୧୪ ବର୍ଷ ହେଲା ଏକାଠି ହୋଇନାହାନ୍ତି ପ୍ରଶାନ୍ତ-ଅନୁ

ଶିବଶଙ୍କର ଓଝା

ଭୁବନେଶ୍ବର: ଓଲିଉଡର ଜଣେ ଲୋକପ୍ରିୟ ନାୟିକା ହେଲେ ଅନୁ ଚୌଧୁରୀ। ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ମା’ ଗୋଜବାୟାଣୀ’। ଏହି ଫିଲ୍ମର ନିର୍ମାତା ସନକ ଦେବତା। ‘ମା’ ଗୋଜବାୟାଣୀ’ର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ। ଏଥିରେ ମନୋଜ ପଣ୍ଡାଙ୍କ ବିପକ୍ଷରେ ନଜର ଆସିଥିଲେ ସେ। ଏହାଛଡ଼ା କୁନା ତ୍ରିପାଠୀ ଓ ପ୍ରିୟମ୍ବଦା ରାୟ ପ୍ରମୁଖ ମଧ୍ୟ ଅଭିନୟ କରିଥିଲେ। ଅନୁ ଚୌଧୁରୀଙ୍କ ଅଭିନୀତ ଏହି ସିନେମା ସୁପରଡୁପରହିଟ୍ ହୋଇଥିଲା। ଏହାର ସଙ୍ଗୀତକାର ହେଲେ ସ୍ବରୂପ ନାୟକ।

‘ମା’ ଗୋଜବାୟାଣୀ’ ପରେ ଅନୁ ଆଉ ଅଟକିନାହାନ୍ତି। ସେ ଗତ ୨୪ ବର୍ଷ ଧରି ଓଲିଉଡରେ ସକ୍ରିୟ ଅଛନ୍ତି। ଏହି ସମୟ ଭିତରେ ଅନୁ ଗୋବିନ୍ଦ ତେଜ, ଶିଶିର ମିଶ୍ର, ପ୍ରଶାନ୍ତ ନନ୍ଦ, ମହମ୍ମଦ ମହସୀନ, ସଂଗ୍ରାମ ବିଶ୍ବାଳ, ସଞ୍ଜୟ ନାୟକ, ସୁଧାଂଶୁ ମୋହନ ସାହୁ, ଅଶୋକ ପତି ଓ ତାପସ ସରଘରିଆ ଆଦିଙ୍କ ସମେତ ଓଡ଼ିଆ ସିନେଜଗତର ଅଧିକାଂଶ ଜଣାଶୁଣା ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ହେଲେ ଆପଣ କ’ଣ ଜାଣନ୍ତି କି, ଅନୁ ଚୌଧୁରୀ ସୋ’ମ୍ୟାନ୍ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ମାତ୍ର ଦୁଇଟି ଓଡ଼ିଆ ଛବିରେ କାମ କରିଛନ୍ତି।
ଅନୁ ୨୦୦୪ରେ ମୁକ୍ତିଲାଭ କରିଥିବା ପ୍ରଶାନ୍ତ ନନ୍ଦଙ୍କ ସହ ତାଙ୍କ ନିର୍ଦ୍ଦେଶିତ ‘ଓମ୍ ଶାନ୍ତି ଓମ୍’ରେ କାମ କରିଥିଲେ। ଏଥିରେ ତାଙ୍କର ନାୟକ ଥିଲେ ସିଦ୍ଧାନ୍ତ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ, ଲିପି, ଦୀପକ ପରିଡ଼ା ପ୍ରମୁଖ ବି ଅଭିନୟ କରିଥିଲେ।


ଶେଷ ଥର ଲାଗି ଅନୁ ପ୍ରଶାନ୍ତ ନନ୍ଦଙ୍କ ସହ ତାଙ୍କ ନିର୍ଦ୍ଦେଶିତ ‘କାଳୀଶଙ୍କର’ରେ କାମ କରିଥିଲେ। ଏଥିରେ ବି ତାଙ୍କର ନାୟକ ଥିଲେ ସିଦ୍ଧାନ୍ତ। ୨୦୦୭ରେ ମୁକ୍ତିଲାଭ କରିଥିବା ଏହି ଦ୍ବିଭାଷୀ ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ ମହାନ୍ତି, ଅନୁଭବ, ଅରିନ୍ଦମ, ସ୍ବସ୍ତିକା, ମେଘନା, ଆଶିଷ ବିଦ୍ୟାର୍ଥୀ, କୁନା ତ୍ରିପାଠୀ ପ୍ରମୁଖ ବି ଅଭିନୟ କରିଥିଲେ। ଉଭୟ ସିନେମାରେ ନିଜେ ପ୍ରଶାନ୍ତ ନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ଆଉ ପ୍ରଶାନ୍ତ-ଅନୁ କେବେ ହେଲେ ଏକାଠି ହୋଇନାହାନ୍ତି। ଅର୍ଥାତ୍ ୧୪ ବର୍ଷ ହେଲା ଉଭୟେ ଏକାଠି କାମ କରିନାହାନ୍ତି। ଏହା ଅବଶ୍ୟ ଭିନ୍ନ କଥା ଯେ ପ୍ରଶାନ୍ତ ନନ୍ଦ ‘ଥୁକୁଲ’ ପରେ ଅନ୍ୟ କୌଣସି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇନାହାନ୍ତି।

 

ସମ୍ବନ୍ଧିତ ଖବର