ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନିଜ ସଂପର୍କରେ ଏକ ବଡ଼ ଘଟଣାର ଖୁଲାସା କରିଛନ୍ତି। ସେ ଗ୍ଲାମର୍ ଇଣ୍ଡଷ୍ଟ୍ରିକୁ ଆସିବା ପରଠାରୁ ଦୁଇ ଥର କାଷ୍ଟିଂ କାଉଚ୍ର ଶିକାର ହୋଇଥିବା କଥା ନିକଟରେ ସ୍ବୀକାର କରିଛନ୍ତି।
ପ୍ରଥମ ଥର ପାଇଁ ତାଙ୍କୁ ୧୯-୨୦ ବର୍ଷ ହୋଇଥିବା ସମୟରେ ସେ କାଷ୍ଟିଂ କାଉଚ୍ର ଶିକାର ହୋଇଥିବା ବେଳେ ଦ୍ବିତୀୟ ଥର ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପରେ ହିଁ ସେ ଏପରି ପରିସ୍ଥିତିର ସାମ୍ନା କରିଥିବା କହିଛନ୍ତି।
ସେ ନିକଟରେ ଏକ ସାକ୍ଷାତ୍କାରରେ କହିଛନ୍ତି କି ପ୍ରଥମ ଘଟଣା ବେଳକୁ ସେ ଖୁବ୍ ସାନ ଥିଲେ। ଏକ ସାଉଥ୍ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ପ୍ରଯୋଜକଙ୍କ ସହ ତାଙ୍କୁ ସାଲିସ୍ କରିବାକୁ କୁହାଯାଇଥିଲା। ମାତ୍ର ସେ ସାନ ଥିଲେ ବି ମୁହଁରେ ରୋକଠୋକ୍ ଜବାବ ଦେଇ ସେଠାରୁ ଫେରି ଆସିଥିଲେ। ପରେ ତାଙ୍କୁ ସେହି ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯେତେ ବୁଝା ଯାଇଥିଲେ ବି ସେ ଆଉ ମାନି ନଥିଲେ।
ଦ୍ବିତୀୟ ଥର ଜଣେ ବଡ଼ ଅଭିନେତାଙ୍କ ଦ୍ବାରା କାଷ୍ଟିଂ କାଉଚ୍ର ଶିକାର ହୋଇଥିଲେ ଅଙ୍କିତା। ସେ କହିଛନ୍ତି କି ‘ଏକ ଚଳଚ୍ଚିତ୍ରରେ ଅଭିନୟ କରିବା ନେଇ ମୁଁ ଅଭିନେତାଙ୍କୁ ଭେଟିଥିଲି। ସେ ଯେଉଁଭଳି ଭାବେ ମୋ ସହ ହାତ ମିଳାଇଥିଲେ ମୁଁ ସେଥିରୁ ତାଙ୍କର ଖରାପ ଉଦେଶ୍ୟ ବୁଝି ପାରିଥିଲି। ସେଠୁ ମଧ୍ୟ ମୁଁ ତୁରନ୍ତ ପଳାଇ ଆସିଥିଲି। ମୁଁ ସେ ବଡ଼ କଳାକାରଙ୍କ ନାମ ନେବାକୁ ଚାହୁଁନାହିଁ।’