ମୁମ୍ବାଇ: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଓ ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନାମରେ ଅଲଗା ହେବା ପରେ ବି ଯୋଡ଼ି ହୋଇଯାଉଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ବି ଲୋକେ ଅଙ୍କିତାଙ୍କ ନାମରେ ତାଙ୍କ ନାମ ଯୋଡ଼ି ଚାଲନ୍ତି। କେବଳ ଲୋକ ନୁହଁନ୍ତି, ନିଜେ ଅଙ୍କିତା ବି ‘ବିଗ୍ବସ୍ ୧୭’ରେ ବାରମ୍ବାର ସୁଶାନ୍ତଙ୍କ ନାମ ନେଇ ଆଲୋଚନାର ପରିସର ଭିତରକୁ ଆସୁଛନ୍ତି।
ଆପଣ ତ ଜାଣନ୍ତି ଯେ ‘ବିଗ୍ ବସ୍’ ହାଉସ୍କୁ ଅଙ୍କିତା ତାଙ୍କ ସ୍ବାମୀ ଭିକି ଜୈନ୍ଙ୍କ ସହ ଯାଇଛନ୍ତି। ତେବେ ଦୁଃଖର କଥା ହେଉଛି ଖେଳରେ ସେମାନେ ଏତେ ବୁଡ଼ି ଯାଉଛନ୍ତି ଯେ ପତି-ପତ୍ନୀଙ୍କ ମଧ୍ୟରେ କିଛି ନା କିଛି କାରଣକୁ ନେଇ ଝଗଡ଼ା ଲାଗିରହୁଛି। ଏହାରି ମଧ୍ୟରେ ଅଙ୍କିତା ବି ବାରମ୍ବାର ସୁଶାନ୍ତଙ୍କୁ ମନେ ପକାଇ ତାଙ୍କ ବିଷୟରେ ଆଲୋଚନା କରୁଛନ୍ତି।
ଯାହାଙ୍କୁ ନେଇ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଅଙ୍କିତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ସେ ଜାଣି ଜାଣି ସୁଶାନ୍ତଙ୍କ ନାମ ନେଇ ସମବେଦନା ପାଇବାକୁ ଚେଷ୍ଟା କରୁଥିବା ବ୍ୟବହାରକାରୀ ଅଭିଯୋଗ ଆଣିଛନ୍ତି। କେହି କେହି ଅଙ୍କିତାଙ୍କ ସମର୍ଥନରେ ବି ବାହାରିଛନ୍ତି। ବ୍ୟବହାରକାରୀମାନେ ସୁଶାନ୍ତଙ୍କ କଥା ଛାଡ଼ି ସ୍ବାମୀ ଉପରେ ଧ୍ୟାନ ଦିଅନ୍ତୁ ବୋଲି ‘ପିବତ୍ର ରିସ୍ତା’ ଫେମ୍ ଅଙ୍କିତାଙ୍କୁ ପରାମର୍ଶ ଦେଇଛନ୍ତି।
ନିକଟରେ ‘ବିଗ୍ ବସ୍ ୧୭’ରେ ମୁନ୍ନାର ଫାରୁକି ଓ ଅଙ୍କିତା ଲୋଖଣ୍ଡେ ଦିବଗଂତ ସୁଶାନ୍ତ ସିଂହ ରାଜପୁତଙ୍କ ବିଷୟରେ କଥା ହଉଥିବାର ଶୁଣିବାକୁ ମିଳିଛି। କଥା ହଉ ହଉ ଅଭିନେତ୍ରୀ ଭାବପ୍ରବଣ ହୋଇ ପଡୁଛନ୍ତି। ଅଙ୍କିତା ପ୍ରଥମ ଥର ପାଇଁ ପ୍ରକାଶ କରିଛନ୍ତି ଯେ ସେ କ’ଣ ପାଇଁ ସୁଶାନ୍ତ ସିଂହଙ୍କ ଅନ୍ତିମ ସଂସ୍କାରକୁ ଯାଇନଥିଲେ। ପ୍ରଥମେ ମୁନ୍ନାର କହୁଥିବାର ଶୁଣିବାକୁ ମିଳୁଛି ଯେ ସେ ସୁଶାନ୍ତଙ୍କ ଫିଲ୍ମ ‘ଏମ୍ ଏସ୍ ଧୋନୀ: ଦ ଅନ୍ଟୋଲ୍ଡ ଷ୍ଟୋରି’ର ସ୍କ୍ରିନିଂ ଦେଖିବାକୁ ଯାଇଥିଲେ। ତାପରେ ଅଙ୍କିତା ସୁଶାନ୍ତଙ୍କୁ ଜଣେ ଭଲ ଲୋକ ଥିଲେ ବୋଲି କହି ପ୍ରଶଂସା କରୁଛନ୍ତି। ସେ ଆହୁରି ବି କହୁଛନ୍ତି ଯେ ସୁଶାନ୍ତଙ୍କ ପାଇଁ ‘ଥିଲେ’ ଶବ୍ଦ ବ୍ୟବହାର କରିବା ଖୁବ୍ ଖରାପ ଲାଗୁଛି।
ସେ ଆହୁରି ବି କହିଛନ୍ତି ଯେ ‘‘ସୁଶାନ୍ତ ଯିବା ପରେ ମୁଁ ପ୍ରଥମ ଥର ପାଇଁ ଅନୁଭବ କରିପାରିଲି ଯେ କାହାର ନରହିବାରେ କ’ଣ ହୁଏ। ଏପରି ପ୍ରଥମ ଥର ହେଲା ଯେ ମୋର କେହି ନିକଟତର ଲୋକ ଦୁନିଆ ଛାଡ଼ିକି ଗଲେ’’। ଶେଷରେ ସେ କହୁଛନ୍ତି ଯେ ସୁଶାନ୍ତଙ୍କୁ ଶେଷ ଅବସ୍ଥାରେ ସେ ଦେଖିପାରିବେ ନାହିଁ ବୋଲି ତାଙ୍କ ଅନ୍ତିମ ସଂସ୍କାରକୁ ଯାଇନଥିଲେ।