ବଲିଉଡ୍‌ରେ ଆଉ ଜଣେ ତାରକା କନ୍ୟା, ତିଷ୍ଠିବେ କି ଶନାୟା?

ଚଳଚ୍ଚିତ୍ର ତାରକାଙ୍କ ପରିବାରରେ ଜନ୍ମିତା ଶନାୟା କପୁର ଖୁବ୍ ଶୀଘ୍ର ବଲିଉଡ୍‌ ଦୁନିଆରେ ପ୍ରବେଶ କରିବାକୁ ଯାଉଛନ୍ତି। ତାରକାମାନଙ୍କ ସନ୍ତାନସନ୍ତତିଙ୍କୁ ପ୍ରଥମ ସୁଯୋଗ ଦେଇଆସୁଥିବା ପ୍ରଯୋଜକ କରଣ ଜୋହର ଶନାୟାଙ୍କୁ ବଲିଉଡ୍‌ ପଦାର୍ପଣ କରାଇବେ ବୋଲି ଜଣାପଡ଼ିଛି। ‘ବେଧଡ଼କ’ ଶୀର୍ଷକ ଉକ୍ତ ଚଳଚ୍ଚିତ୍ରରେ ଶନାୟାଙ୍କ ସହ ନାୟକ ଭାବେ ଗୁରଫତେହ ପିରଜାଦା ଓ ଲକ୍ଷ ଲାଲଵାନୀ ଅଭିନୟ କରିବେ। ଶନାୟା ଏକ ସାକ୍ଷାତକାରରେ କହିଛନ୍ତି ଯେ ବଲିଉଡ୍‌ ପ୍ରବେଶ ନେଇ ସେ ଉଭୟ ବ୍ୟଗ୍ର ଓ ଉତ୍ସାହିତ ଅଛନ୍ତି। ବ୍ୟଗ୍ରତାର କାରଣ ହେଲା, ସେ ଏହାକୁ କେବଳ ନିଜର ପ୍ରଥମ ଚଳଚ୍ଚିତ୍ର ରୂପେ ଦେଖୁନାହାନ୍ତି, ବରଂ ଏକ ସୁଦୀର୍ଘ କ୍ୟାରିୟର୍‌ର ଅଂଶବିଶେଷ ଭାବେ ବିଚାରୁଛନ୍ତି। ତେଣୁ ନିଜର ପ୍ରଦର୍ଶନକୁ ନେଇ ସେ ଚିନ୍ତିତ ହେବା ସ୍ବାଭାବିକ କଥା। ୨୨ ବର୍ଷୀୟା ଶନାୟା ହେଉଛନ୍ତି ଅଭିନେତା ସଞ୍ଜୟ କପୁର ଓ ମାହୀପ କପୁରଙ୍କ କନ୍ୟା। ତାଙ୍କ କହିବା ଅନୁଯାୟୀ, ପିଲାବେଳୁ ବଲିଉଡ୍‌ରେ କାମ କରିବା ତାଙ୍କର ସ୍ବପ୍ନ ଥିଲା। ‘ବେଧଡ଼କ’ ଭଳି ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିବାରୁ ସେ ଅତ୍ୟନ୍ତ କୃତଜ୍ଞ।

ସେ ନିଜ ପ୍ରଦର୍ଶନ ଦ୍ବାରା ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି ଯେ ଏହି ସୁଯୋଗକୁ ସେ ହାଲୁକା ଭାବେ ନେଇନାହାନ୍ତି। ତେଣୁ ତାଙ୍କର କଠିନ ପରିଶ୍ରମକୁ ଲୋକେ ପସନ୍ଦ କରନ୍ତୁ ବୋଲି ସେ ଅଭିଳାଷ ରଖିଛନ୍ତି। କିଛି ବର୍ଷ ହେଲା ବଲିଉଡ୍‌ରେ ପରିବାରବାଦ ପ୍ରସଙ୍ଗ ଯେଉଁଭଳି ଭାବେ ଏକ ଝଡ଼ର ରୂପ ନେଇଛି ସେଥିପାଇଁ ବଲିଉଡ୍‌ର ବ୍ୟବସାୟ ଓ ପ୍ରଭାବ ମୂଳରୁ ଦୋହଲିଯାଇଛି କହିଲେ ଭୁଲ୍ ହେବ ନାହିଁ। ଏଭଳି ସମୟରେ ଦୀର୍ଘ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା ଆଉ ଜଣେ ତାରକା କନ୍ୟାଙ୍କୁ ଦର୍ଶକମାନେ ଗ୍ରହଣ କରିବା କାଠିକର ପାଠ ନିଶ୍ଚୟ। ତଥାପି ଶନାୟା ଯଦି ବାସ୍ତବରେ ଦକ୍ଷତାସମ୍ପନ୍ନ ହୋଇଥାନ୍ତି ତେବେ ପରିବାରବାଦର ଛାପ ସତ୍ତ୍ବେ ସେ ତିଷ୍ଠିରହି ନିଜ ଲାଗି ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିବେ। ଏମିତି ବି ବଲିଉଡ୍‌ରେ ପାଦ ରଖିବା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ତାଙ୍କର ଲକ୍ଷାଧିକ ପ୍ରଶଂସକ ହୋଇସାରିଛନ୍ତି। ବଡ଼ ପରଦାରେ ଆବିର୍ଭାବ ପୂର୍ବରୁ ବାସ୍ତବଧର୍ମୀ ୱେବ୍ ଧାରାବାହିକ ‘ଫାବ୍ୟୁଲସ୍‌ ଲାଇଭ୍‌ସ ଅଫ ବଲିଉଡ୍‌ ଵାଇଭ୍‌ସ’ରେ ମାଆଙ୍କ ସହିତ ଶନାୟାଙ୍କ ଝଲକ ଦେଖିବାକୁ ମିଳିସାରିଛି।

ସମ୍ବନ୍ଧିତ ଖବର