ମୁକ୍ତିଲାଭ ଅପେକ୍ଷାରେ ଆଉ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର ଯାହାର ନାଁ ରହିଛି ‘କହିବିନି ତତେ ଆଇ ଲଭ ୟୁ’। ଏକ ତାରକା ହୋଟେଲ ପରିସରରେ ଏହି ଚଳଚ୍ଚିତ୍ରର ଅଡିଓ ରିଲିଜ୍ ହୋଇଛି। ତିତିଲୀ ପ୍ରଡକ୍ସନ୍ ଓ ଏଲ-ଟି ପ୍ରଡକ୍ସନ୍ ବ୍ୟାନର୍ ସହଯୋଗରେ ନିର୍ମିତ ଏହି ନୂଆ ଓଡ଼ିଆ ସିନେମାଟି ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି। ଏଥିସହିତ ଏହି ବ୍ୟାନର୍ରେ ଆଉ ଏକ ନୂଆ ଚଳଚ୍ଚିତ୍ରର ନାଁ ମଧ୍ୟ ଘୋଷଣା କରାଯାଇଛି। ଏହି ନୂଆ ଚଳଚ୍ଚିତ୍ରର ନାମ ରହିଛି ‘ମୋ କାହାଣୀରେ ତୋଅରି ନାଁ’। ଆଲ୍ବମ୍ ଓ ମ୍ୟୁଜିକ୍ ଭିଡିଓ ଦୁନିଆର ଚର୍ଚ୍ଚିତ କୋରିଓଗ୍ରାଫର ଯୋଡ଼ି ଲୁବୁନ୍-ଟୁବୁନ୍ ଏଥର ବଡ଼ ପରଦାରେ କମାଲ କରିବାକୁ ଯାଉଛନ୍ତି।
‘କହିବିନି ତତେ ଆଇ ଲଭ ୟୁ’ର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍-ଟୁବୁନ୍। ପ୍ରୀତିଶ ମହାନ୍ତି ଏହାର କାହାଣୀ ଲେଖିବା ସହ ପ୍ରଯୋଜନା ମଧ୍ୟ କରିଛନ୍ତି। ଏଥିରେ ବାପୁ ଗୋସ୍ୱାମୀ ସଂଳାପ ରଚନା କରିଛନ୍ତି। ବାପୁ ଗୋସ୍ୱାମୀ ଓ ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ହ୍ୟୁମାନ ସାଗର, ଅର୍ପିତା ଚୌଧୁରୀ ଓ ଦିପ୍ତୀରେଖା ପାଢ଼ୀ ପ୍ରମୁଖ କଣ୍ଠଦାନ କରିଛନ୍ତି। ଗୀତଗୁଡ଼ିକ କଟକର ମିଲନ ଷ୍ଟୁଡିଓରେ ରେକର୍ଡ କରାଯାଇଛି। ସିନେମାରେ କୋରିଓଗ୍ରାଫି ଲୁବୁନ୍-ଟୁବୁନ୍ କରିଥିବା ବେଳେ ଓଡ଼ିଆ ଏଣ୍ଟର୍ଟେନ୍ମେଣ୍ଟ୍ ଏହାର ଡିଜିଟାଲ ପାର୍ଟନର ରହିଛି।
ଲୁବୁନ୍ଙ୍କୁ ଏଥିରେ ନାୟକ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ମୁମ୍ବାଇର ସୋନା। ଅନ୍ୟମାନଙ୍କ ମଧ୍ୟରେ ମନସ୍ୱିନୀ, ଅର୍ପିତା କର, ରିସନା, ସରୋଜ ଦାସ, ପ୍ରଭାତୀ ସାହୁ, ଅଶୋକ ଦାସ, ପୁଷ୍ପା ପଣ୍ଡା, ଟନିଆ, ମିଲି ମହାନ୍ତି, ଡିସ୍କୋ ରେଡି, ସନ୍ଦୀପ, ଚିକୁ, କାଳିଆ, ନନସେନ୍ସ ମଣି, ରବି, ଅମର, ଗୁଡୁ, ଅଜୟ ଓ ବିଜୟ ପ୍ରମୁଖ ଅଭିନୟ କରିଛନ୍ତି। ଏଲ୍ଟି ଷ୍ଟୁଡିଓ ଇକ୍ୟୁପ୍ମେଣ୍ଟ୍ସ ଯୋଗାଇ ଦେଇଥିବା ବେଳେ ସେହିଠାରେ ହିଁ ପୋଷ୍ଟ ପ୍ରଡକ୍ସନ୍ କରାଯାଇଛି।