ନୂଆଦିଲ୍ଲୀ: ବଲିଉଡର ବରିଷ୍ଠ କଳାକାର ଅନୁପମ ଖେରଙ୍କୁ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(ଏଫଟିଆଇଆଇ)ର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି । ସେ ଗଜେନ୍ଦ୍ର ଚୌହ୍ଵାନଙ୍କ ସ୍ଥାନରେ ସେ ନିଯୁକ୍ତ ହେବେ । ଅନୁପମ ଖେରଙ୍କୁ ଚେୟାରମ୍ୟାନ ନିଯୁକ୍ତ କରାଯିବା ପରେ ଆନନ୍ଦ ପ୍ରକଟ କରିଛନ୍ତି ଗଜେନ୍ଦ୍ର ଚୈାହାନ।
ସୂଚନାଯୋଗ୍ୟ, ୫୦୦ରୁ ଅଧିକ ଫିଲ୍ମରେ କାମ କରିସାରିଥିବା ଅନୁପମ ଖେର୍ ଅନେକ ବିଦେଶୀ ଫିଲ୍ମରେ ମଧ୍ୟ ନିଜର ଦମଦାର ଅଭିନୟ ଦେଖାଇ ଅନେକ ପ୍ରଶଂସା ସାଉଁଟିଛନ୍ତି । ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ଅଭିନୟ ପ୍ରଶିକ୍ଷଣ ନେଇଥିବା ଅନୁପମଙ୍କର ଥିଏଟରରେ ବି ଅଭିଜ୍ଞତା ରହିଛି । ଅନୁପମ ଖେରଙ୍କର ପତ୍ନୀ ଓ ବିଜେପି ସାଂସଦ କିରଣ ଖେର୍ ମଧ୍ୟ ଏହି ନିଷ୍ପତ୍ତିରେ ଖୁସି ଅଛନ୍ତି ।
ଅନୁପମ ଖେରଙ୍କର ପତ୍ନୀ କିରଣ ଖେର୍ ଗଣମାଧ୍ୟମକୁ ସାକ୍ଷତକାର ଦେଇ କହିଛନ୍ତି, ‘ ଅନୁପମ ଖେରଭଲଭାବେ ଏହି ଭୂମିକାକୁ ତୁଲାଇପାରିବେ। ମୁଁ ସରକାର ଓ ମୋଦି ଜୀଙ୍କୁ ଧନ୍ୟବାଦ ଦେଉଛି ।’କୈାଣସି ସଂସ୍ଥାର ଅଧ୍ୟକ୍ଷ ପଦ କଣ୍ଟକିତ ସିଂହାସନ ସହ ସମାନ ବୋଲି କହିଛନ୍ତି କିରଣ ଖେର ।
‘ମୋତେ ଅନୁପମ ଖେରଙ୍କୁ ନେଇ ବହୁତ ଗର୍ବ ଅନୁଭବ ହେଉଛି । ସେ ଭଲଭାବେ ଏହି ଭୂମିକାକୁ ତୁଲାଇପାରିବେ। ମୁଁ ସରକାର ଓ ମୋଦି ଜୀଙ୍କୁ ଧନ୍ୟବାଦ ଦେଉଛି । କୌଣସି ସଂସ୍ଥାର ଅଧ୍ୟକ୍ଷ ପଦ କଣ୍ଟକିତ ସିଂହାସନ ସହ ସମାନ ।
-ଅନୁପମ ଖେରଙ୍କର ପତ୍ନୀ କିରଣ ଖେର୍
ଉଲ୍ଲେଖନୀୟ ଯେ, ନିକଟରେ ସରକାର ସେନସର ବୋର୍ଡର ଚେୟାରମ୍ୟାନ ପହଲାଜ ନିହଲାନୀଙ୍କୁ ହଟାଇ ପ୍ରସୂନ ଯୋଶୀଙ୍କୁ ଦାୟିତ୍ୱ ଦେଇଥିଲେ । ନିହଲାନୀ ମଧ୍ୟ ଦୀର୍ଘ ସମୟ ଧରି ବିବାଦରେ ରହିଥିଲେ । ସୁଭାଷ ଘାଇ, ମଧୁର ଭଣ୍ଡାରକର, ଅଶୋକ ପଣ୍ଡିତ ସହିତ ଅନେକ ନିର୍ଦ୍ଦେଶକ ଅନୁପମଙ୍କୁ ଏଫଟିଆଇଆଇର ଅଧ୍ୟକ୍ଷ ପଦ ଦେବା ନେଇ ନିଜର ଖୁସି ଦର୍ଶାଇଛନ୍ତିି ।
ସୁଭାଷ ଘାଇ କହିଛନ୍ତି , ‘ସେ ଏହି ପଦ ପାଇଁ ଉପଯୁକ୍ତ ବ୍ୟକ୍ତି ଅଟନ୍ତି ଏବଂ ମୁଁ ଏହାର ସ୍ୱାଗତ କରୁଛି । ଯିଏ ଆପଣଙ୍କୁ ଗାଇଡ୍ କରିବେ ସେ ଭଲ ହେବା ଉଚିତ। ଅନୁପମ ଜଣେ ଭଲ ଶିକ୍ଷକ ଭାବେ ନାମ କରିବେ।
ମଧୁର ଭଣ୍ଡାରକର କହିଛନ୍ତି , ‘ସେ ଛାତ୍ରଙ୍କୁ ବହୁତ କିଛି ଶିଖାଇବେ ଏବଂ ସଂସ୍ଥାକୁ ବହୁ ଶୀର୍ଷକୁ ନେଇଯିବେ ।’
ଗଜେନ୍ଦ୍ର ଚୈାହାନଙ୍କୁ ଜୁନ୍ ୨୦୧୫ରେ ଏଫଟିଆଇଆଇର ଚେୟାରମ୍ୟାନ ନିଯୁକ୍ତ କରାଯାଇଥିଲା, କିନ୍ତୁ ଜଏନିଂ ଲେଟର ମିଳିବା ପୂର୍ବରୁ ଛାତ୍ରଛାତ୍ରୀମାନେ ତାଙ୍କର ନିଯୁକ୍ତିକୁ ବିରୋଧ କରିଥିଲେ । ସେମାନଙ୍କର ଦେଶବ୍ୟାପୀ ଆନ୍ଦୋଳନ ଏକ ରାଜନୈତିକ ରୂପ ନେଇଥିଲା । ଏଫଟିଆଇଆଇ କ୍ୟାମ୍ପସରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ୍ ଗାନ୍ଧି ବିରୋଧ କରୁଥିବା ଛାତ୍ରଙ୍କ ସହ ମିଶି ପ୍ରତିନିଧି ମଣ୍ଡଳ ସହ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ସାକ୍ଷାତ କରି ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରିଥିଲେ । ଛଅ ମାସର ବାଦବିବାଦ ପରେ ଅଭିନେତା ଗଜେନ୍ଦ୍ର ଚୈାହାନ ଏହାର ଅଧ୍ୟକ୍ଷ ହୋଇଥିଲେ ।