ପ୍ରତି କାର୍ଯ୍ୟକ୍ରମର ରୋଜଗାର ଅନୁସାରେ ଅନୁଷ୍କା ଶର୍ମାଙ୍କୁ ଦେବାକୁ ହେବ ସେଲସ୍ ଟ୍ୟାକ୍ସ ! ମାମଲା ଏବେ ବମ୍ବେ ହାଇକୋର୍ଟରେ…

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ‌କୌଣସି ଫିଲ୍ମକୁ ନେଇ ନୁହଁ, ବରଂ ସେଲସ୍ ଟ୍ୟାକ୍ସ ବା ବିକ୍ରିକର ନଦେବା ମାମଲାକୁ ନେଇ ଏବେ ଅନୁଷ୍କା ଚର୍ଚ୍ଚାକୁ ଆସିଛନ୍ତି। ୨୦୧୨ରୁ ୨୦୧୬ ବର୍ଷ ପାଇଁ ବିକ୍ରିକର ଦେଇନଥିବାରୁ ସେଲ୍‌ସ ଟ୍ୟାକ୍ସର ଡେପୁଟି କମିଶନରଙ୍କ ପକ୍ଷରୁ ତାଙ୍କୁ ନୋଟିସ ପଠାଯାଇଥିବା ବେଳେ ଏହାକୁ ଚ୍ୟାଲେଞ୍ଜ କରି ସେ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏନେଇ ବିକ୍ରିକର ବିଭାଗକୁ ଉତ୍ତର ରଖିବାକୁ ବମ୍ବେ ହାଇକୋର୍ଟ କହିଥିବା ବେଳେ ଆଜି ବିକ୍ରିକର ବିଭାଗ କୋର୍ଟରେ ଜବାବ ଦାଖଲ କରିଛି।

ସୂଚନା ମୁତାବକ, ବିକ୍ରିକର ବିଭାଗ ପକ୍ଷରୁ ଦାଖଲ କରାଯାଇଥିବା ‌ସତ୍ୟପାଠରେ କୁହାଯାଇଥିଲା ଯେ, ୨୦୧୨-୧୬ମଧ୍ୟରେ ଅନୁଷ୍କା ଅନେକ ଷ୍ଟେଜ୍ ସୋ’  କରିବା ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିପାଇଁ ତାଙ୍କୁ ପାରଶ୍ରମିକ ମିଳିଥିଲେ ବି ସେ କର ଦେଇନଥିଲେ। ଏଭଳି ନୋଟିସ ପାଇ ଅନୁଷ୍କା ବମ୍ବେ ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରି କହିଥିଲେ, ଜଣେ କଳାକାର ଯିଏ ଏକ ଚଳଚ୍ଚିତ୍ର, ବିଜ୍ଞାପନ କିମ୍ବା ଏକ ଷ୍ଟେଜ୍ / ଟିଭି ସୋ’ରେ ଅଭିନୟ କରନ୍ତି, ତାଙ୍କୁ ନିର୍ମାତା କୁହାଯାଇପାରିବ ନାହିଁ ଏବଂ ସେମାନେ କପିରାଇଟ୍ ସତ୍ତ୍ବାଧିକାରୀ ନୁହଁନ୍ତି। ତେଣୁ ସେ କାହିଁକି କର ଦେବେ?

ଏନେଇ କୋର୍ଟ ଉତ୍ତର ମାଗିଥିବା ବେଳେ ବିକ୍ରିକର ବିଭାଗ ପକ୍ଷରୁ ଆଜି କୁହାଯାଇଛି ଯେ, ପୁରସ୍କାର କାର୍ଯ୍ୟକ୍ରମ କିମ୍ବା ଷ୍ଟେଜ୍ ସୋ’ରେ ପ୍ରଦର୍ଶନ କରିବା ସମୟରେ ପ୍ରଥମ କପିରାଇଟର ଅଧିକାରୀ ହେଉଛନ୍ତି ସ୍ବୟଂ ଅନୁଷ୍କା ଶର୍ମା। ଅର୍ଥାତ୍ ‌‌ସେ ହିଁ ପ୍ରଥମ ସତ୍ତ୍ବାଧିକାରୀ ଥ ଏବଂ ତାଙ୍କ କାର୍ଯ୍ୟକ୍ରମରୁ ଯାହା ବି କିଛି ଆୟ ହେଉଥିଲା, ତାହା ଅନୁଷ୍କାଙ୍କ ପାଖକୁ ଯାଉଥିଲା। ତେଣୁ ‌‌ତାଙ୍କୁ ବିକ୍ରିକର ଦେବାକୁ ପଡିବ।

ବିକ୍ରିକର ବିଭାଗ ଉତ୍ତର ରଖିବା ପରେ ଗୁରୁବାର କୋର୍ଟ ଏହାର ଶୁଣାଣି କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର