ଆପଣ କିଏ…‘ମେନେ ପାୟଲ ହେ ଛନକାଇ’ର ରିମିକ୍ସକୁ ନେଇ ନେହାଙ୍କ ଉପରେ ବର୍ଷିଲେ ଏଆର ରେହମାନ

ମୁମ୍ବାଇ: କିଛି ଦିନ ତଳେ ରିଲିଜ୍ ହୋଇଥିଲା ୯୦ଦଶକର ଗୀତ ‘ମେନେ ପାୟଲ ହେ ଛନକାଇ’ର ରିମିକ୍ସ। ୯୦ଦଶକରେ ଏହାକୁ ଗାଇଥିଲେ ଫାଲଗୁନି ପାଠକ। ସେ ସମୟରେ ରିଲିଜ୍ ହୋଇଥିବା ଏହି ଗୀତର ଲୋକପ୍ରିୟତା ଏତେ ଥିଲା ଯେ, ‌ଏବେ ବି ଏହାର ପ୍ରଭାବ ଲୋକଙ୍କ ଉପରେ ରହିଛି। ତେବେ ଏହାର ରିମିକ୍ସ ଆସିବା ପରେ ଲୋକେ ଏହାକୁ ନାପସନ୍ଦ କରୁଥିବା ଦେଖାଯାଇଛି। ଗୀତଟି ‌କଣ୍ଠଶିଳ୍ପୀ ନେହା କକ୍କର ଗାଇଥିବା ବ‌େଳେ ଏଥିରେ ନେହା କକ୍କର, ଅଭିନେତା ପ୍ରିୟାଙ୍କ ଶର୍ମା ଏବଂ କୋରିଓଗ୍ରାଫର ଧନଶ୍ରୀ ବର୍ମା ଅଭିନୟ କରିଛନ୍ତି। ଗୀତଟି କେବଳ ଶ୍ରୋତାଙ୍କୁ ନୁହେଁ ଫାଲଗୁନି ପାଠକଙ୍କୁ ମଧ୍ୟ ନିରାଶ କରିଥିବା ଜଣାପଡ଼ିଛି।

ପୂର୍ବରୁ ଫାଲଗୁନି ପାଠକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିବା ବେଳେ ଏବେ ମ୍ୟୁଜିକ ଇଣ୍ଡଷ୍ଟ୍ରିର ଦିଗ୍ଗଜ ଏ ଆର ରେହମାନ ଗୀତକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ନେହାଙ୍କ ନାଁ ନେଇନଥିଲେ ବି ତାଙ୍କ ପ୍ରତିକ୍ରିୟାରୁ ସେ ନେହାଙ୍କୁ ଟାର୍ଗେଟ କରୁଥିବା ସ୍ପଷ୍ଟ ଜଣାପଡ଼ୁଛି। ରେହମାନ କହିଛନ୍ତି ଯେ, ମୁଁ ଯେତେ ଅଧିକ ରିମିକ୍ସ ସଂସ୍କୃତି ଦେଖୁଛି, ତାହା ମୋ ପାଇଁ ସେତେ ଅଧିକ ବିକୃତ ହେବାରେ ଲାଗିଛି। ସଙ୍ଗୀତ ସଂଯୋଜକଙ୍କ ଉଦ୍ଦେଶ୍ୟ ବିକୃତ ହୋଇଯାଇଛି। ଲୋକମାନେ କହୁଛନ୍ତି, ମୁଁ ଏହାକୁ ପୁନର୍ବାର କଳ୍ପନା କରିଛି। ଆପଣ ପୁନର୍ବାର କଳ୍ପନା କରିବାକୁ କିଏ? ମୁଁ ଅନ୍ୟର କାମକୁ ନେଇ ସର୍ବଦା ଯତ୍ନବାନ। ଆପଣ ଅନ୍ୟମାନଙ୍କ କାମକୁ ସମ୍ମାନ ଦେବା ଉଚିତ୍। ଆମକୁ ରିମିକ୍ସ ସଂସ୍କୃତିକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ କରିବା ଆବଶ୍ୟକ।

ସମ୍ବନ୍ଧିତ ଖବର