ଯିଏ ମୋ ସପନେ ଆସି ନିଦକୁ କଲା ଚୂନା ଚୂନା...
ତୁ କି ସେଇ ନୀଳନୟନା... ତୁ କି ସେଇ ନୀଳନୟନା...।
ଏଇ ଲୋକପ୍ରିୟ ଓଡ଼ିଆ ଗୀତରେ ନାୟକ ତା’ ସ୍ବପ୍ନରେ ଆସିଥିବା ନୀଳନୟନା ନାୟିକାକୁ ଝୁରିହେଉଛି। ତା’ର ସଙ୍ଗସାନ୍ନିଧ୍ୟ ପାଇଁ ସେ ବ୍ୟାକୁଳ। ତାକୁ ସେ ଖୋଜି ପାଉଛି ତ? କେବଳ ଏ ଗୀତର ନାୟିକା ନୁହେଁ, ପ୍ରତି ନୀଳନୟନାର ଚାହାଣିର ଆବେଦନ ସ୍ବତନ୍ତ୍ର। କିନ୍ତୁ ତା’ର ଏ ନୀଳଆଖି ପଛର ରହସ୍ୟ କ’ଣ? ସାଧାରଣ ଭାବେ ଆଖିର ରଙ୍ଗ କଳା କିମ୍ବା ଧୂସର, ହେଲେ ଯେଉଁମାନଙ୍କ ଆଖିର ରଙ୍ଗ ନୀଳ, ସବୁଜ ଅଥବା ହେଜଲ୍ ସେମାନେ ଟିକେ ନିଆରା। ଆସନ୍ତୁ ଜାଣିବା ଆଖିର ନିଆରା କାହାଣୀ...
ବାସ୍ତବରେ ଆମ ତ୍ବଚାର ରଙ୍ଗ ଗୋରା, କଳା ଓ ଶ୍ୟାମଳ ହେବା ପଛରେ ଯେଉଁଭଳି ମେଲାନିନ୍ ପିଗ୍ମେଣ୍ଟ୍ ଦାୟୀ ହୋଇଥାଏ; ଠିକ୍ ସେହିଭଳି ଆଖିର ରଙ୍ଗ ମଧ୍ୟ ମେଲାନିନ୍ର ପରିମାଣ ହିଁ ନିର୍ଣ୍ଣୟ କରିଥାଏ। ଶରୀରରେ ମେଲାନିନ୍ର ପରିମାଣ ଅଧିକ ହେଲେ ବ୍ୟକ୍ତି ଯେମିତି କଳା ଦେଖାଯାଏ; ଠିକ୍ ସେହିଭଳି ଆଖି ପିତୁଳା(ଆଇରିସ୍)ରେ ମେଲାନିନ୍ ଅଧିକ ହେଲେ, ଆଖିର ରଙ୍ଗ ଗାଢ଼ ହୋଇଥାଏ। ପିତୁଳାରେ ମେଲାନିନ୍ କମ୍ ପରିମାଣରେ ଉତ୍ପନ୍ନ ହେଲେ ଆଖିର ରଙ୍ଗ ହାଲ୍କା ହେବାରେ ଲାଗେ।
ନୀଳ ଆଖିର ରହସ୍ୟ
କୋପେନହେେଗନ୍ ବିଶ୍ବବିଦ୍ୟାଳୟର ଗବେଷଣାରୁ ଜଣାପଡ଼ିଛି, ମୂଳତଃ ସମଗ୍ର ମାନବ ସମାଜର ଆଖିର ରଙ୍ଗ କଳା କିମ୍ବା ଧୂସର ହିଁ ଥିଲା। କିନ୍ତୁ ପାଖାପାଖି ୬ରୁ ୧୦ ହଜାର ବର୍ଷ ପୂର୍ବରୁ ୟୁରୋପର କିଛି ଶିଶୁ ଏକ ପ୍ରକାର ଜେନେଟିକ୍ ମ୍ୟୁଟେସନ୍ (ଜିନୀୟ ପରିବର୍ତ୍ତନ) ସହ ଜନ୍ମ ହେଲେ। ଏହି ପରିବର୍ତ୍ତନ କ୍ଷତିକାରକ ନଥିଲା, କିନ୍ତୁ ଶିଶୁମାନଙ୍କ ଆଖି ପିତୁଳାରେ କମ୍ ପରିମାଣର ମେଲାନିନ୍ ଉତ୍ପନ୍ନ ହୋଇଥିଲା। ଫଳରେ ଆଖିପିତୁଳାରେ କମ୍ ମାତ୍ରାରେ ଆଲୋକ ଅବଶୋଷିତ ହୋଇ ଆଖିର ରଙ୍ଗ ନୀଳ ଦେଖାଯାଇଥିଲା। ପରେ ସେମାନଙ୍କଠାରୁ ଜନ୍ମିତ ଶିଶୁଙ୍କ ଆଖିର ରଙ୍ଗ ବି ନୀଳ ହୋଇଥିଲା। ଏବେ ଆମେ ବିଶ୍ବରେ ଯେତେ ସବୁ ନୀଳ ଆଖି ଥିବା ଲୋକଙ୍କୁ ଦେଖୁଛେ, ସେମାନଙ୍କ ପୂର୍ବଜ ଏକ। ବିଶ୍ବସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ନୀଳନୟନା ଭାବେ ସୁପ୍ରସିଦ୍ଧ ଥିବା େବଳେ ତାଙ୍କ ଆଖିର ରଙ୍ଗ ବ୍ଲୁଇସ୍-ଗ୍ରିନ୍ (ସବୁଜିଆ ନୀଳ)। ସେହିଭଳି ୨୦୦୧ ମସିହାର ମିସ୍ ଇଣ୍ଡିଆ ତଥା ଅଭିନେତ୍ରୀ ସେଲିନା ଜେଟ୍ଲି ବି ସବୁଜିଆ ନୀଳ ଆଖି ପାଇଛନ୍ତି। ବିଶ୍ବର ୮ରୁ ୧୦% ଲୋକଙ୍କଠାରେ ନୀଳ ଆଖି ଦେଖାଯାଇଥାଏ।
ଆଖି ବି ରଙ୍ଗ ବଦଳାଏ!
ନୀଳ ରଙ୍ଗ ବ୍ୟତୀତ କିଛି େଲାକଙ୍କର ଆଖିର ରଙ୍ଗ ସବୁଜ ଓ ହେଜଲ୍। ବିଶ୍ବର ମାତ୍ର ୨% ଲୋକଙ୍କଠାରେ ସବୁଜ ଆଖି ଦେଖିବାକୁ ମିଳିଥାଏ। ଏହା ବିଶ୍ବର ସବୁଠାରୁ ବିରଳ ଆଖିର ରଙ୍ଗ। ଆର୍ୟଲ୍ୟାଣ୍ଡ୍, ସ୍କଟ୍ଲ୍ୟାଣ୍ଡ୍ ଓ ଉତ୍ତର ୟୁରୋପୀୟ ଦେଶଗୁଡ଼ିକରେ ଅଧିକ ସଂଖ୍ୟକ ଲୋକଙ୍କ ଆଖି ସବୁଜ ହୋଇଥାଏ। ଆର୍ୟଲ୍ୟାଣ୍ଡ୍ ଓ ସ୍କଟ୍ଲ୍ୟାଣ୍ଡ୍ ଜନସଂଖ୍ୟାର ପାଖାପାଖି ତିନି ଚତୁର୍ଥାଂଶ ଲୋକଙ୍କ ଆଖିର ରଙ୍ଗ ନୀଳ କିମ୍ବା ସବୁଜ । ଆଶ୍ଚର୍ଯ୍ୟ ଲାଗିଲେ ଏହା ସତ ଯେ ଏତେ ସୁନ୍ଦର ସବୁଜ ରଙ୍ଗର ଆଖିର ବାସ୍ତବରେ କୌଣସି ରଙ୍ଗ ନଥାଏ! ‘ନୀଳ ରଙ୍ଗର ଆଖି’ ଥିବା ବ୍ୟକ୍ତିଙ୍କ ପିତୁଳାରେ ମେଲାନିନ୍ ପିଗ୍ମେଣ୍ଟ୍ କମ୍ ପରିମାଣରେ ଉତ୍ପନ୍ନ ହେଉଥିବା ବେଳେ ସବୁଜ ରଙ୍ଗର ଆଖି ଥିବା ବ୍ୟକ୍ତିଙ୍କ ପିତୁଳାରେ କମ୍ରୁ ନଗଣ୍ୟ ପରିମାଣର ମେଲାନିନ୍ ଉତ୍ପନ୍ନ ହୋଇଥାଏ। ଫଳରେ ଆଖି ପିତୁଳାରେ ଆଲୋକ ପଡ଼ିଲେ ତାହା ଅବଶୋଷିତ ନ ହୋଇ ବିଚ୍ଛୁରିତ ହୋଇଯାଏ ଏବଂ ଆଖିର ରଙ୍ଗ ସବୁଜ ଦେଖାଯାଏ। କେହି କେହି ଏକଥା କହିବାର ଆମେ ଶୁଣୁ ଯେ ଆଖିର ରଙ୍ଗ ବଦଳେ। ହଁ, ଏହା କିଛି ମାତ୍ରାରେ ସତ। କାରଣ ଯଦି ଆଲୋକରେ କିଛି ପରିବର୍ତ୍ତନ ହୁଏ ତେବେ ଆଲୋକର ପ୍ରଭାବରେ ‘ହାଲ୍କା ସବୁଜ’ ରଙ୍ଗର ଆଖି ଥିବା ବ୍ୟକ୍ତିଙ୍କ ଆଖିର ରଙ୍ଗରେ ବି ପରିବର୍ତ୍ତନ ଆସେ। ଯେମିତି ବହୁରୂପୀ ଏଣ୍ଡୁଅ ପରିବେଶକୁ ଦେଖି ନିଜ ରଙ୍ଗ ବଦଳାଇଥାଏ, ଠିକ୍ ସେହିଭଳି ଆଲୋକ ପ୍ରଭାବରେ ସବୁଜ ଆଖିଥିବା ବ୍ୟକ୍ତିଙ୍କ ଆଖିର ରଙ୍ଗରେ କିଛିଟା ପରିବର୍ତ୍ତନ ହୋଇଥାଏ। କମଲ୍ ହାସନ ଓ ସାରିକା ଠାକୁରଙ୍କ ଝିଅ ଅଭିନେତ୍ରୀ ଅକ୍ଷରା ହାସନଙ୍କ ଆଖିର ରଙ୍ଗ ‘ସବୁଜ’।
ହେଜଲ୍ ରଙ୍ଗର ଆଖି
ସବୁଜ ରଙ୍ଗ ପରେ ହେଜଲ୍ ରଙ୍ଗର ଆଖି ବିଶ୍ବରେ ବହୁ କମ୍ ସଂଖ୍ୟକ ଲୋକଙ୍କଠାରେ ଦେଖିବାକୁ ମିଳିଥାଏ। ସର୍ବେକ୍ଷଣ କହୁଛି, ଆମେରିକାର ଜନସଂଖ୍ୟାର ପ୍ରାୟ ୧୮% ଲୋକଙ୍କଠାରେ ହେଜଲ୍ ରଙ୍ଗର ଆଖି ଦେଖାଯାଉଥିବା ବେଳେ ବିଶ୍ବର ମାତ୍ର ୫% ଲୋକଙ୍କ ଆଖିର ରଙ୍ଗ ଏହିଭଳି। ଏହି ହେଜଲ୍ ରଙ୍ଗ ଧୂସର, ସବୁଜ ଓ ସୁନେଲି ରଙ୍ଗର ଏକ ମିଶ୍ରଣ ଅଟେ। ଧୂସର ଆଖି ଥିବା ଲୋକ ପିତୁଳାଠାରୁ କମ୍ ଓ ସବୁଜ ଆଖି ଥିବା ବ୍ୟକ୍ତିଙ୍କ ପିତୁଳାଠାରୁ ଅଧିକ ମେଲାନିନ୍ ଉତ୍ପନ୍ନ ହେଉଥିବା ଲୋକଙ୍କଠାରେ ଏହି ରଙ୍ଗର ଆଖି ଦେଖାଯାଏ। ସବୁଜ ଭଳି ଏହି ରଙ୍ଗର ଆଖି ଥିବା ବ୍ୟକ୍ତିଙ୍କ ଆଖିର ରଙ୍ଗ ଆଲୋକ ପ୍ରଭାବରେ ବଦଳି ନଥାଏ। କିନ୍ତୁ ପୋଷାକ ଓ ମେକ୍-ଅପ୍ ହିସାବରେ ଏହି ରଙ୍ଗର ଆଖି ଭିନ୍ନ ଭିନ୍ନ ଦେଖାଯାଇଥାଏ। ବଲିଉଡ୍ ସୁପର୍ଷ୍ଟାର୍ ହ୍ରିତିକ୍ ରୋଶନଙ୍କ ଆଖିର ରଙ୍ଗ ହେଜଲ୍-ସବୁଜ’ ।