ଏହି ନାୟିକାଙ୍କ ସହ କାମ କରିବା ବେଳେ ଛାନିଆ ହେଇପଡ଼ିଥିଲେ ଭୂମିକା

ଅତୀତରେ ‘ସ୍ୱପ୍ନସାଗର’ରେ ଅନୀତା-ମହାଶ୍ୱେତା, ‘ଜୋର୍‌ ଯା’ର ମୂଲକ ତା’ର’ରେ ଅପରାଜିତା-ବୈଶାଳୀଙ୍କୁ ଏକାଠି ପ୍ରଭାବଶାଳୀ ଭୂମିକାରେ ଦେଖିବାକୁ ମିଳିଥିଲା। ସେମିତି ‘ପ୍ରେମ ଋତୁ ଆସିଲା’ରେ ଅନୁ-ନମ୍ରତା ଏବଂ ‘ଟୋପାଏ ସିନ୍ଦୂର ଦି’ଟୋପା ଲୁହ’, ‘ବାବୁ ଆଇ ଲଭ ୟୁ’ରେ ଅନୁ-ବର୍ଷା ଏବଂ ‘ଆଲୋ ମୋର କଣ୍ଢେଇ’ରେ ଅର୍ଚ୍ଚିତା-ପ୍ରିୟାଙ୍କୁ ଯୋଡ଼ି ଭାବେ ଦେଖିବାକୁ ମିଳିଥିଲା। ଏମିତିରେ ଆଉ କିଛି ସିନେମାରେ ମଧ୍ୟ ଦୁଇରୁ ଅଧିକ ନାୟିକାଙ୍କୁ ଦେଖିବାକୁ ମିଳିଛି ହେଲେ ସେମାନଙ୍କୁ ସମ-ଗୁରୁତ୍ୱ ଭୂମିକାରେ ଦେଖିବାକୁ ମିଳିନାହିଁ।

ଏଇ କିଛିଦିନ ହେବ ଓଲିଉଡ୍‌ରେ ଏଭଳି ଟ୍ରେଣ୍ଡ ପୁଣି ଆରମ୍ଭ ହେଇଛି। ପୂର୍ବରୁ ନିର୍ମାଣ ହେଇଥିଲେ ମଧ୍ୟ ଏଯାଏ ମୁକ୍ତିଲାଭ କରି ନ ଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ନାୟକ ନାଁ ଦେବଦାସ’ରେ ସିନିୟର ଆକ୍ଟ୍ରେସ୍‌ ଅନୁ ଚୌଧୁରୀ ଚନ୍ଦ୍ରମୁଖୀ ଭୂମିକାରେ ଅବତୀର୍ଣ୍ଣ ହେଇଥିବା ବେଳେ ତାଙ୍କ ଠାରୁ ବୟସରେ ଯଥେଷ୍ଟ ସାନ ଅଭିନେତ୍ରୀ ଭୂମିକା ପାରୋ ଭୂମିକାରେ ଅଛନ୍ତି। ଏଥିରେ ପାରୋ-ଚନ୍ଦ୍ରମୁଖୀଙ୍କ ମଧ୍ୟରେ ପାଖାପାଖି ସମ୍ପର୍କ ନ ଥିବାରୁ ଏ ଦୁହେଁ ସୁଟିଂ ସେଟ୍‌ରେ ମିଳାମିଶା କରିବା କି ସଟ୍‌ ଦେବା ପୂର୍ବରୁ ରିହର୍ସାଲ କରିବା ଆବଶ୍ୟକ ହେଇ ନ ଥିଲା। ତେଣୁ ଅନୁଙ୍କ ସହ ଏ ଚଳଚ୍ଚିତ୍ରରେ ଅଭିନୟ କରିବାରେ ଭୂମିକାଙ୍କୁ ଅଡ଼ୁଆ ହେଇ ନ ଥିଲା।

 

ରଜ ସିଜିନ୍‌ରେ ପ୍ରେକ୍ଷାଳୟକୁ ଆସିଛି ନୂଆ ଚଳଚ୍ଚିତ୍ର ‘ତୁ ମୋ ଲଭ୍‌ ଷ୍ଟୋରି-୨’। ଏଥିରେ ଅନୁ-ଭୂମିକାଙ୍କୁ ଏକାଠି ଦେଖିବାକୁ ମିଳିଛି। ବଡ଼ଭଉଣୀ କ୍ରୀତିକା ଭୂମିକାରେ ଅନୁ ଚୌଧୁରୀ ଏବଂ ସାନ ଭଉଣୀ ଭୂମିକା ଚରିତ୍ରରେ ଦେଖିବାକୁ ମିଳିଛି ଜୁନିୟର ଅଭିନେତ୍ରୀ ଭୂମିକାଙ୍କୁ। ବଡ଼ ଭଉଣୀ ଅନୁ ‘କ୍ରୀତିକା-ଭୂମିକା ଇଣ୍ଡଷ୍ଟ୍ରିଜ୍‌’ର ମାଲିକାଣୀ କର୍ପୋରେଟ୍‌ କୁଇନ୍‌ ସାଜିଥିବା ବେଳେ ତାଙ୍କ ସାନ ଭଉଣୀ ଚରିତ୍ରରେ ଅଛନ୍ତି ଭୂମିକା। ବିଜ୍‌ନେସ୍‌ରେ ଭୂମିକା ବଡ଼ଭଉଣୀ କ୍ରୀତିକାଙ୍କୁ ସାହାଯ୍ୟ କରୁଛନ୍ତି। କ୍ରୀତିକା ଜଣେ ଆରୋଗାଣ୍ଟ ଲେଡି ହେଲେ ଭୂମିକା ଜଣେ ସାଦାସିଧା ଝିଅ। ପ୍ରାୟ ଦୃଶ୍ୟରେ କ୍ରୀତିକା-ଭୂମିକାଙ୍କୁ ଦେଖିବାକୁ ମିଳୁଛି।

ସହଜେ ତ ଅଭିନେତ୍ରୀ ଅନୁ ସିନିୟର, ପୁଣି ତାଙ୍କ ଚରିତ୍ର ଯଦି ଆରୋଗାଣ୍ଟ, ତେବେ ସାନଭଉଣୀ ଭୂମିକାଙ୍କୁ ତ ସୁଟିଂ ବେଳେ ବହୁତ ଅଡ଼ୁଆ ହେଇଥିବ। ଏହାକୁ ନେଇ ଆମେ ଯାହା ଆଶଙ୍କା କରୁଥିଲୁ, ତାହା ସତ ହେଲା। କହୁ କହୁ ଭୂମିକା କହି ପକାଇଲେ ‘‘ଓରେ ବାପ୍‌! ମୁଁ ତ ପୂରାପୂରି ଛାନିଆ ହେଇପଡ଼ିଲି। ଅନୁ ମାମ୍‌ ମୋ ଠାରୁ କେତେ ସିନିୟର୍‌! ବହୁ ଚଳଚ୍ଚିତ୍ରରେ କାମ କରିଛନ୍ତି, ବହୁ ଅଭିଜ୍ଞତା ରହିଛି। ମୁଁ ତାଙ୍କ ସହ ତାଳ ଦେଇ ଆକ୍ଟିଂ ନ କରିପାରିଲେ ଥରକୁ ଥର ସଟ୍‌ କଟ୍‌ ହେବ। ମୋ ଉପରେ ୟୁନିଟ୍‌ ସାରା ବିଗିଡ଼ିଯିବେ। ସତକୁସତ ସେୟା ହେଲା। ମୋ ଭିତରେ ଥିବା ନରଭସ୍‌ନେସ୍‌ ପାଇଁ ମୁଁ ତ ପ୍ରଥମେ ପ୍ରଥମେ ଝୁଣ୍ଟି ପଡ଼ୁଥିଲି। ହେଲେ ଅନୁ ମାମ୍‌ ମୋତେ ହସି ହସି ସବୁ ବତେଇଦେଲେ। କ୍ୟାମେରା ସାମ୍ନାକୁ ଯିବା ଆଗରୁ ମୋତେ ପାଖରେ ବସାଇ ରିହର୍ସାଲ କରି ଦେଉଥିଲେ। ଏବେ ପରଦା ଉପରେ ସିନେମାଟି ଦେଖିବା ପରେ ମୁଁ ବିଶ୍ୱାସ କରିପାରୁନି ଯେ ମୁଁ ଅନୁ ମାମ୍‌ଙ୍କ ସହ କେମିତି ଖାସ୍‌ ଅଭିନୟ କରିଥିଲି।’’

ଯାହା ହେଉ ଓଲିଉଡ୍‌ରେ ଆରମ୍ଭ ହେଇଥିବା ଅନୁ-ଭୂମିକା ଯୋଡ଼ିଙ୍କ ଧୂମ୍‌ ଧମାକା ଏମିତି ଜାରି ରହୁ। ଆମ ସିନେଦର୍ଶକ ବି ଏମାନଙ୍କୁ ଦେଖିବା ପାଇଁ ପୁଣି ସିନେମାମୁହାଁ ହେବେ ବୋଲି ଆମେ ଆଶାକରୁଛୁ।

ସମ୍ବନ୍ଧିତ ଖବର