ବିରାଟ ଶତକ ମାରିବା ପରେ ଖୁସି ହୋଇ ଷ୍ଟାଟସ ରଖିଲେ ଅନୁଷ୍କା, ଆଉଟ ହେଲେ କୋହଲି

ନୂଆଦିଲ୍ଲୀ: ଗୌହାଟୀରେ ଖେଳାଯାଉଥିବା ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆରେ ବିରାଟ କୋହଲିଙ୍କ ବ୍ୟାଟିଂର କମାଲ ଦେଖିବାକୁ ମିଳିଛି । କୋହଲି ଆଜି ୮୦ ବଲରେ ନିଜ କ୍ୟାରିୟରର ୭୩ତମ ଅନ୍ତର୍ଜାତୀୟ ଶତକ ମାରି ଟିମ ଇଣ୍ଡିଆର ସ୍କୋରକୁ  ୩୭୩ ପର୍ଯ୍ୟନ୍ତ ପହଞ୍ଚାଇଥିଲେ । ଏହା ଫଳରେ ଶ୍ରୀଲଙ୍କା ଆଗରେ ୩୭୪ ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ। ଏତେ ଦିନର ବ୍ୟବଧାନ ପରେ କୋହଲିଙ୍କର ଏଭଳି ଚମତ୍କାର ପ୍ରଦର୍ଶନ ଆଜି ଭାରତବାସୀଙ୍କୁ ଖୁସି କରାଇଥିବା ବେଳେ ଏହି ଖୁସିକୁ ପାଳନ କରିବା ପାଇଁ ତାଙ୍କ ସହ ନଥିଲେ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା।

ହେଲେ ଅନୁଷ୍କା ଷ୍ଟାଡିୟମ ଯାଇ ପାରିନଥିଲେ ବି ଘରେ ସ୍ବାମୀ ବିରାଟଙ୍କ ଏହି ଚମତ୍କାର ବ୍ୟାଟିଂ ଦେଖିଥିଲେ। ସେ କେବଳ ମ୍ୟାଚ୍ ଦେଖିନଥିଲେ, ବିରାଟ ଶତକ ହାସଲ କରିବା ପରେ ଟିଭିରେ ତାଙ୍କ ହସ ହସ ମୁହଁର ସ୍କ୍ରିନସଟ ନେଇ ସେ ଇନଷ୍ଟାରେ ଷ୍ଟାଟସ ମଧ୍ୟ ରଖିଥିଲେ। ସ୍କ୍ରିନସଟ ସହ ସେ ଏକ ବଡ଼ ଲାଲ ହୃଦୟର ଇମୋଜି ମଧ୍ୟ ଦେଇଥିବା ଦେଖାଯାଇଥିଲା। ହେଲେ ଅନୁଷ୍କା ଷ୍ଟାଟସ ଦେବାର କିଛି ସମୟ ପରେ ବିରାଟ ଆଉଟ ହୋଇଯାଇଥିଲେ।

ତେବେ ଆଜିର ଶତକ ସହ କୋହଲି ସଚିନଙ୍କ ଏକ ରେକର୍ଡର ସମକକ୍ଷ ହୋଇଛନ୍ତି । ତାହା ହେଉଛି ଘରୋଇ ମାଟିରେ ସର୍ବାଧିକ ସଂଖ୍ୟକ ଅନ୍ତର୍ଜାତୀୟ ଶତକ । ଉଭୟ ସଚିନ ଓ ବିରାଟ ଭାରତ ମାଟିରେ ୨୦ଟି ଲେଖାଏଁ ଅନ୍ତର୍ଜାତୀୟ ଶତକ ମାରିଛନ୍ତି ।

ଅନ୍ୟପକ୍ଷରେ ବିରାଟ ଆଉ ଏକ ରେକର୍ଡ କରିଛନ୍ତି । ସେ ଦୁଇଟି ଦେଶ ଓ୍ବେଷ୍ଟ ଇଣ୍ଡିଜ ଓ ଶ୍ରୀଲଙ୍କା ବିରୋଧରେ ୯ଟି ଲେଖାଏଁ ଶତକ ମାରିଛନ୍ତି । ଏପରି କରିବାରେ ସେ ବିଶ୍ବର ପ୍ରଥମ ଖେଳାଳି ହୋଇଛନ୍ତି ।

ସମ୍ବନ୍ଧିତ ଖବର