ମୁମ୍ବାଇ: କୌଣସି ବି ଚରିତ୍ରରେ ନିଜକୁ ଖାପ ଖୁଆଇ ପାରୁଥିବା ଅଭିନେତାଙ୍କୁ ମଧ୍ୟରୁ ବଲିଉଡ୍ର ଅନୁପମ୍ ଖେର୍ ଅନ୍ୟତମ। ସେଥିପାଇଁ ୭୦ ବର୍ଷ ବୟସରେ ଆଜି ବି ତାଙ୍କ ନିକଟରେ କାମର ଅଭାବ ନାହିଁ। ସବୁଠାରୁ ବଡ଼ କଥା ହେଲା ଅନୁପମ୍ ନିଜକୁ କେବେ ବି ବୟସ୍କ ବୋଲି ଭାବନ୍ତି ନାହିଁ। ନିକଟରେ ସେ ନାଚ ଶିଖୁଥିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଅନୁପମ୍ଙ୍କୁ ତାଙ୍କ ପ୍ରଶିକ୍ଷକ ଯେପରି ଷ୍ଟେପ୍ କହୁଛନ୍ତି, ସେ ସେପରି କରୁଛନ୍ତି। ଯାହାକୁ ଏବେ ତାଙ୍କ ପ୍ରଶଂସକମାନେ ଢେର୍ ପସନ୍ଦ କରିଛନ୍ତି।
ଅନୁପମ୍ ଖେର୍ ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ। ସେ କିଛି ଦିନ ଅନ୍ତରରେ କିଛି ନା କିଛି ସୋସିଆଲ୍ ମିଡିଆ ପୋଷ୍ଟ୍ ଜରିଆରେ ନିଜର ପ୍ରଶଂସକମାନଙ୍କୁ ଆନନ୍ଦିତ କରାନ୍ତି। ତେବେ ନିକଟରେ ଅନୁପମ୍ ଖେର୍ଙ୍କ ନାଚ ଭିଡିଓ କିନ୍ତୁ ସଭିଙ୍କୁ ଚକିତ କରିଛି। ୭୦ ବର୍ଷ ବୟସରେ ବି ସେ ଯେପରି ଏତେ ଫିଟ୍ ଓ ସକ୍ରିୟ ଅଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି।
ଅଭିନେତା ଯେଉଁ ଭିଡିଓ ପୋଷ୍ଟ୍ କରିଛନ୍ତି; ସେଥିରେ ସେ ଭିକି କୌଶଲଙ୍କର ସବୁଠାରୁ ଲୋକପ୍ରିୟ ଗୀତ ‘ତୌବା ତୌବା’ର କୋରିଓଗ୍ରାଫର୍ଙ୍କଠାରୁ ସେହି ଗୀତର ଟ୍ରେଣ୍ଡିଂ ଷ୍ଟେପ୍ ଶିଖୁଛନ୍ତି। ତାହାକୁ ଦେଖିବା ପରେ ନିଜେ ଭିକିଙ୍କୁ ଅନୁପମ୍ଙ୍କ ଭିଡିଓରେ ‘ତୌବା ତୌବା’ କମେଣ୍ଟ୍ କରିଛନ୍ତି। ସୋସିଆଲ୍ ମିଡିଆ ବ୍ୟବହାରକାରୀ ବି ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି।