ଅତୀତରେ କହିଥିବା କଥା ନିଶ୍ଚୟ ଭବିଷ୍ୟତରେ ହଇରାଣ କରିବ; ଆମୀରଙ୍କୁ ଟାର୍ଗେଟ କରି କହି‌ଲେ ଅନୁପମ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ ବକ୍ସ ଅଫିସରେ ଫ୍ଲପ ବୋଲି ପ୍ରମାଣ ହେବାରେ ଲାଗିଛି। ଅଦ୍ବୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ରିଲିଜ୍ ସପ୍ତାହରେ ୬୦କୋଟିରୁ କମ୍ ରୋଜଗାର କରିଛି। କେବଳ ଏତିକି ନୁହେଁ, ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ ଚଳିତ ବର୍ଷ ରିଲିଜ ହୋଇଥିବା ବରୁଣ ଧୱନଙ୍କ ‘ଜୁଗ୍ ଜୁଗ୍ ଜିଓ’ ଏବଂ ଅକ୍ଷୟ କୁମାରଙ୍କ ‘ବଚ୍ଚନ ପାଣ୍ଡେ’ ଏବଂ ‘ସମ୍ରାଟ ପୃଥ୍ବୀରାଜ’କୁ ମଧ୍ୟ ଟକ୍କର ଦେଇପାରିନାହିଁ। ଫିଲ୍ମକୁ ନେଇ ବଏକଟ ଟ୍ରେଣ୍ଡ କରିବା ପରେ ଫିଲ୍ମର ବ୍ୟବସାୟ ଉପରେ ଏହାର ପ୍ରଭାବ ପଡ଼ିଛି।

ତେବେ ଫିଲ୍ମକୁ ବଏକଟ କରାଯିବା ନେଇ ଅଭିନେତା ଅନୁପମ ଖେରଙ୍କୁ ପଚରାଯିବାରୁ ସେ ଆମୀରଙ୍କୁ ସମାଲୋଚନା କଲା ଭଳି ମନ୍ତବ୍ୟ ଦେଇଛନ୍ତି। ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ଯଦି କେହି ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିବା ପାଇଁ ଚିନ୍ତା କରେ, ତେବେ ସେମାନେ ଏହା କରିବାକୁ ମୁକ୍ତ ଅଟନ୍ତି। ପ୍ରତିଦିନ ଟ୍ୱିଟରରେ ନୂଆ ଟ୍ରେଣ୍ଡ ଆସୁଛି। ଆମୀରଙ୍କ ଅସହିଷ୍ଣୁତା ମନ୍ତବ୍ୟକୁ ନେଇ ଅନୁପମ କହିଛନ୍ତି, ଯଦି ଆପଣ ଅତୀତରେ କିଛି କହିଥିବେ ତେବେ ଏହା ନିଶ୍ଚିତ ଭାବରେ ଆପଣଙ୍କୁ ଭବିଷ୍ୟତରେ ହଇରାଣ କରିବ। ତେବେ ଏହା ପ୍ରଥମ ଥର ନୁହେଁ, ୨୦୧୫ରେ ମଧ୍ୟ ଆମୀରଙ୍କ ମନ୍ତବ୍ୟକୁ ଅନୁପମ ବିରୋଧ କରିଥିଲେ।

ଉଲ୍ଲେଖଯୋଗ୍ୟ, ଭାରତରେ ହେଉଥିବା ଅପରାଧକୁ ଦେଖି ଆମୀର କହିଥିଲେ ଯେ, ଭାରତର ଅବସ୍ଥା ଦେଖି ମୋ ପତ୍ନୀ ଭାରତ ବାହାରକୁ ଚାଲିଯିବାକୁ କହୁଛନ୍ତି। ଏଠି ରହିବାକୁ ଡର ଲାଗିଲାଣି। ଆମ ଚାରିପାଖରେ ପରିବେଶ କ’ଣ ହେବ ଭାବି ସେ ଭୟ କରୁଛନ୍ତି। ସେ ପ୍ରତିଦିନ ଖବରକାଗଜ ଖୋଲିବାକୁ ଡରୁଛନ୍ତି।

ଆମୀରଙ୍କ ଏଭଳି କଥାକୁ ବିରୋଧ କରାଯାଇଥିବା ବେଳେ ଅନୁପମ କହିଥିଲେ ଯେ, ଆପଣ ଲକ୍ଷ ଲକ୍ଷ ଭାରତୀୟଙ୍କୁ କ’ଣ ପରାମର୍ଶ ଦେଉଛନ୍ତି? ଭାରତ ଛାଡିବାକୁ ନାଁ ଶାସନ ବ୍ୟବସ୍ଥା ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ? ଆପଣ କିରଣଙ୍କୁ ପଚାରିଛନ୍ତି କି ସେ କେଉଁ ଦେଶକୁ ଯିବାକୁ ଚାହୁଁଛନ୍ତି? ଆପଣତାଙ୍କୁ କହିଛନ୍ତି କି ଏହି ଦେଶ ଆପଣଙ୍କୁ ଆମୀର ଖାନ କରିଛି? ଏଭଳି ସମୟରେ ଦେଶବାସୀଙ୍କୁ ନଡରାଇ ବଞ୍ଚିବାର ଆଶା ଦେବା ଜରୁରୀ।

ସମ୍ବନ୍ଧିତ ଖବର