ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ହିନ୍ଦୀ ଭାଷାରେ ନିର୍ମାଣ କରିବାକୁ ଆଇଏଫଏଫଆଇ ମଞ୍ଚରେ ଘୋଷଣା କଲେ ଅନୁପମ ଖେର

‘ଏହା ଆମ ପାଇଁ ତଥା ଓଡ଼ିଶାବାସୀଙ୍କ ପାଇଁ ବଡ଼ ଗର୍ବର ବିଷୟ’: ଅନୁପମ ପଟ୍ଟନାୟକ

ପାନାଜୀ: ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଯୋଡ଼ିହେଲା ଆଉ ଏକ ନୂଆ ଫର୍ଦ୍ଦ।  ଗୋଆରେ ଅନୁଷ୍ଠିତ ହେଉଥିବା ଅର୍ନ୍ତଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ- ୨୦୨୨)ରେ ଗତକାଲି ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର  ସ୍କ୍ରିନିଂ ହେବା ପରେ ଏହାକୁ ଦେଖି ଅଭିଭୂତ ହୋଇଛନ୍ତି ବିଶିଷ୍ଟ ଅଭିନେତା ଅନୁପମ ଖେର। ଏଥିସହ ଆଇଏଫଏଫଆଇ ମଞ୍ଚରେ ସେ ଘୋଷଣା କରିଛନ୍ତି କି ସେ ‘ପ୍ରତୀକ୍ଷା’କୁ ହିନ୍ଦୀରେ ନିର୍ମାଣ କରିବେ। କେବଳ ସେତିକି ନୁହେଁ, ଏହି ହିନ୍ଦୀ ରିମେକରେ ସେ ବାପା ଭୂମିକାରେ ଅଭିନୟ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି । ପୁଣି ନିଜ ପ୍ରତିଶ୍ରୁତିକୁ ନିଶ୍ଚିତ କରିବା ଲାଗି ଚଳଚ୍ଚିତ୍ରର ରାଇଟ୍ ହାସଲ ଲାଗି ୧୧୦୦ଟଙ୍କା ଅଗ୍ରୀମ ମଧ୍ୟ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି।

ଖ୍ୟାତନାମା ଲେଖକ ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପର କାହାଣୀ ଦ୍ୱାରା ଅନୁପ୍ରାଣିତ ହୋଇ ନିର୍ମାଣ ହୋଇଛି ‘ପ୍ରତୀକ୍ଷା’। ଏହା ହେଉଛି ଏକ ମଧ୍ୟବିତ୍ତ ପରିବାରର ଜଣେ ଯୁବକ ସଞ୍ଜୟଙ୍କ କାହାଣୀ। ଯିଏ ତାଙ୍କ ପିତା ଅବସର ନେବାର କିଛି ମାସ ପୂର୍ବରୁ ସରକାରୀ ଚାକିରି ଖୋଜୁଛନ୍ତି। ତାଙ୍କ ପିତା ବିପିନ୍‌ ଜିଦ୍‌ ଧରିଛନ୍ତି ଯେ ସେ ଚାକିରି ଖୋଜନ୍ତୁ! କାରଣ ପରିବାର ଉପରେ ଋଣ ଅଛି। ବିପିନ୍‌ ମଧ୍ୟ ଏକ ଦୂରାରୋଗ୍ୟ ବ୍ୟାଧିରେ ଆକ୍ରାନ୍ତ ହୋଇଛନ୍ତି। ସଞ୍ଜୟ ସରକାରଙ୍କ ଅନୁକମ୍ପାମୂଳକ ନିଯୁକ୍ତି ଯୋଜନା ବିଷୟରେ ଜାଣନ୍ତି ଯେଉଁଠାରେ ଜଣେ କର୍ମଚାରୀଙ୍କ ଅକାଳରେ ମତ୍ୟୁ ଘଟିଲେ ତାଙ୍କ ପରିବାରର ଜଣେ ସଦସ୍ୟ ମୃତ ସରକାରୀ କର୍ମଚାରୀଙ୍କ ଚାକିରି ପାଆନ୍ତି। ନିରାଶ ସଞ୍ଜୟ କେବଳ ତାଙ୍କ ବିବ୍ରତ ମନକୁ ସାନ୍ତ୍ୱନା ଦେବା ପାଇଁ ତାଙ୍କ ପିତାଙ୍କ ମୃତ୍ୟୁକୁ ଅପେକ୍ଷା କରନ୍ତି। ଏହି ପରିବାର ବିଷୟରେ ବିଶେଷକରି ପିତା ଓ ପୁତ୍ରର ଜଟିଳ ସମ୍ପର୍କକୁ ଆଧାର କରି ପ୍ରସ୍ତୁତ ହୋଇଛି ‘ପ୍ରତୀକ୍ଷା’।

ସଞ୍ଜୟ ଭୂମିକାରେ ଅଭିନୟ କରୁଥିବା ଦୀପନ୍ଵିତ ଦାସମହାପାତ୍ର ଆଇଏଫଏଫଆଇରେ ସେମାନଙ୍କର ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସଂପର୍କରେ କହନ୍ତି, ‘ଏହା ମୋ ପାଇଁ ଏକ ବଡ଼ ମୁହୂର୍ତ୍ତ କାରଣ ଜଣେ ମୁଖ୍ୟ ଅଭିନେତା ଭାବରେ ଏହା ମୋର ପ୍ରଥମ ଚଳଚ୍ଚିତ୍ର। କିନ୍ତୁ ଓଡ଼ିଶାବାସୀଙ୍କ ପାଇଁ ଏହା ଆହୁରି ବଡ଼ କଥା କାରଣ ଓଡ଼ିଆ ଚଳଚ୍ଚିତ୍ର ଜଗତ ବିଗତ କିଛି ସମୟ ଧରି ସଂଘର୍ଷ କରୁଛି।’

ସେହିପରି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ଜଗତ ବିଷୟରେ କହିବା ସହ କହିଥିଲେ, ‘୧୯୯୯ର ମହାବାତ୍ୟା ପୂର୍ବରୁ ଓଡ଼ିଶାରେ ୧୬୦ଟି ପ୍ରେକ୍ଷାଳୟ ଥିଲା। ମହାବାତ୍ୟା ପରେ ୧୦୦ଟି ପ୍ରେକ୍ଷାଳୟ ରହିଲା ଏବଂ କୋଭିଡ ପରେ ଏବେ ମାତ୍ର ରହିଛି ୬୦ଟି ପ୍ରେକ୍ଷାଳୟ। ତେବେ, ୬୦ଟି ପ୍ରେକ୍ଷାଳୟକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ କାର୍ଯ୍ୟ କରିବ କିପରି?

ଏହି ଅବସରରେ ଅନୁପମ ପଟ୍ଟନାୟକ ତାଙ୍କ ପିତା ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ପ୍ରଥମ ଚଳଚ୍ଚିତ୍ର ବିଷୟରେ ମଧ୍ୟ କହିଥିଲେ, ଯାହା ଜାତୀୟ ପୁରସ୍କାର ଲାଭ କରିଥିଲା ଏବଂ ନିର୍ଦ୍ଦେଶକ ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଆଇଏଫଏଫଆଇରେ ପ୍ରଦର୍ଶିତ ହେଉଛି। ଏହା ତାଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ ଏବଂ ତାଙ୍କ ସ୍ୱର୍ଗତ ପିତାଙ୍କୁ ସମ୍ମାନ ଦେବାର ଏହା ଏକ ଅବକାଶ ଏବଂ ଉଭୟ ନିର୍ଦ୍ଦେଶକ ଏବଂ ଅଭିନେତାଙ୍କ ପାଇଁ, ଏକ ବିରାଟ ମୁହୂର୍ତ୍ତ; ଯେତେବେଳେ କି ଅନୁପମ ଖେର ସେମାନଙ୍କ ସହିତ ମଞ୍ଚରେ ଉପସ୍ଥିତ ରହି ସ୍ୱତଃସ୍ପୃତ ଭାବେ ଘୋଷଣା କରିଛନ୍ତି ଯେ ସେ ହିନ୍ଦୀ ଭାଷାରେ ‘ପ୍ରତୀକ୍ଷା’ର ନିର୍ମାଣ କରିବେ, ଯେଉଁଠାରେ ସେ ପିତାଙ୍କ ଭୂମିକାରେ ଅଭିନୟ କରିବେ। ଏହି ଉଦ୍ଦେଶ୍ୟରେ ସେ ଅନୁପମ ପଟ୍ଟନାୟକଙ୍କୁ ଚଳଚ୍ଚିତ୍ରର ରାଇଟ୍ ବାବଦକୁ ୧୧୦୦ ଟଙ୍କାର ଟୋକନ୍‌ ଦସ୍ତଖତ ରାଶି ମଧ୍ୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର