ଜୀବନର ଅନ୍ୟ ନାମ ପରିବର୍ତ୍ତନ : ‘ନାଗିନ୍‌: ବସନ୍ତ ପଞ୍ଚମୀ’ ଓ ‘କୁମକୁମ୍‌ ଭାଗ୍ୟ’ ଦେଇଛି ନିଆରା ପରିଚୟ

ଜୀବନରେ ପରିବର୍ତ୍ତନକୁ ସାଦରେ ଗ୍ରହଣ କରି ନିଜେ କରୁଥିବା କାର୍ଯ୍ୟ ପ୍ରତି ନିଷ୍ଠା ରହିଲେ ସଫଳତାର ପାହାଚ ଚଢ଼ିବା କିପରି ସହଜ ହୋଇଥାଏ, ତାହା ପ୍ରମାଣ କରିଛନ୍ତି ଅଭିନେତ୍ରୀ ଅଦା ଖାଁ। ଅଭିନୟକୁ କେବେ ପେସା କରିବାର ସ୍ବପ୍ନ ବି ଦେଖିନଥିବା ଅଦା ଏବେ ଅନ୍ୟତମ ବ୍ୟସ୍ତ ଟିଭି ତାରକାର ମାନ୍ୟତା ଲାଭ କରିଛନ୍ତି। ଏ ଯାବତ୍‌ ଯଦିଓ କୌଣସି ଫିଲ୍ମରେ ସେ ଦେଖା ଦେଇନାହାନ୍ତି, ତେବେ ୪୦ରୁ ଅଧିକ ଟିଭି ଧାରାବାହିକରେ ତାଙ୍କର ପ୍ରଭାବୀ ଉପସ୍ଥିତି ହିଁ ତାଙ୍କ ଦକ୍ଷତାର ପରିମାପକ। ଧାରାବାହିକରେ ବଳିଷ୍ଠ ଅଭିନୟ ପାଇଁ ସେ ଚାରି ଥର ଜାତୀୟ ସ୍ତରର ପୁରସ୍କାର ହାସଲ କରିବା ମଧ୍ୟ ତାଙ୍କ ପରିପକ୍ବ ଅଭିନୟର ପ୍ରମାଣ। ମାୟାନଗରୀ ମୁମ୍ବାଇରେ ୧୯୮୯ ମେ ୧୨ ତାରିଖରେ ଏକ ରକ୍ଷଣଶୀଳ ମୁସଲମାନ ପରିବାରରେ ଜନ୍ମିତା ଅଦା ପିଲାଟି ଦିନରୁ ବେଶ ମୁକ୍ତ ଭାବରେ ଜୀବନ ନିର୍ବାହ କରିଥିଲେ। ପ୍ରଥମେ ଏକ କଲ୍‌ ସେଣ୍ଟରରେ ନିଜର ପେସାଗତ ଜୀବନ ଆରମ୍ଭ କରି ପରେ ବିଜ୍ଞାପନ ମଡେଲିଂରେ ନିଜକୁ ସୀମିତ ରଖିବାକୁ ଚାହୁଥିବା ଅଦା ଏକ ଭିନ୍ନ ପରିସ୍ଥିତିରେ ଅଭିନୟ ଜଗତ୍‌କୁ ଟାଣି ହୋଇ ଆସିଥିଲେ।

ତାଙ୍କର ସୁଠାମ ଚେହେରା ଓ କୁହୁକଭରା ଆଖି, ଏକ ହୋଟେଲରେ ଜଣେ ପ୍ରଯୋଜକଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ବାସ୍‌, ତା’ପରେ ଅଦାଙ୍କର ବ୍ୟସ୍ତବହୁଳ ଅଭିନୟ ଜୀବନ ଆରମ୍ଭ ହୋଇଯାଇଥିଲା। ୨୦୧୦ରେ ସୋନି ଟିଭିର ଧାରାବାହିକ ‘ପାଲାମପୁର ଏକ୍ସପ୍ରେସ’ରେ ସେ ପ୍ରଥମ ପଦାର୍ପଣ କରିଥିଲେ। ପରେ ପରେ ଷ୍ଟାର ପ୍ଲସ୍‌ର ‘ବେହେନେଁ’ ଧାରାବାହିକରେ ଏକ ପ୍ରମୁଖ ଭୂମିକା ପାଇ ସେ ତାଙ୍କ ଲୋକପ୍ରିୟତାକୁ ଆଗେଇ ନେଇଥିଲେ। ବିଭିନ୍ନ ଟିଭି ଚ୍ୟାନେଲ୍‌ରେ ପ୍ରସାରିତ ଧାରାବାହିକରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ଏଥି ସହିତ ‘ବାଜି ମେହେମାନ ନଵାଜ କି’, ‘ବକ୍ସ କ୍ରିକେଟ୍‌ ଲିଗ୍‌’, ‘କମେଡି ନାଇଟ୍‌ସ ବଚାଓ’ ଓ ‘ଫିଅର ଫାକ୍ଟର: ଖତରୋଁ କେ ଖିଲାଡ଼ି’ ଆଦି ବାସ୍ତବଧର୍ମୀ ଧାରାବାହିକରେ ପ୍ରତିଯୋଗୀ ସାଜି ସେ ଦର୍ଶକମାନଙ୍କର ଆହୁରି ନିକଟତର ହୋଇପାରିଥିଲେ। ତେବେ ମହାମାରୀ ଉପଦ୍ରବ ବେଳର ମାନ୍ଦାବସ୍ଥା ବେଳେ ଭିନ୍ନ କିଛି ପେସା ଆପଣେଇବାକୁ ମଧ୍ୟ ସେ ମାନସିକ ପ୍ରସ୍ତୁତି ଚଳାଇଥିଲେ। ଓଟିଟି ମଞ୍ଚ ପାଇଁ କେବଳ ଫିଲ୍ମ ତାରକାଙ୍କୁ ପ୍ରାଧାନ୍ୟ ଦିଆଯାଉଥିବାରୁ ସେ ଦୃଷ୍ଟିରୁ ନିଜକୁ ସେ ଦୁର୍ବଳ ବୋଲି ଭାବିଥିଲେ। ତେବେ ପରିସ୍ଥିତି ସୁଧୁରିବା ପରେ ସେ ପୁଣି ତାଙ୍କର ଯାଦୁ ପରଷିବାରେ ସକ୍ଷମ ହୋଇଛନ୍ତି। ଏପରିକି ଚଳିତ ବର୍ଷ ପ୍ରସାରିତ ହୋଇଥିବା ‘ନାଗିନ୍‌: ବସନ୍ତ ପଞ୍ଚମୀ’ ଓ ‘କୁମକୁମ୍‌ ଭାଗ୍ୟ’ ପରି ଧାରାବାହିକରେ ମଧ୍ୟ ତାଙ୍କର ନିଆରା ଅଭିନୟ ସମସ୍ତଙ୍କୁ ମୁଗ୍‌ଧ କରିପାରିଛି।

ସମ୍ବନ୍ଧିତ ଖବର