ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’ ଦିନକୁ ଦିନ ବକ୍ସ ଅଫିସରେ ନିଜର ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଛି। ଏହି ଚଳଚ୍ଚିତ୍ରଟି ପ୍ରଶଂସକ ତଥା ସେଲିବ୍ରିଟିଙ୍କଠାରୁ ଭଲପାଇବା ଗ୍ରହଣ କରି ବିଶ୍ବ ସ୍ତରରେ ପ୍ରାୟ ୯୦୦କୋଟି ଆୟ କରିବାରେ ସଫଳ ହୋଇଛି। ଫିଲ୍ମଟି ବ୍ଲକବଷ୍ଟର ହେବା ପରେ ବଲିଉଡ ଅଭିନେତା ଅନୁପମ ଖେର ନିଜର ଭାବନା ପ୍ରକାଶ କରିଛନ୍ତି। ଡିଏନ୍ଏକୁ ଦେଇଥିବା ଏକ ସାକ୍ଷାତକାରରେ ଅନୁପମ ଖେର ହ୍ୟାସଟ୍ୟାଗ ‘ବଏକଟବଲିଉଡ’ ଟ୍ରେଣ୍ଡ କିପରି ‘ପଠାନ’କୁ କ୍ଷତି ପହଞ୍ଚାଇ ପାରିଲା ନାହିଁ ସେ ବିଷୟରେ କହିଛନ୍ତି।
ଅନୁପମ ଖେରଙ୍କ ଅନୁଯାୟୀ, ଏକ ଟ୍ରେଣ୍ଡ ଅନୁସରଣ କରି ଫିଲ୍ମ ଦେଖିବା ପାଇଁ କେହି ପ୍ରେକ୍ଷାଳୟକୁ ଯାହାନ୍ତି ନାହିଁ। ଯଦି ଦର୍ଶକ ଟ୍ରେଲରକୁ ପସନ୍ଦ କରନ୍ତି ତେବେ ସେମାନେ ଫିଲ୍ମ ଦେଖିବାକୁ ଯାହାନ୍ତି। ଏକ ଭଲ ଚଳଚ୍ଚିତ୍ରକୁ କେହି ଅସଫଳ କରିପାରିବେ ନାହିଁ। ବଏକଟ ଟ୍ରେଣ୍ଡ ମଧ୍ୟ ଏକ ଭଲ ଫିଲ୍ମ ଉପରେ ପ୍ରଭାବ ପକାଇପାରିବ ନାହିଁ। ସବୁ ଦର୍ଶକ ବଏକଟ ଅଭିଯାନରେ ସାମିଲ ହେଉନାହାନ୍ତି। ମାତ୍ର କିଛି ଲୋକ ଏଭଳି କରୁଛନ୍ତି। ସେଥିପାଇଁ ଲୋକମାନେ ଏହି ଘୃଣାଭାବ ବିରୋଧରେ ପ୍ରତିଶୋଧର ଭାବନା ନେଇ ଫିଲ୍ମ ଦେଖିବାକୁ ଯାଉଛନ୍ତି।
ତେବେ ଫିଲ୍ମ ‘ପଠାନ’ ଜାନୁଆରି ୨୫ରେ ୧୦୦ଟି ଦେଶର ୮୦୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିଥିଲା। ରିଲିଜ ପରେ ଏହାର ସ୍କ୍ରିନ ସଂଖ୍ୟା ଆହୁରି ୩୦୦କୁ ବଢ଼ାଇ ଦିଆଯାଇଥିଲା। ଏବେ ଫିଲ୍ମକୁ ମିଳୁଥିବା ଭଲପାଇବାକୁ ଦେଖି ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ‘ପଠାନ-୨’ ଆଣିବା ନେଇ ଘୋଷଣା କରିଛନ୍ତି।