ବିଶେଷକରି ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ଆକୃଷ୍ଟ ହେଇଥିବା ଅନସୂୟା ନାଥ ଦୃଷ୍ଟିହୀନ ସଙ୍ଗୀତ ଗୁରୁ ସ୍ବର୍ଗତ ଭକ୍ତବଲ୍ଲଭ ପୃଷ୍ଟିଙ୍କଠାରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିଖିଥିଲେ। ଗୁରୁ କହିଥିଲେ, ଜୀବନରେ କେବେ କୌଣସି କାମକୁ ଡରିଯିବ ନାହିଁ। ଅନସୂୟା ଏକଦା ଗୁରୁଙ୍କର ଅନୁମତି ନେଇ ସଙ୍ଗୀତକାର ସରୋଜ ନନ୍ଦଙ୍କ ନିକଟକୁ ଯାଇଥିଲେ। ସେ ସଙ୍ଗୀତର ବିଶାଳ ସାମ୍ରାଜ୍ୟ ସହ ପରିଚିତ କରାଇଥିଲେ। ଯଦିଓ ସରୋଜ ନନ୍ଦଙ୍କ ସ୍ବର ସଂଯୋଜନାରେ ‘ଝିଅ ଜନମ ପରଘରକୁ’ କଣ୍ଠଶିଳ୍ପୀ ଅନସୂୟା ନାଥଙ୍କୁ ସଫଳତା ଦେଇଥିଲା, ହେଲେ ସ୍ବାମୀ ଅରୂପାନନ୍ଦଙ୍କ ରଚିତ ‘ଧନମାଳିରେ ସୁନାଥାଳିରେ ତତେ ଗେହ୍ଲ କରିବାକୁ ମନ’ ତାଙ୍କୁ ପରିଚିତ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏଇ ଗୀତ ଶୁଣିବା ପରେ ଗୁରୁଜନମାନେ ତାଙ୍କୁ ‘ଧନମାଳି’ ବୋଲି ସମ୍ବୋଧନ କଲେ। ପରେ ‘ଆରେ ମୋ ସୁନାଧନ’, ‘ମୋ ଆଖି ନରେନ୍ଦ୍ରେ ଗାଧୋଇ ଦେବିରେ’, ‘ତୁ ଗଲାଦିନୁ ବଇଁଶୀ ବାଜିନି ଆଉ’; ଏମିତି ଅନେକ। ସଙ୍ଗୀତ ଗୁରୁଙ୍କ ସହ ତାଙ୍କ ଗଣିତ ଗୁରୁ ପ୍ରଫେସର ଗୋକୁଳାନନ୍ଦ ଦାସଙ୍କର ଅବଦାନ ମଧ୍ୟ ଚିରସ୍ମରଣୀୟ। ଆଜି ଅନସୂୟା ଯେଉଁଠି ଠିଆ ହେଇଛନ୍ତି, ତାହା ତାଙ୍କ ବାପା, ମା’ଙ୍କ ଆଶୀର୍ବାଦ ଓ ପରିବାରର ସମସ୍ତଙ୍କ ଭଲ ପାଇବା ଯୋଗୁଁ ସମ୍ଭବ ହୋଇଛି। କେତେ ବାଟ ଆଗକୁ ଯିବେ, ତାହା ସେଇ ନୀଳ କଳେବର ନୀଳଜହ୍ନଙ୍କୁ ଜଣା। ଆଜି ମଧ୍ୟ ସେ କରୁଣାମୟ କାଳିଆ ଠାକୁରଙ୍କ କରୁଣା ଭିକ୍ଷା କରୁଛନ୍ତି।