କନ୍ନଡ଼ ସିନେମାପରେ ଏବେ ଏହି ନାୟିକାଙ୍କ ନଜର ବଲିଉଡଉପରେ 

ମୁମ୍ବାଇ: କନ୍ନଡ଼ ଫିଲ୍ମ ଦୁନିଆରେ ନାଁ କମାଇବା ପରେ ମୁଖ୍ୟ ଅଭିନେତ୍ରୀ ଭାବେ ଅପୂର୍ବା ଅରୋଡ଼ାଙ୍କ ପ୍ରଥମ ହିନ୍ଦୀ ଫିଲ୍ମ ‘ଟର୍ନିଂ ପଏଣ୍ଟ୍‌’ ମୁକ୍ତିଲାଭ ଅପେକ୍ଷାରେ। ବାଇଶ ବର୍ଷ ବୟସ୍କା ଅପୂର୍ବା ବଲିଉଡ୍‌ ପାଇଁ ନୂଆ ନୁହନ୍ତି। ନୂଆ ଦିଲ୍ଲୀର ମୂଳ ବାସିନ୍ଦା ଏହି ଅଭିନେତ୍ରୀ ତେର ବର୍ଷ ବୟସରେ ଶିଶୁ କଳାକାର ଭାବେ ପେସାଦାର ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ ଏବଂ ତାଙ୍କର ପ୍ରଥମ ଫିଲ୍ମଟି ହିନ୍ଦୀ ଭାଷାର ଥିଲା- ‘ବବଲ୍‌ ଗମ୍‌’। ତାହା ପରେ ଅକ୍ଷୟ କୁମାର ଓ ପରେଶ ରାଓ୍ଵଲଙ୍କ ବହୁ-ଚର୍ଚ୍ଚିତ ସୁପର୍‌-ହିଟ୍‌ ଚଳଚ୍ଚିତ୍ର ‘ଓ ମାଇ ଗଡ୍‌’। ଏଥିରେ ସେ ପରେଶଙ୍କ କନ୍ୟା ଭୂମିକାରେ ବାହାରିଥିଲେ। ୨୦୧୪ରେ ଅକ୍ଷୟ କୁମାରଙ୍କ ପରଦା-ଭଉଣୀ ସାଜି, ସେ ଦେଖିବାକୁ ମିଳିଥିଲେ ‘ହଲିଡେ: ଏ ସୋଲ୍‌ଜିଅର୍‌ ଇଜ୍‌ ନେଭର୍‌ ଅଫ୍‌ ଡ୍ୟୁଟି’ରେ।

ଏବେ ‘ଟର୍ନିଂ ପଏଣ୍ଟ୍‌’ ତାଙ୍କ ବଲିଉଡ୍‌ ଜୀବନକୁ ଏକ ନୂଆ ମୋଡ଼ ଦେବାକୁ ଯାଉଛି। ଇତି ମଧ୍ୟରେ ସେ ଗୁଡ଼ିଏ କନ୍ନଡ଼ ଭାଷାର ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରି ଦକ୍ଷିଣରେ ସୁପରିଚିତ। ପଂଜାବୀ, ତେଲୁଗୁ, ମରାଠୀ ଓ ଗୁଜରାତୀ ଫିଲ୍ମ ଦୁନିଆରେ ମଧ୍ୟ ପ୍ରବେଶ କରିସାରିଛନ୍ତି। ‘କାଡ୍‌ବରି ପକ୍‌ର୍’ ଚକ୍‌ଲେଟ୍‌ ବିଜ୍ଞାପନ ତାଙ୍କୁ ଗ୍ଲାମର୍‌ ଦୁନିଆରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ତାହା ପରଠାରୁ ଅପୂର୍ବାଙ୍କ କ୍ରମାଗତ ଅଗ୍ରଗତି ଅତି ଅପୂର୍ବ ନ ହେଲେ ବି ଉଲ୍ଲେଖନୀୟ।

ସମ୍ବନ୍ଧିତ ଖବର