ପରଦାରେ ଲାଲପାନ ବିବି ବନିପାରିଲେନି ଏହି ଓଲିଉଡ ନାୟିକା

ଭୁବନେଶ୍ୱର : ଓଲିଉଡର ଟପ୍‌ ହିରୋଇନ୍‌ ଅନୁ ଚୌଧୁରୀ ଆଜିକାଲି ରାଜନୀତିରେ ଅଧିକ ସକ୍ରିୟ ହୋଇଛନ୍ତି। ସେ କିଛିଦିନ ତଳେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଅବଶ୍ୟ ଏହା ଭିନ୍ନ କଥା ଯେ ବିଜେପିରେ ଯୋଗଦେବା ଆଗରୁ ବି ତାଙ୍କ ହାତରେ ସେଭଳି କିଛି ଓଡ଼ିଆ ସିନେମା ନ ଥିଲା।

କିନ୍ତୁ ଆପଣ କ’ଣ ଜାଣନ୍ତି ଯେ, ଅନୁ ଚୌଧୁରୀ ମହାନାୟିକା ମହାଶ୍ୱେତାଙ୍କ ଅଭିନୀତ ଏକ ଚଳଚ୍ଚିତ୍ରର ଶୀର୍ଷକରେ ନିର୍ମିତ ହେଉଥିବା ସିନେମାରେ କାମ କରିପାରି ନାହାନ୍ତି। ହଁ, ଏଠାରେ ମହାଶ୍ୱେତାଙ୍କ ଅଭିନୀତ ଯେଉଁ ସିନେମା କଥା କୁହାଯାଉଛି, ତାହା ହେଲା ‘ଲାଲପାନ ବିବି’। ୧୯୮୮ ମସିହାରେ ରିଲିଜ୍‌ ହୋଇଥିବା ଏହି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ନନ୍ଦ। ଏଥିରେ ଦର୍ଶକ ପ୍ରଥମ ଥର ପାଇଁ ମହାଶ୍ୱେତାଙ୍କୁ ଦ୍ୱୈତ ଭୂମିକାରେ ଦେଖିବାକୁ ପାଇଥିଲେ। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ନନ୍ଦ, ପୃଥ୍ଵୀରାଜ, ବୀରେନ୍‌ ରାଉତରାୟ ଓ ଶଙ୍କର ବସୁ ମଲ୍ଲିକ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

ଅନୁ ଚୌଧୁରୀ ବି ପରଦାରେ ଲାଲପାନ୍‌ ବିବି ହେବେ ବୋଲି ପ୍ରାୟ ପାଞ୍ଚବର୍ଷ ତଳେ ଚର୍ଚ୍ଚା ହୋଇଥିଲା। ଫିଲ୍ମର ସୁଟିଂ ଆରମ୍ଭ ହେବା ଆଗରୁ ଏହି ସିନେମା ପାଇଁ ଅନୁ କରିଥିବା ଫଟୋସୁଟ୍‌ ବେଶ୍‌ ଚର୍ଚ୍ଚା ସାଉଁଟି ଥିଲା। ସେହି ଗେଟ୍‌ଅପ୍‌ରେ ଅନୁ ଲୁଙ୍ଗି ଓ ସାର୍ଟ ପିନ୍ଧିଥିଲେ। ଏହି ଗେଟ୍‌ଅପ୍‌ ଓଡ଼ିଆ ସିନେମା ପାଇଁ ସମ୍ପୂର୍ଣ୍ଣ ନୂଆ ଟାଇପ୍‌ର ଥିଲା। ହେଲେ ଏହି ଫିଲ୍ମଟି କେବେ ବି ଫ୍ଲୋର୍‌କୁ ଗଲା ନାହିଁ କି, ଅନୁ ଲାଲପାନ ବିବି ବନିପାରିଲେ ନାହିଁ।

ସମ୍ବନ୍ଧିତ ଖବର