କାହା ସହ ଅର୍ଚ୍ଚିତାଙ୍କ ଯୋଡି ହିଟ୍‌ ଆଉ କାହା ସହ ଫ୍ଲପ୍‌?

ଭୁବନେଶ୍ୱର: ପ୍ରଭାଂଶୁ ସାମନ୍ତରାୟଙ୍କ ପ୍ରଯୋଜିତ ତଥା ସଞ୍ଜୟ ନାୟକଙ୍କ ନିର୍ଦେଶିତ ‘ଓ ମାଇ ଲଭ୍‌’ ସିନେମାରୁ ଓଲିଉଡରେ କ୍ୟାରିଅର୍‌ ଆରମ୍ଭ କରିଥିଲେ ଆଜିର ଲୋକପ୍ରିୟ ନାୟିକା ଅର୍ଚ୍ଚିତା। ଏହି ସିନେମାରେ ଅର୍ଚ୍ଚିତାଙ୍କର ନାୟକ ଥିଲେ ନବାଗତ ରାଜଦୀପ। ଏହି ଯୋଡ଼ି ଆଦୃତ ହୋଇଥିଲା । ଏହାପରେ ଅର୍ଚ୍ଚିତା ପୁଣିଥରେ ଜଣେ ନୂଆ ନାୟକଙ୍କ ସହ ଅନ୍‌ ସ୍କ୍ରିନ୍‌ ରୋମାନସ୍‌ କରିବାର ସୁଯୋଗ ପାଇଥିଲେ । ସେ ହେଲେ ଚନ୍ଦନ । ବାଲୁଙ୍କେଶ୍ୱର ଫିଲ୍ମସ୍‌ ପ୍ରସ୍ତୁତ ‘ବାବୁ ଆଇ ଲଭ୍‌ ୟୁ’ ସିନେମାରେ ଏହି ଯୋଡିଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ । କିନ୍ତୁ ଏହାପରେ ସେ ଅନ୍ୟ ନାମକରା ନାୟକଙ୍କ ସହ ଅବଶ୍ୟ ଯୋଡି ବନାଇଛନ୍ତି । ଅନୁଭବଙ୍କ ସହିତ ତାଙ୍କୁ ‘ଧନରେ ରଖିବୁ ଶପଥ ମୋର’, ‘ତୋ’ ବିନା ମୋ’ କାହାଣୀ ଅଧା’ ଏବଂ ‘ଆକାଶେ କି ରଙ୍ଗ ଲାଗିଲା’ରେ କାମ କରିଛନ୍ତି ଅର୍ଚ୍ଚିତା । ଅନୁଭବ-ଅର୍ଚ୍ଚିତାଙ୍କ ଯୋଡି ପ୍ରଥମ ସିନେମାରେ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ନିର୍ମିତ‘ଆକାଶେ କି ରଙ୍ଗ ଲାଗିଲା’ରେ ସବୁଠୁ ବେଶି ପସନ୍ଦ କରାଯାଇଥିଲା। କାରଣ ଏହା ହେଉଛି ଏହି ଯୋଡିଙ୍କର ସବୁଠୁ ବଡ଼ ହିଟ୍‌ ସିନେମା।

ଠିକ୍‌ ସେହିପରି ଅନ୍ୟତମ ଲୋକପ୍ରିୟ ନାୟକ ଅରିନ୍ଦମ୍‌ଙ୍କ ସହ ଏହି ନାୟିକାଙ୍କର ରୋମାନସ୍‌ ଦେଖିବାକୁ ପାଇଛନ୍ତି ସିନେପ୍ରେମୀ ଚାରିଟି ଛବି ‘ତୋ’ ପାଇଁ ନେବି ମୁଁ ଶହେ ଜନମ’, ‘ମୁଁ ସପନର ସୌଦାଗର’ ,‘ରଜା ଝିଅ ସାଙ୍ଗେ ହେଇଗଲା ଭାବ’ ଏବଂ ‘ଶିବା ନଟ୍‌ ଆଉଟ୍‌’ରେ । କହିବାବାହୁଲ୍ୟ ଯେ ଉପରୋକ୍ତ ସିନେମାଗୁଡିକ ଭଲ ବ୍ୟବସାୟ କରିଛି ଏବଂ ଏହି ଯୋଡି ଏକ ହିଟ୍‌ ଯୋଡିର ମାନ୍ୟତା ପାଇଛନ୍ତି। ଅପରପକ୍ଷରେ ଷ୍ଟାର୍‌ସନ୍‌ ବାବୁସାନ୍‌ଙ୍କ ସହିତ ଅର୍ଚ୍ଚିତା ‘ଥୁକୁଲ୍‌’ , ‘ଚକଲେଟ୍‌’ ଏବଂ ‘ଲୋଫର୍‌’ରେ କାମ କରିଛନ୍ତି । ଯଦିଓ ବାବୁସାନଙ୍କ ସହ ଅର୍ଚ୍ଚିତାଙ୍କ ଯୋଡି ଭଲ ଲାଗିଛି ଦର୍ଶକଙ୍କୁ ,ତଥାପି ଏହା ଏକ ହିଟ୍‌ ଯୋଡର ମାନ୍ୟତା ପାଇ ନାହିଁ। ଏହାର କାରଣ ହେଲା ଏହି ଯୋଡିର ପ୍ରଥମ ଦୁଇଟି ଛବି ବକ୍ସଅଫିସରେ ବିଶେଷସଫଳତା ପାଇନାହିଁ।

ଉପରୋକ୍ତ ତିନି ଟପ୍‌ ନାୟକ ଅନୁଭବ,ଅରିନ୍ଦମ୍‌ଏବଂ ବାବୁସାନ୍‌ଙ୍କ ସହ ଯୋଡି ବନାଇ ଅବଶ୍ୟ ହାଟ୍ରିକ୍‌ କରିଛନ୍ତି । ହେଲେ ସବୁଠୁ ବେଶି ସିନେମା ଅର୍ଚ୍ଚିତା ସବ୍ୟସାଚୀଙ୍କ ସହ କରିଛନ୍ତି।ସବ୍ୟସାଚୀ-ଅର୍ଚ୍ଚିତା ଯୋଡିଙ୍କର ପ୍ରଥମ ସିନେମା ହେଲା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମୁଁ ସପନର ସୌଦାଗର’। ଏହି ସିନେମାରେ ଅବଶ୍ୟ ସବ୍ୟ ଥିଲେ ଆଣ୍ଟି ହିରୋ ରୋଲରେ। ଏହାପରେ ଏହି ଯୋଡିକୁ ଦର୍ଶକ ‘ମତେ ଆଣି ଦେଲ ଲକ୍ଷେ ଫଗୁଣ’,କେଉଁ ଦୁନିଆରୁ ଆସିଲ ବନ୍ଧୁ, ‘ପାଗଳ କରିଚି ପାଉଁଜି ତୋର’ , ତୋର ମୋର ଯୋଡି ସୁନ୍ଦର,ପିଲାଟା ବିଗିଡ଼ି ଗଲା,ହେଲା ମତେ ପ୍ରେମ ଜର, ସ୍ମାଇଲ୍‌ ପ୍ଲିଜ୍‌ ,ଛାତି ତଳେ ଡିଙ୍ଗ ଡଂ ଓ ‘ବାଏ ବାଏ ଦୁବାଇ’ରେ ଦେଖିବାକୁ ପାଇଛନ୍ତି। ଏହି ଯୋଡି କେବେ ହିଟ୍‌ ତ କେବେ ଫ୍ଲପ୍‌ ହୋଇଛି।

ଆକାଶଙ୍କ ସହିତ ତାଙ୍କୁ ‘ଶପଥ’ ଏବଂ ‘ଆଲୋ ମୋର କଣ୍ଢେଇ’ରେ ଦେଖିବାକୁ ମିଳିଥିବା ବେଳେ ବୁଦ୍ଧାଦିତ୍ୟଙ୍କ ସହ ‘ପାଗଳ କରିଚି ପାଉଁଜି ତୋର’ ଓ ବାଏ ବାଏ ଦୁବାଇ’ରେ ନଜର ଆସିଛନ୍ତି ଅର୍ଚ୍ଚିତା । ଏହି ଯୋଡି ସେମି ହିଟ୍‌ ପର୍ଯ୍ୟାୟଭୁକ୍ତ ହେବ।

ସମ୍ବନ୍ଧିତ ଖବର