ନୂଆଦିଲ୍ଲୀ: ଓସ୍କାର ବିଜେତା ସଂଗୀତକାର ଏଆର ରହମାନଙ୍କୁ ଡିହାଇଡ୍ରେସନ୍ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରହମାନଙ୍କ ପୁଅ ଅମିନ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇ କହିଛନ୍ତି,‘ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି। ସେ ଘରକୁ ଫେରି ଆସିଛନ୍ତି।’
ଏଭଳି ସ୍ଥିତିରେ ସଂଗୀତକାରଙ୍କ ପତ୍ନୀ ସାଇରା ବାନୁଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସ୍ୱାମୀ ରହମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେବା ସହିତ ସେ ଲୋକମାନଙ୍କୁ ତାଙ୍କୁ 'ପୂର୍ବ ସ୍ତ୍ରୀ' ନ କହିବା ପାଇଁ ଏକ ବିଶେଷ ଅନୁରୋଧ କରିଛନ୍ତି।
ସାଇରା ଏକ ଭଏସ୍ ନୋଟ୍ ମାଧ୍ୟମରେ କହିଛନ୍ତି, 'ମୁଁ ଖବର ପାଇଛି ଯେ ଏଆର୍ ରହମାନଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୁଁ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି। ତାଙ୍କର ଆଞ୍ଜିଓଗ୍ରାଫି ହୋଇଥିଲା ଏବଂ ଆଲ୍ଲାଙ୍କ କୃପାରୁ ସେ ଏବେ ସୁସ୍ଥ ଅଛନ୍ତି।
ତେବେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଆଉ ଏକ କଥା କହିବାକୁ ଚାହୁଁଛି ଯେ ରହମାନଙ୍କ ସହ ମୋର ଆନୁଷ୍ଠାନିକ ଭାବରେ ଛାଡପତ୍ର ହୋଇନାହିଁ। ଆମେ ଏବେ ବି ସ୍ୱାମୀ-ସ୍ତ୍ରୀ। ଆମେ କେବଳ ଅଲଗା ହୋଇଛୁ। କାରଣ ମୁଁ ଗତ ଦୁଇ ବର୍ଷ ଧରି ଅସୁସ୍ଥ ଥିଲି । ତେଣୁ ତାଙ୍କୁ ଅଧିକ ଚାପ ଦେବାକୁ ଚାହୁଁ ନଥିଲି।