ଓଲିଉଡ୍ର ଜଣାଶୁଣା ନାୟିକା-ଗାୟିକା ଅନୁରାଧା ପାଣିଗ୍ରାହୀଙ୍କୁ ମିଳିଛି ଆଉ ଏକ ସଫଳତା। ସେ ସଙ୍ଗୀତ ପ୍ରତିଯୋଗିତାଧର୍ମୀ ରିଆଲିଟି ସୋ’ ଇଣ୍ଡିଆନ୍ ଆଇଡଲ୍(ତେଲୁଗୁ) ସିଜିନ୍-୩ରେ ଅଂଶଗ୍ରହଣ କରିଛନ୍ତି। ଏଥିଲାଗି ଭାରତ ବ୍ୟତୀତ ୩୯ଟି ଦେଶରେ ଅଡିସନ୍ କରାଯାଇଥିଲା। ସେଥିରେ ୪ ହଜାର ବଛାବଛା କଣ୍ଠଶିଳ୍ପୀଙ୍କୁ ଚୟନ କରାଯାଇଥିଲା। ଆଉ ଏମାନଙ୍କ ଭିତରେ ସ୍ଥାନ ପାଇଥିଲେ ଓଡ଼ିଶାର ଜଣାଶୁଣା ଗାୟିକା ଅନୁରାଧା ପାଣିଗ୍ରାହୀ।
ଅନୁରାଧାଙ୍କ କହିବା ଅନୁଯାୟୀ, ଇଣ୍ଡିଆନ୍ ଆଇଡଲ୍(ତେଲୁଗୁ)ର ପ୍ରଥମ ଅଡିସନ୍ରେ ସେ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ସଙ୍ଗୀତକାର ତଥା ଏହି ସୋ’ର ଅନ୍ୟତମ ବିଚାରକ ସଙ୍ଗୀତକାର ତମନଙ୍କ ସ୍ବର ସଂଯୋଜିତ ଏକ ତେଲୁଗୁ ସିନେମା ଗୀତ ଗାଇ ଶୁଣାଇଥିଲେ। ତାଙ୍କର ଗାୟନ ଶୈଳୀରେ ମୁଗ୍ଧ ହୋଇ ବିଚାରକମାନେ ତାଙ୍କୁ ମନୋନୀତ କରିଥିଲେ। ଶ୍ରେଷ୍ଠ ୪ ହଜାର ପ୍ରତିଯୋଗୀଙ୍କ ଭିତରେ ପ୍ରଥମେ ତାଙ୍କୁ ସ୍ଥାନ ମିଳିଥିଲା। ଏବେ ସେ ଏହାର ଶ୍ରେଷ୍ଠ ୧୮ ପ୍ରତିଯୋଗୀଙ୍କ ଭିତରେ ନିଜକୁ ସ୍ଥାନିତ କରିବାରେ ସଫଳ ହୋଇଛନ୍ତି। ତାଙ୍କୁ ଗୋଲଡେନ୍ ଟିକେଟ୍ ମିଳିସାରିଛି। ଶେଷ ରାଉଣ୍ଡରେ ୧୨ଜଣ ପହଞ୍ଚିବେ। ଗ୍ରାଣ୍ଡ୍ ଫିନାଲେରେ ନିଜକୁ ଦେଖିବାର ଲକ୍ଷ୍ୟ ରଖିଛନ୍ତି ଗାୟିକା ଅନୁରାଧା।
ଜଣେ ଓଡ଼ିଆ ଗାୟିକା ଏବେ ଇଣ୍ଡିଆନ୍ ଆଇଡଲ୍ (ତେଲୁଗୁ)ସିଜିନ୍-୩ରେ ସଫଳତା ହାସଲ କରି ଚର୍ଚ୍ଚାରେ। ରାୟଗଡ଼ାର ଏହି ନାୟିକା-ଗାୟିକା ହେଲେ ଅନୁରାଧା ପାଣିଗ୍ରାହୀ। ତାଙ୍କୁ ମିଳିସାରିଛି ଗୋଲଡେନ୍ ଟିକେଟ୍। ଏବେ ଲକ୍ଷ୍ୟ ଫାଇନାଲ୍ ରାଉଣ୍ଡ୍ରେ ପହଞ୍ଚିବା।
ହାଇଦ୍ରାବାଦରେ ଇଣ୍ଡିଆନ୍ ଆଇଡଲ୍(ତେଲୁଗୁ)ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହାର ପ୍ରସାରଣ ଲୋକପ୍ରିୟ ତେଲୁଗୁ ଚାନେଲ୍ ‘ମା ଟିଭି’ରେ କରାଯାଉଛି । ଏହାଛଡ଼ା ଓଟିଟି ପ୍ଲାଟଫର୍ମରେ ବି ଏହାର ପ୍ରସାରଣ ହେଉଛି। ଏଥିରେ ସଂପ୍ରତି ବିଚାରକ ଭାବେ ପ୍ରଖ୍ୟାତ ଦକ୍ଷିଣ ଭାରତୀୟ କଣ୍ଠଶିଳ୍ପୀ କାର୍ତ୍ତିକ, ଗୀତା ମାଧୁରୀ ଓ ସଙ୍ଗୀତ ନିର୍ଦ୍ଦେଶକ ତମନ୍ ନଜର ଆସୁଛନ୍ତି। ଏହି କାର୍ଯ୍ୟକ୍ରମରେ ଅନୁରାଧାଙ୍କ ଗୀତଗୁଡ଼ିକ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଉଲ୍ଲେଖଯୋଗ୍ୟ, ଅନୁରାଧା ପାଣିଗ୍ରାହୀ ନିକଟରେ ମୁକ୍ତିଲାଭ କରିଥିବା ‘ନିର୍ଣ୍ଣୟ’ ଓ ‘ଦିଲ୍ରେ ଅଛି ତୋରି ନାଆଁ’ ଭଳି ବେଶ୍ କେତୋଟି ଓଡ଼ିଆ ସିନେମା ଓ ବହୁ ଆଲବମ୍ରେ କଣ୍ଠଦାନ କରି ଚର୍ଚ୍ଚାରେ ରହିଛନ୍ତି। ସେ ତେଲୁଗୁ ଭାଷାରେ ବି ଅନେକ ଗୀତ ଗାଇଛନ୍ତି।
-ଶିବଶଙ୍କର ଓଝା