ବଡ଼ ପରଦାରେ ପ୍ରଥମ ଥର ପାଇଁ ଆଣ୍ଟି ହିରୋଇନ୍ ଭୂମିକାରେ ନଜର ଆସିବେ ନାୟିକା ଅଙ୍କିତା ଦାଶ। ସେ ଲୁବୁନ୍-ଟୁବୁନ୍ଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ସିନେମା ‘ବାସ୍ତବ’ରେ ସଂପୂର୍ଣ୍ଣ ଭିନ୍ନ ଧରଣର ଭୂମିକାରେ ଅଭିନୟ କରୁଛନ୍ତି। ଅଙ୍କିତାଙ୍କ କହିବା ଅନୁଯାୟୀ, ସସ୍ପେନ୍ସ ଥ୍ରିଲର୍ ‘ବାସ୍ତବ’ରେ ତାଙ୍କ ଅଭିନୀତ ଚରିତ୍ରର ବିଭିନ୍ନ ସେଡ୍ ରହିଛି। କାହାଣୀରେ ପ୍ରେମ, ଆବେଗ ଓ ରୋମାନ୍ସ ଅଛି। ଆଣ୍ଟି ହିରୋଇନ୍ ଚରିତ୍ର ନିଭାଇବା ତାଙ୍କ ଲାଗି କଷ୍ଟକର ବୋଲି ସେ କହନ୍ତି।
‘ବାସ୍ତବ’ରେ ଅଙ୍କିତାଙ୍କୁ ନୂଆ ନାୟକ ତୁଷାର ବେଦୀଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ତୁଷାର ଅନେକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଛନ୍ତି। ଏହାଛଡ଼ା ସେ ହିନ୍ଦୀ ସିନେମା ‘ଆନିମଲ୍’ରେ ନାୟକ ରଣବୀର କପୁର୍ଙ୍କ ସାଙ୍ଗ ଭୂମିକାରେ ନଜର ଆସିଥିଲେ। ତୁଷାର-ଅଙ୍କିତା ଯୋଡ଼ିଙ୍କ ବ୍ୟତୀତ ଏଥିରେ ତପି ମିଶ୍ର, ମିଟୁ ମିଥୁନ୍ ଓ ପ୍ରତିଭା ପଣ୍ଡା ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ବଦ୍ରି ନାରାୟଣ ପଟ୍ଟନାୟକ ଏହାର ପ୍ରଯୋଜକ ଓ ବୈଦ୍ୟନାଥ ଦାସ ସଙ୍ଗୀତକାର।
ସୂଚନାଯୋଗ୍ୟ, ଅଙ୍କିତା ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ‘ମିଠା ମିଠା’ ଜରିଆରେ ନାୟିକା ଭାବେ ଓଲିଉଡ୍ରେ କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କୁ ଦର୍ଶକ ଗତବର୍ଷ ‘ପ୍ରେମୀ ଆୱାରା’, ‘ଖୋକା ଭାଇ ତମ ପାଇଁ’ ଓ ‘ମୋ କାହାଣୀରେ ତୋରି ନାଆଁ’ରେ ଦେଖିବାକୁ ପାଇଥିଲେ। ତେଣେ ପୂର୍ବରୁ ସେ ‘ମନ ଖାଲି ତତେ ଚାହେଁ’, ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’ରେ ମଧ୍ୟ ଅଭିନୟ କରିଥିଲେ।