ହାସ୍ୟ ଅଭିନେତା କପିଲଙ୍କ ଅସଲ ମୁଖା ଖୋଲିଦେଲେ ଅନୁପମ ଖେର୍, ଜାଣନ୍ତୁ ପୂରା ଘଟଣା

ମୁମ୍ବାଇ: ଭାରତର ପ୍ରମୁଖ ହାସ୍ୟ ଅଭିନେତା କପିଲ ଶର୍ମା ଏବଂ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍ସ’ର କଳାକାରଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି। କପିଲ ଶର୍ମାଙ୍କ ସଦ୍ୟତମ ପୋଷ୍ଟରୁ ପ୍ରଶଂସକମାନେ ଭାବିଥିଲେ ଯେ ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ର ନିର୍ମାତା ବିବେ‌କ ଅଗ୍ନିହୋତ୍ରୀ ଏବଂ କପିଲଙ୍କ ମଧ୍ୟରେ ବୋଧହୁଏ ଭୁଲ ବୁଝାମଣା ହୋଇଥିଲା, ଯାହା ବର୍ତ୍ତମାନ ସମାଧାନ ହୋଇସାରିଛି। କପିଲଙ୍କ ନୂଆ ପୋଷ୍ଟକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ କପିଲଙ୍କ ପ୍ରଶଂସା କରୁଥିବା ବେଳେ ଏବେ କାହାଣୀରେ ଏକ ନୂଆ ମୋଡ଼ ଆସିଛି। ଅଭିନେତା ଅନୁପମ ଖେର୍ ଟ୍ବିଟ କରିବା ପରେ ଏବେ ପୂରା କାହାଣୀ ଓଲଟିଯାଇଛି।

ସୂଚନା ମୁତାବକ, କିଛି ଦିନ ତଳେ ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ର ନିର୍ମାତା ବିବେ‌କ ଅଗ୍ନିହୋତ୍ରୀ କହିଥିଲେ ଯେ, ଛୋଟ କଳାକାର ଥିବାରୁ କପିଲ ଶର୍ମା ‘ଦ କଶ୍ମୀର ଫାଇଲ୍ସ’ କଳାକାରଙ୍କୁ ନିଜ ସୋ’କୁ ଡାକିଲେନି। ହେଲେ ଏହାର ଠିକ୍ ଓଲଟା ଜବାବ ଦେଇଥିଲେ ଅନୁପମ ଖେର୍ । ସେ କହିଥିଲେ ଯେ, ମୋତେ ୨ମାସ ପୂର୍ବରୁ କପିଲଙ୍କ ସୋ’କୁ ଯିବା ପାଇଁ ଫୋନ ଆସିଥିଲା। କିନ୍ତୁ ଫିଲ୍ମର କାହାଣୀର ଗମ୍ଭୀରତାକୁ ଦେଖି ମୁଁ ଯିବାକୁ ମନା କରିଦେଇଥିଲି। ଏସବୁ ୨ମାସ ତଳର କଥା।

ଅନୁପମ ଖେର୍ କହୁଥିବା ଏହି ଭିଡିଓକୁ ଟ୍ବିଟ କରି କପିଲ ଲେଖିଥିଲେ ଯେ, ମୋ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଭୁଲ ପ୍ରମାଣିକ କରିଥିବାରୁ ଅନୁପମ ଖେରଙ୍କୁ ଧନ୍ୟବାଦ ଏବଂ ସେହି ସମସ୍ତ ବନ୍ଧୁମାନଙ୍କୁ ମଧ୍ୟ ଧନ୍ୟବାଦ, ଯେଉଁମାନେ ସତ ନ ଜାଣି ମୋତେ ଏତେ ଭଲପାଇବା ଦେଇଛନ୍ତି। କପିଲଙ୍କ ଏହି ଟ୍ବିଟ ପରେ ତାଙ୍କର କିଛି ଭୁଲ ନଥିଲା ବୋଲି ଲୋକେ ଭାବୁଥିବା ବେଳେ ଏହି ଟ୍ବିଟର ଜବାବରେ ଅନୁପମ ଯାହା ଲେଖିଛନ୍ତି, ତାହା ପୁଣି କାହାଣୀରରେ ନୂଆ ମୋଡ଼ ଆଣିଛି।

ଅନୁପମ ରିଟ୍ବିଟ କରି ଲେଖିଥିଲେ ‌ଯେ, କପିଲ ତୁମକୁ ସମ୍ପୂର୍ଣ୍ଣ ଭିଡିଓ ପୋଷ୍ଟ କରିବାର ଥିଲା, ଅଧା ସତ୍ୟ ନୁହେଁ। ସମଗ୍ର ବିଶ୍ୱ ଉତ୍ସବ ପାଳନ କରୁଛି, ଆପଣ ଆଜି ରାତିରେ ମଧ୍ୟ ପାଳନ କରିଛନ୍ତି। ଅନୁପମଙ୍କ ଏଭଳି ଟ୍ବିଟ ପରେ ଏବେ ପୁଣି ଥରେ କପିଲଙ୍କ ଆଡକୁ ଆଙ୍ଗୁଳି ଉଠିଛି। ତେବେ ପ୍ରକୃତ ସତ କ’ଣ? ତାହା ଉପରେ ଏବେ ସମସ୍ତଙ୍କ ନଜର।

ସମ୍ବନ୍ଧିତ ଖବର