ନୂଆଦିଲ୍ଲୀ: ‘ଦ କଶ୍ମୀର ଫାଇଲ୍ସ’କୁ ନେଇ କ୍ରମାଗତ ଭାବରେ ଚର୍ଚ୍ଚାରେ ଥିବା ଅନୁପମ ଖେର ସୋସିଆଲ ମିଡିଆରେ ସକ୍ରିୟ ରହିଥାଆନ୍ତି। ସେ ଅନେକ ପ୍ରସଙ୍ଗ ଉପରେ ନିଜର ମତାମତ ଦେଇଥାଆନ୍ତି। ଅନୁପମ ଖେର ତାଙ୍କର ସ୍ବତନ୍ତ୍ର ବନ୍ଧୁ ଓ ତାଙ୍କ ପ୍ରଶଂସକଙ୍କ ସହ ନିଜର ଭାବନା ବାଣ୍ଟିବାକୁ ଭୁଲନ୍ତି ନାହିଁ । ଏଥର ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏପରି ଏକ ଭିଡିଓ ସେୟାର କରିଛନ୍ତି ଯାହାକୁ ଦେଖି ତାଙ୍କ ଫଲୋୟୋର୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ନିଜନିଜ ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଇଛନ୍ତି।
ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଅନେକ ଲୋକ ବର୍ତ୍ତମାନ ସେମାନଙ୍କର ସ୍କୁଟର ଏବଂ କାରକୁ ଛାଡ଼ି ସାଇକେଲ ଚଲାଇବାକୁ ଆରମ୍ଭ କଲେଣି। ଏହି କ୍ରମରେ ଅନୁପମ ଖେରଙ୍କ ଏହି ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।
ନିକଟରେ ଅନୁପମ ଖେର ତାଙ୍କ ଇନଷ୍ଟା ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି- ସାଇକେଲ ଚଲାଇବା କୌଣସି ଦେଶର ଅର୍ଥନୀତି ଅର୍ଥାତ ଜିଡିପି ପାଇଁ ଅତ୍ୟନ୍ତ କ୍ଷତିକାରକ । ଏହା ହସ୍ୟସ୍ପଦ ଲାଗୁଛି। କିନ୍ତୁ ଏହା ସତ୍ୟ, କଟୁ ସତ୍ୟ। ଜଣେ ସାଇକେଲ ଚଲାଉଥିବା ବ୍ୟକ୍ତି ଦେଶ ପାଇଁ ହାନିକାରକ।
View this post on Instagram
କାରଣ ସାଇକେଲ ଚଲାଉଥିବା ବ୍ୟକ୍ତି ଗାଡ଼ି କିଣନ୍ତି ନାହିଁ, ଋଣ ନିଅନ୍ତି ନାହିଁ, ସେ ଗାଡ଼ିକୁ ବୀମା କରନ୍ତି ନାହିଁ। ସେ ତେଲ କିଣନ୍ତି ନାହିଁ, ସେ ଗାଡ଼ି ସର୍ଭିସ କରନ୍ତି ନାହିଁ , ଏମିତି କି ତାଙ୍କୁ ଟଙ୍କା ଦେଇ ଗାଡ଼ି ପାର୍କିଂ କରିବାକୁ ବି ପଡେ ନାହିଁ, ସେ ମୋଟା ବି ହୁଅନ୍ତି ନାହିଁ।
ଏହା ସହ ଅନୁପମ ଖେର କହିଛନ୍ତି ଯେ 'ଏହା ସତ୍ୟ ଯେ ଜଣେ ସୁସ୍ଥ ବ୍ୟକ୍ତି ଅର୍ଥନୀତି ପାଇଁ ଆଦୌ ଠିକ୍ ନୁହଁନ୍ତି। କାରଣ ସେ ଔଷଧ ଗ୍ରହଣ କରନ୍ତି ନାହିଁ । କାରଣ ତାଙ୍କୁ ଆବଶ୍ୟକ ପଡ଼େ ନାହିଁ । ସେ ଡାକ୍ତରଖାନାକୁ ବି ଯାଆନ୍ତି ନାହିଁ । ସେ ଦେଶର ଜିଡିପିରେ କୌଣସି ଯୋଗଦାନ ଦିଅନ୍ତି ନାହିଁ | ଅପରପକ୍ଷେ ଜଣେ ପଥଚାରୀ ଏହାଠାରୁ ଅଧିକ ବିପଜ୍ଜନକ ଅଟନ୍ତି। କାରଣ ଜଣେ ପଥଚାରୀ ସାଇକେଲ ବି କିଣନ୍ତି ନାହିଁ।
ଏହା ସହିତ ଅନୁପମ ଖେର ତାଙ୍କ ଭିଡିଓରେ କହିଛନ୍ତି ଯେ 'ଏହା ଏକ ବ୍ୟଙ୍ଗ। ଏହାକୁ ଗମ୍ଭୀରତାର ଗ୍ରହଣ କରିବେ ନାହିଁ। ଭାବନ୍ତୁ ନାହିଁ ଯେ ଏହା ସାଇକେଲ ଚାଳକମାନଙ୍କୁ ପରିହାସ କରୁଛି, ଗରୀବ ଲୋକଙ୍କୁ ପରିହାସ କରୁଛି ।’