ରେଳଷ୍ଟେସନରେ ଶୋଉଥିଲି,ଅସୁନ୍ଦର ଚେହେରା ପାଇଁ ମିଳୁନଥିଲା କାମ: ଅନୁପମ ଖେର 

ମୁମ୍ବାଇ: କମେଡିଆନ କପିଲ ଶର୍ମା ସୋ କୁ ଏଥର ଅତିଥି ଭାବରେ ଯାଇଥିଲେ ଅନୁପମ ଖେର ଓ ଇସା ଗୁପ୍ତା | ଏହି ଦୁଇଜଣଙ୍କ ସହ କପିଲ ମଜାଦାର କମେଡି କରିବା ସହ ବହୁତ କିଛି ଅନୁଭୂତି ମଧ୍ୟ ବାଣ୍ଟିଥିଲେ | ଏହି ଅବସରରେ ଅନୁପମ ନିଜ ଜୀବନର ଏଭଳି କିଛି ସଂଘର୍ଷ କାହାଣୀ କହିଥିଲେ ଯାହାକି ଉପସ୍ଥିତ ଦର୍ଶକଙ୍କୁ ବେଶ ଭାବୁକ କରିଦେଇଥିଲା | ଅନୁପମ କହିଥିଲେ ଯେ ଦିନେ ଏଭଳି ସମୟ ଥିଲା ଯେତେବେଳେ ମୁମ୍ବାଇରେ ଶୋଇବା ପାଇଁ ତାଙ୍କ ମୁଣ୍ଡ ଉପରେ ଛାତଟିଏ ବି ନଥିଲା | ସେ ରେଳଷ୍ଟେସନରେ ଶୋଉଥିଲେ |

ସେହିପରି ହ୍ୟାଣ୍ଡସମ ଚେହେରା ନଥିବାରୁ ତାଙ୍କୁ କେହି ବି କାମ ଦେଉନଥିଲେ | ଅନୁପମଙ୍କ କହିବା ମୁତାବକ ଯେତେବେଳେ ସେ ମୁମ୍ବାଇରେ ପାଦ ରଖିଥିଲେ ପାଖରେ ଟଙ୍କାଟିଏ ବି ନଥିଲା | ଯାହାଫଳରେ ଅନେକ ଦିନ ଯାଏଁ ରେଳଷ୍ଟେସନର ବେଞ୍ଚରେ ତାଙ୍କୁ ଶୋଇବାକୁ ପଡୁଥିଲା | ସେହିପରି କଳାକାର ଜୀବନର ଆରମ୍ଭର ୩ ବର୍ଷ ଯାଏଁ କୌଣସି କାମ ମିଳିନଥିଲା |

ତେବେ ଯେତେବେଳେ ମହେଶ ଭଟ୍ଟଙ୍କୁ ସେ ଭେଟିଥିଲେ ମହେଶ କାମ ଦେବାକୁ ରାଜି ହୋଇଯାଇଥିଲେ | ମହେଶ କହିଥିଲେ ଯେ ତୁମେ ଜଣେ ଭଲ କଳାକାର | ଏହାର ଉତ୍ତରରେ ଅନୁପମ କହିଥିଲେ ଯେ କେବଳ ଭଲ ନୁହେଁ ଅତି ଭଲ କଳାକାର | ଅନୁପମଙ୍କ ଏଭଳି ବିଶ୍ୱାସ ଦେଖି ‘ସାରାଂଶ’ ଫିଲ୍ମରେ କାମ କରିବାକୁ ତାଙ୍କୁ ସୁଯୋଗ ଦେଇଥିଲେ | ଏହି ଅବସରରେ କପିଲ ଅନୁପମଙ୍କୁ ପ୍ରଶ୍ନ କରିଥିଲେ ଯେ ଯଦି କେବେ ଏଭଳି ଅବସର ମିଳେ ଯେ ଜୀବନରେ ଆପଣ କଣ ପରିବର୍ତ୍ତନ କରିବାକୁ ଚାହିଁବେ | ଅନୁପମ ଏହାର ଉତ୍ତରରେ କହିଥିଲେ ଯେ ଯେତେବେଳେ ସେ ଛାତ୍ର ଥିଲେ ସେ ଖେଳିବାକୁ ଏତେ ପସନ୍ଦ କରୁନଥିଲେ | ତେବେ ଯଦି ସେଭଳି କେବେ ଅବସର ମିଳେ ତେବେ ନିଜ ରୁଚିକୁ ବଦଳାଇବାକୁ ପସନ୍ଦ କରିବେ |

ସମ୍ବନ୍ଧିତ ଖବର