ଓଲିଉଡର ଏହି ଦୁଇ ଚର୍ଚ୍ଚିତ ନାୟିକାଙ୍କୁ ପ୍ରଥମ ସିନେମା ମିଳିବା ବେଳେ ସେମାନେ ଥିଲେ ସ୍କୁଲଗାର୍ଲ

କଟକ: ଓଲିଉଡରେ ଏଭଳି କେତେକ ନାୟିକା ଅଛନ୍ତି, ଯାହାଙ୍କୁ ପ୍ରଥମ ସିନେମାରେ ମିଳିଛି ଟିନ୍‌ଏଜର ଭୂମିକା । ଆଉ ସତରେ ସେମାନଙ୍କ ପ୍ରକୃତ ବୟସ ବି କମ୍‌ ଥିଲା ସେତେବେଳେ । ଅର୍ଥାତ୍‌ ସେମାନେ ବାସ୍ତବଜୀବନ ରେ ମଧ୍ୟ ଥିଲେ ଟିନ୍‌ଏଜର୍‌ । ଏଭଳି ଦୁଇ ବହୁ ଚର୍ଚ୍ଚିତ ଓଲିଉଡ ନାୟିକା ହେଲେ ଅର୍ଚ୍ଚିତା ଓ ଭୂମିକା । ଏ ଦୁହେଁ ଯେତେବେଳେ ନାୟିକା ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ, ସେତେବେଳେ ଏମାନଙ୍କ ବୟସ ଚଉଦ କି ପନ୍ଦର ଥିଲା ।

ହଁ, ଅର୍ଚ୍ଚିତା ୨୦୦୫ ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଓ ମାଇଁ ଲଭ୍‌’ ଜରିଆରେ ଓଲିଉଡ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ପାଇଁ ଚୁକ୍ତିବଦ୍ଧ ହେବା ବେଳକୁ ସେ ଟିନଏଜ୍‌ର । ଦଶମ ଶ୍ରେଣୀରେ ପଢୁଥିବା ବେଳେ ହିଁ ଅର୍ଚ୍ଚିତାଙ୍କୁ ପ୍ରଥମ ସିନେମା ‘ଓ ମାଇଁ ଲଭ୍‌’ ମିଳିଥିଲା । ଆଉ ସେହି ସିନେମାରେ ବି ଅର୍ଚ୍ଚିତାଙ୍କୁ ଦେଖିବାକୁ ମିଳିଥିଲା ଜଣେ ଟିନ୍‌ଏଜର ଭୂମିକାରେ । ଏଥିରେ ନବାଗତ ରାଜଦୀପ୍‌ ଥିଲେ ତାଙ୍କର ନାୟକ । ଫିଲ୍ମକୁ ଆଶାନୁରୂପେ ସଫଳତା ମିଳି ନ ଥିଲା ଅବଶ୍ୟ । ତେବେ ‘ଓ ମାଇଁ ଲଭ୍‌’ ଏକ ଟିନ୍‌ଏଜ୍‌ ଲଭଷ୍ଟୋରି ଭାବେ ଦର୍ଶକଙ୍କ ମନରେ ଅନେକ ଦିନ ଯାଏଁ ରହିବ ।

ଠିକ୍‌ ସେହିପରି ଆଜିକାର ଚର୍ଚ୍ଚିତ ନାୟିକା ଭୂମିକା ଦାଶ ନବମ ଶ୍ରେଣୀରେ ପଢୁଥିବା ବେଳେ ହିଁ ପାଇଥିଲେ ତାଙ୍କ ପ୍ରଥମ ସିନେମା ‘ତୁ ମୋ ଲଭଷ୍ଟୋରି’ ର ଅଫର୍‌ । ଏହି ଫିଲ୍ମରେ ତାଙ୍କୁ ବି ମିଳିଥିଲା ଜଣେ ଟିନଏଜର୍‌ ଭୂମିକା । ଇଂଜିନିୟରିଂ କଲେଜର ପ୍ରଥମ ବର୍ଷ ଛାତ୍ରୀ ଭୂମିକାରେ ନଜର ଆସିଥିଲେ ଭୂମିକା । ଏହି ସିନେମାରେ ଭୂମିକାଙ୍କ ବିପକ୍ଷରେ ସ୍ୱରାଜଙ୍କୁ ଦେଖିବାକୁ ମିଳିଥିଲା । କହିବା ବାହୁଲ୍ୟ ଯେ ଭୂମିକାଙ୍କ ଅଭିନୀତ ପ୍ରଥମ ସିନେମା ‘ତୁ ମୋ ଲଭ୍‌ ଷ୍ଟୋରି’ ସୁପରହିଟ୍‌ ହୋଇଥିଲା ।

ସମ୍ବନ୍ଧିତ ଖବର