ଜ୍ୟୋତିରଞ୍ଜନ ମହାନ୍ତିଙ୍କ ପ୍ରଯୋଜିତ ତଥା ଅଶ୍ବିନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ‘ଡେଲିଭରି ବୟ’ ୨୦୨୩ ଏପ୍ରିଲ୍‌ ୭ ତାରିଖରେ ମୁକ୍ତିଲାଭ କରିଥିଲା। ଜଣେ ଡେଲିଭରି ବୟର ଦୁର୍ଘଟଣାଜନିତ ମୃତ୍ୟୁ ଘଟଣା ନ୍ୟାୟାଳୟରେ ପହଞ୍ଚେ। ବିଚାର ପରେ ମୃତ ଡେଲିଭରି ବୟକୁ ନ୍ୟାୟ ମିଳେ। ଏଥିରେ ଶୈଳେନ୍ଦ୍ର ଓ ସନ୍ତୁ  ଶୀର୍ଷକ ଭୂମିକାରେ ଅଭିନୟ କରିଥିଲେ। ଏଭଳି ଭିନ୍ନ ଧରଣର କାହାଣୀକୁ ନେଇ ପ୍ରସ୍ତୁତ ‘ଡେଲିଭରି ବୟ’କୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ପ୍ରଯୋଜକ ଜେ.ଆର.ଏମ୍‌.ଙ୍କ କାହାଣୀକୁ ସଂଳାପରେ ସଜାଇଥିଲେ ଡ. ଦୀପକ ଜେନା। ଏଥିରେ ବୁଦ୍ଧାଦିତ୍ୟ, ସୂର୍ଯ୍ୟମୟୀ,  ଶୈଳେନ୍ଦ୍ର, ଶକ୍ତି ବରାଳ, ଜୀବନ ପଣ୍ଡା, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ସନ୍ତୁ, ଅମନ୍, ଗୁଡ୍ଡୁ, ପ୍ରିୟମ୍ବଦା ଓ ପୁପୁଲ୍ ପ୍ରମୁଖ ଅଭିନୟ କରିଥିଲେ।

Advertisment

ଏବେ ଏହାର ଦ୍ବିତୀୟ ସଂସ୍କରଣ ‘ଡେଲିଭରି ବୟ-୨’ ମୁକ୍ତିଲାଭ କରିବାକୁ ଯାଉଛି। କୌତୂହଳର ବିଷୟ ହେଲା, ଦର୍ଶକ ଏଥିରେ ନାୟିକା ଅର୍ଚ୍ଚିତାଙ୍କୁ ଡେଲିଭରି ବୟ ଭୂମିକାରେ ଦେଖିବାକୁ ପାଇବେ। ସେ ପଲ୍ଲବୀ ନାମ୍ନୀ ଜଣେ ମହିଳା ଡେଲିଭରି ବୟ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। କିଭଳି ସମସ୍ୟାରେ ପଡ଼ି ଜଣେ ଶିକ୍ଷିତ ଯୁବତୀ ଏଭଳି ବୃତ୍ତି ଆପଣାଇଛି, ତାହାକୁ ନେଇ କାହାଣୀ ଗତିଶୀଳ ହୋଇଛି। ଫିଲ୍ମର ନିର୍ଦ୍ଦେଶକ ଅଶ୍ବିନ ତ୍ରିପାଠୀଙ୍କ କହିବା ଅନୁଯାୟୀ, ଏହା ଏକ ବଡ଼ ବଜେଟ୍ ଓ ବଡ଼ ଷ୍ଟାର୍‌କାଷ୍ଟ୍‌ର ସିନେମା। ଏଥିରେ ଅର୍ଚ୍ଚିତାଙ୍କୁ ଦର୍ଶକ ପୁଣି ଥରେ ଭିନ୍ନ ଧରଣର ଭୂମିକା ଓ ଗେଟ୍‌ଅପ୍‌ରେ ଦେଖିବାକୁ ପାଇବେ। ‘ପାଦେ ଆକାଶ’କୁ ନେଇ ସଂପ୍ରତି ଚର୍ଚ୍ଚାରେ ଥିବା ଅର୍ଚ୍ଚିତା ଜ୍ୟୋତିରଞ୍ଜନ ମହାନ୍ତିଙ୍କ ପ୍ରଯୋଜିତ ‘ଡେଲିଭରି ବୟ ୨’ରେ ପୁଣି ନିଜ ପ୍ରତିଭାର ଉପଯୁକ୍ତ ପ୍ରଦର୍ଶନ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।