ଜଣେ ଥିଲେ। ରାଣୀଙ୍କ ଛଦ୍ମବେଶରେ ବ୍ରିଟିସ୍‌ ସେନା ସହ ମୁହାଁମୁହିଁ ଲଢ଼ିଥିଲେ। ବେଶ୍‌ କିଛି ବର୍ଷ ହେଲା ‘ବହୁଜନ ସମାଜ ପାର୍ଟି’ ପକ୍ଷରୁ ତାଙ୍କର ଜନ୍ମ ଓ ଶ୍ରାଦ୍ଧ ଦିବସ ପାଳନ କରାଯାଉଛି।

ସମ୍ବନ୍ଧିତ ଖବର