ମୁମ୍ବାଇ: ଚଳଚ୍ଚିତ୍ର ଜଗତରେ ତିଷ୍ଠି ରହିବା ପାଇଁ ସଂଘର୍ଷ କରୁଥିବା ଯୁବତୀମାନଙ୍କୁ ଯୌନକର୍ମୀ ଭଳି ବ୍ୟବହାର କରନ୍ତି ଅନୁରାଗ। ତାଙ୍କ କ୍ଷେତ୍ରରେ ଏହା ଏକ ସ୍ବାଭାବିକ କଥା। ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କୁ ଟାର୍ଗେଟ୍ କରି ଅଭିନେତ୍ରୀ କଙ୍ଗନା ରଣାୱତ୍ଙ୍କ ଏପରି ଏକ ଟ୍ବିଟ୍ ବଲିଉଡ୍ରେ ହଇଚଇ ସୃଷ୍ଟି କରିଛି। କଙ୍ଗନା ଟ୍ବିଟ୍ କରିଛନ୍ତି, ଅଗୁରାଗ ନିଜେ ସ୍ବୀକାର କରିଛନ୍ତି ଯେ ବହୁ ଯୁବତୀଙ୍କ ସହ ତାଙ୍କର ସଂପର୍କ ରହିଛି। ପରବର୍ତ୍ତୀ ଅବସ୍ଥାରେ ସେ ସେମାନଙ୍କୁ ପ୍ରତାରଣା ଦେଇଛନ୍ତି। ତେଣୁ ଏଭଳି ବ୍ୟକ୍ତିଙ୍କୁ ଗିରଫ କରାଯାଉ ବୋଲି କଙ୍ଗନା ଦାବି କରିଛନ୍ତି। ସୂଚନାଯୋଗ୍ୟ, ଦକ୍ଷିଣ ଭାରତୀୟ ଅଭିନେତ୍ରୀ ପାୟଲ ଘୋଷ ଟ୍ବିଟ୍ କରି ଅଭିଯୋଗ କରିଥିଲେ ଯେ ଅନୁରାଗ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏହି ଟ୍ବିଟ୍ ପଦାକୁ ଆସିବା ପରେ ବହୁ ସିନେପ୍ରେମୀ ଓ ସେଲିବ୍ରିଟି ନିଜ ନିଜ ମତ ରଖିଥିଲେ। ତେବେ ବଲିଉଡ୍ର ଅସଲ ଚେହେରା ପଦାରେ ପକାଇ ଆସୁଥିବା ଅଭିନେତ୍ରୀ କଙ୍ଗନା ରଣାୱତ୍ ଏଭଳି ଏକ ସୁଯୋଗକୁ ହାତଛଡ଼ା କରିଥା’ନ୍ତେ ବା କିପରି।
କଙ୍ଗନା ନିଜ ଅନୁଭୂତିକୁ ମନେ ପକାଇ ଟ୍ବିଟ୍ କରିଛନ୍ତି, ଯାହା ପାୟଲଙ୍କ ସହ ହୋଇଛି, ମୋ ସହ ବି କିଛି ବଡ଼ କଳାକାରମାନେ କରିଥିଲେ। ଭ୍ୟାନ୍ ଓ ରୁମ୍ ବନ୍ଦ ହେବା ପରେ ଅଶ୍ଲୀଳତା ପ୍ରଦର୍ଶନ କରିବା, କାମ ପାଇଁ ଘରକୁ ଆସି ମୋ ସହ ଜବରଦସ୍ତି ବି କରାଯାଇଛି। ତେଣୁ ବଲିଉଡ୍ ପୂରା ଯୌନ ଶିକାରୀରେ ଭରପୂର ବୋଲି କଙ୍ଗନା କହିଛନ୍ତି। ବଲିଉଡ୍ରେ ‘ମି-ଠୁ’ ଅଭିଯାନ ଫେଲ୍ ହୋଇଛି ଏବଂ ପାୟଲଙ୍କୁ ମଧ୍ୟ ଦିନେ ଚୁପ୍ କରାଇ ଦିଆଯିବ ବୋଲି ସେ କହିଛନ୍ତି।