ରାଜକୁମାର ରାଓ ଲଗାତାର ଗୋଟିଏ ପରେ ଗୋଟିଏ ସିନେମାରେ ଛୋଟ ସହରର ହାସ୍ୟରସଧର୍ମୀ ଚରିତ୍ରରେ ଅଭିନୟ କରି ତାଙ୍କ ବହୁମୁଖୀ ପ୍ରତିଭାକୁ ଏକପ୍ରକାର ଦର୍ଶକଙ୍କ ମନରୁ ଭୁଲାଇ ଦେଇଥିଲେ। ତେଣୁ ‘ଗ୍ୟାଙ୍ଗ୍ସ ଅଫ୍ ୱାସେପୁର’, ‘କାଇ ପୋ ଚେ’, ‘ଶାହିଦ’, ‘ଟ୍ରାପ୍ଡ’ ଆଦି ଚଳଚ୍ଚିତ୍ରରେ ତାଙ୍କ ଈର୍ଷଣୀୟ ନିପୁଣତାକୁ ମନେ ରଖିଥିବା ସିନେପ୍ରେମୀଙ୍କୁ ‘ମାଲିକ’ ସିନେମାର ଟ୍ରେଲର୍ ଉତ୍ସାହିତ କରିବା ସୁନିଶ୍ଚିତ। ତେବେ ସିନେମାଟି ଦେଖିବା ପରେ ଏହା ସ୍ପଷ୍ଟ ଯେ ପୁଲକିତଙ୍କ କାହାଣୀ ଓ ନିର୍ଦେଶନା ଅଭିନେତାମାନଙ୍କ ପ୍ରତିଭାକୁ କେବଳ ଅବହେଳା କରିଛି ତାହା ନୁହେଁ, ଏହାର ଚର୍ବିତଚର୍ବଣ ଚିତ୍ରନାଟ୍ୟ ମନକୁ ରୋମାଞ୍ଚ ଓ ଉଦ୍ଦୀପନାରେ ଭରି ପାରିନାହିଁ, ଯାହା ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ରରୁ ଦର୍ଶକମାନେ ଆଶା କରିଥାନ୍ତି।
‘ମାଲିକ’ର ସବୁଠାରୁ ପ୍ରଶଂସନୀୟ ଦିଗ ହେଉଛି ଉତ୍ତର ପ୍ରଦେଶରେ ୧୯୯୦ ଦଶକର ଗ୍ୟାଙ୍ଗଷ୍ଟର ଦୌରାତ୍ମ୍ୟକୁ ଏହା ବାସ୍ତବିକ ଢଙ୍ଗରେ ଦେଖାଇଛି। ସେବେ ସେଠାରେ ଦିବାଲୋକରେ ହତ୍ୟାକାଣ୍ଡ ହେବା ଅତି ସାଧାରଣ ଘଟଣା ଥିଲା। ପୁଣି ଏନକାଉଣ୍ଟର ସ୍ପେସାଲିଷ୍ଟ ପୁଲିସ ଅଧିକାରୀମାନଙ୍କ ଆଚରଣ ନାୟକ-ଖଳନାୟକ ଭିତରେ ଥିବା ବିଭାଜନ ରେଖାକୁ ଏକପ୍ରକାର ଲିଭାଇଦେଉଥିଲା। ସେହିପରି ନବମ ଦଶକର ଚିତ୍ରଣରେ ସେଟ୍ ଡିଜାଇନର୍ ଓ ସିନେମାଟୋଗ୍ରାଫରଙ୍କ କାର୍ଯ୍ୟ ପ୍ରଶଂସନୀୟ। ଗୁଣ୍ଡା-ରାଜନେତା-ପୁଲିସ ମଧ୍ୟରେ ଛକାପଞ୍ଝାର ଏହି କାହାଣୀଟିକୁ ‘ଗ୍ୟାଙ୍ଗ୍ସ ଅଫ୍ ଵାସେପୁର’ ଭଳି ରୋଚକ କରିବା ଲାଗି ନିର୍ଣ୍ଣାୟକ ଦୃଶ୍ୟରୁ ସିନେମାଟି ଆରମ୍ଭ ହେଉଛି ଏବଂ ‘ଫ୍ଲାସ୍ବ୍ୟାକ୍’ ଜରିଆରେ ପୂରା କାହାଣୀ ପ୍ରଦର୍ଶିତ ହେଉଛି। ସାଧାରଣ ଚାଷୀ ପରିବାରରେ ଜନ୍ମିତ ଦୀପକ (ରାଜକୁମାର ରାଓ) କିପରି ‘ମାଲିକ’ ହେବାର ମହତ୍ତ୍ବାକାଂକ୍ଷା ପୋଷଣ କରୁଛି ଏବଂ ସେଥିପାଇଁ ଗ୍ୟାଙ୍ଗଷ୍ଟର ହେବାର ପଥ ବାଛିନେଉଛି, ତାହା ଏହି କାହାଣୀ କେନ୍ଦ୍ରରେ ବିଦ୍ୟମାନ। ତେବେ ଏହାର ବିଭିନ୍ନ ଦୃଶ୍ୟ କିପରି ଅପରିପକ୍ବ, ତାହାର ଏକ ଉଦାହରଣ କଲେଜରେ ଫୁଟ୍ବଲ୍ ଖେଳର ହାସ୍ୟାସ୍ପଦ ଚିତ୍ରନାଟ୍ୟ। ଯେଉଁ କେତେକ ମୁହୂର୍ତ୍ତରେ ରାଜକୁମାରଙ୍କ ଉତ୍କୃଷ୍ଟ ଅଭିନୟ ଧ୍ୟାନ ଆକର୍ଷଣ କରୁଛି ସେଠାରେ ଦୁର୍ବଳ ପ୍ରତିପକ୍ଷ ଅଥବା ବେଖାପ ପୃଷ୍ଠଭୂମି ସଂଗୀତ ଧ୍ୟାନଭଙ୍ଗ କରିଦେଉଛି। ‘ମାଲିକ’ର ସ୍ତ୍ରୀ ଶାଲିନୀ ଚରିତ୍ରରେ ମାନୁଷୀ ଛିଲ୍ଲର ତାଙ୍କ କ୍ୟାରିଅର୍ର ଶ୍ରେଷ୍ଠ ଅଭିନୟ ପ୍ରଦର୍ଶନ କରିଛନ୍ତି ବୋଲି କହିହେବ। କିନ୍ତୁ ଏହି ଦମ୍ପତିଙ୍କ ସମ୍ପର୍କକୁ ନେଇ କାହାଣୀରେ ଯେଉଁ ଭାବପ୍ରବଣତା ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଛି ତାହା ସଠିକ୍ ଭାବେ ରୂପାୟିତ ହୋଇନାହିଁ। ସବୁ ଚରିତ୍ର ମଧ୍ୟରୁ ବିଧାୟକ ଭୂମିକାରେ ଗୀତିକାର ସ୍ବାନନ୍ଦ କିରକିରେ ଓ ମନ୍ତ୍ରୀ ଭୂମିକାରେ ସୌରଭ ଶୁକ୍ଳଙ୍କ ଅଭିନୟ ସବୁଠୁ ଚିତ୍ତାକର୍ଷକ।
ଚଳଚ୍ଚିତ୍ରର ତିନିଟି ଗୀତ ମଧ୍ୟରୁ ‘ନାମୁମକିନ’ ଶୁଣିବାକୁ ଭଲ ଲାଗୁଥିଲେ ହେଁ କୌଣସି ଗୀତ କାହାଣୀରେ ଭୂମିକା ଗ୍ରହଣ କରିନାହିଁ। ବରଂ ଗୀତଗୁଡ଼ିକ ଅଯଥାରେ କାହାଣୀର ଗତିଶୀଳତାକୁ ବାଧା ଦେଉଥିବା ଭଳି ମନେ ହେଲା। ପ୍ରାୟ ଅଢ଼େଇଘଣ୍ଟା ଦୀର୍ଘ ଏହି ସିନେମାର ଶେଷ ଭାଗଟି ସବୁଠାରୁ ବିବ୍ରତକର, କାରଣ ଏଥିରେ ଅଭିନୀତ ଘଟଣାକ୍ରମ ଉପରେ ବିଶ୍ବାସ କରିବା ପାଖାପାଖି ଅସମ୍ଭବ। ରାଜକୁମାରଙ୍କୁ ଗ୍ୟାଙ୍ଗଷ୍ଟର ଚରିତ୍ରରେ ଦେଖିବାର କ୍ଷୁଧା ତୃପ୍ତ କରିବା ଛଡ଼ା ଅନ୍ୟ କୌଣସି କାରଣ ପାଇଁ ଏହି ସିନେମା ଦେଖିବା ପାଇଁ ସୁପାରିସ କରିବା ଭୁଲ୍ ହେବ।