ନିର୍ଦ୍ଦେଶକ ହେଲେ ଗାୟକ ଅରିଜିତ ସିଂହ

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ଏବେ ନିର୍ଦ୍ଦେଶକ ବନିଯାଇଛନ୍ତି। ସେ ଏକ ସଙ୍ଗୀତମୟ ସିନେମା ନିର୍ମାଣ କରିଛନ୍ତି। ଅରିଜିତଙ୍କ ନିର୍ଦ୍ଦେଶିତ ଏହି ପିଲ୍ମର ଟାଇଟଲ୍‌ ହେଲା ‘ସା’। ଏଥିରେ ନିଜ ପୁଅକୁ ମୁଖ୍ୟ ଭୂମିକାରେ ନେଇଛନ୍ତି।
ସଂପ୍ରତି ଗୋଆରେ ଚାଲିଥିବା ଭାରତର ୪୯ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହ ରେ ‘ସା’ର ପ୍ରମୋସନ୍‌ କରିଛନ୍ତି ଅରିଜିତ୍‌ ସିଂହ। ଏହି ଫିଲ୍ମର କାହାଣୀ ଅରିଜିତ୍‌ ଓ ତାଙ୍କ ସ୍ତ୍ରୀ ଯୁଗ୍ମଭାବେ ଲେଖିଛନ୍ତି। ଏହି ସିନେମାରେ ଅରିଜିତ ସିଂହ ସଙ୍ଗୀତ ଜଗତର ମହାରଥୀ ରସିଦ୍‌ ଖାନ୍‌ ଓ ଅନୁଷ୍କା ଶଙ୍କରଙ୍କ ସମେତ ଆଉ କେତେଜଣଙ୍କୁ ନିଆଯାଇଛି।


‘ସା’ ଫିଲ୍ମରେ ନିଜ ପୁଅକୁ ମୁଖ୍ୟ ଭୂମିକାରେ ନେବା କାରଣ ବି ବତାଇଛନ୍ତି ଅରିଜିତ ସିଂହ। ଅରିଜିତ କହିଛନ୍ତି ଯେ ତାଙ୍କୁ ଫିଲ୍ମର ମୁଖ୍ୟ ଭୂମିକା ପାଇଁ କଳାକାର ମିଳୁନଥିଲେ। ତାଙ୍କର ଜଣେ ସହଯୋଗୀ ସୁଦୀପ ଦାଦା ହିଁ ଅରିଜିତ୍‌ ସିଂହଙ୍କୁ ନିଜ ପୁଅକୁ କାଷ୍ଟ କରିବା ଲାଗି ପରାମର୍ଶ ଦେଇଥିଲେ। କିନ୍ତୁ ପୁଅ ସଟ୍‌ ଦେବା ପରେ କାନ୍ଦୁଥିଲା ଓ କହୁଥିଲା ଯେ ତାକୁ ଏସବୁ କରିବାକୁ ଭଲ ଲାଗୁ ନାହିଁ। ସେ ନିଜର ଫିଲ୍ମକୁ ନେଇ ଖୁବ୍‌ ସନ୍ତୁଷ୍ଟ ଅଛନ୍ତି।

ସମ୍ବନ୍ଧିତ ଖବର