ଅନୁଭବଙ୍କୁ ଦେଖି ଚମକି ପଡୁଛନ୍ତି ଏ ଦୁଇ ନାୟିକା

ଭୁବନେଶ୍ୱର : ଓଲିଉଡରେ ଏକ ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା ପୁଣି ଆରମ୍ଭ ହୋଇଯାଇଛି। ଏହି ଫିଲ୍ମ ହେଲା ତରଙ୍ଗ ସିନେ ପ୍ରଡକସନ୍‌ର ‘ପ୍ରେମ କୁମାର’। ଏହାର ନିର୍ଦ୍ଦେଶନା ଦେଉଛନ୍ତି ତାପସ ସରଘରିଆ।

‘ପ୍ରେମ କୁମାର’ରେ ନାୟକ ଭୂମିକାରେ ଅଛନ୍ତି ଅନୁଭବ ମହାନ୍ତି। ଏଥିରେ ତାଙ୍କ ବିପକ୍ଷରେ ଅଛନ୍ତି ଦୁଇ ଜଣ ନାୟିକା। ସେମାନଙ୍କ ଭିତରୁ ଜଣେ ହେଲେ ତମନ୍ନା ଓ ଆର ଜଣକ ଶିବାନୀ।

ତମନ୍ନା ହେଉଛନ୍ତି ଜଣେ ଡିଜାଇନର୍‌, ଆର ପକ୍ଷରେ ଶିବାନୀ ହେଉଛନ୍ତି ଜଣେ ଧନୀ ବ୍ୟବସାୟୀଙ୍କର ଏକମାତ୍ର କନ୍ୟା। ସେ ଦୁହେଁ କିନ୍ତୁ ଭେଟ ହୁଅନ୍ତି ଏକା ପରିସରରେ। ଉଭୟେ ନିଜ ନିଜର ପ୍ରେମ କାହାଣୀ ସମ୍ପର୍କରେ ପରସ୍ପରକୁ କୁହନ୍ତି। ଜଣେ କହେ ଯେ, ସେ ଯାହାକୁ ଭଲ ପାଉଛନ୍ତି, ସେ ତାଙ୍କ ବାପାଙ୍କର ବିରାଟ କମ୍ପାନିର ପରିଚାଳନା କରୁଛନ୍ତି। ଅନ୍ୟ ପକ୍ଷରେ ଆର ଜଣକ କହୁଛନ୍ତି ଯେ ତାଙ୍କ ପ୍ରେମିକ ନିଜ ଗୋଡ଼ରେ ଠିଆ ହୋଇ ନିଜେ କମ୍ପାନି କରିଛନ୍ତି।

ଏ ଦୁହେଁ କହିଛନ୍ତି ଯେ, ସେମାନଙ୍କର ପ୍ରେମିକ ଖୁବ୍‌ କେଆରିଂ। କିନ୍ତୁ ଯେତେବେଳେ ତମନ୍ନା ଶିବାନୀଙ୍କ ପ୍ରେମିକକୁ ଭେଟନ୍ତି, ସେତେବେଳେ ଚମକି ପଡ଼ନ୍ତି। ଏହାର କାରଣ ହେଲା ସେ ଦେଖିବାକୁ ଅବିକଳ ତାଙ୍କର ପ୍ରେମିକ ଭଳି। ଏହି ପ୍ରେମିକ ଭୂମିକାରେ ଅଛନ୍ତି ଅନୁଭବ।

ଏହାପରେ କାହାଣୀ କେଉଁ ମୋଡ଼ ନିଏ। ପ୍ରକୃତରେ ଉଭୟଙ୍କର ପ୍ରେମିକା ଜଣେ ନା, ଅଲଗା, ଅଲଗା ତାହା ଜାଣିବାକୁ ହେଲେ ଆପଣଙ୍କୁ ‘ପ୍ରେମ କୁମାର’ ରିଲିଜ୍‌ ହେବା ଯାଏଁ ଅପେକ୍ଷା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର