ଭୁବନେଶ୍ବର: ଓଲିଉଡର ଆକ୍ସନ୍ ଷ୍ଟାର ଅରିନ୍ଦମଙ୍କ ନୂଆ ସିନେମାର ଶୁଭ ମହୁରତ୍ ସରିଛି। କଟକର ପଞ୍ଚମୁଖୀ ହନୁମାନ ମନ୍ଦିରରେ ଏହାର ମହୁରତ୍ ଅନୁଷ୍ଠିତ ହୋଇଛି। ଏବେ କେବଳ ଟାଇଟଲ ଘୋଷଣାକୁ ଅପେକ୍ଷା କରିଛନ୍ତି ସିନେପ୍ରେମୀ। ଏହାର ଟାଇଟଲର ପ୍ରଥମ ଶବ୍ଦ ‘ଆର୍’ ରହିଛି। ଦଶହରାରେ ମୁକ୍ତିଲାଭ କରିବ ଏହି ସିନେମା।
ଅଶୋକ ପତି ଏହାର ନିର୍ଦେଶକ। ଅଭିଜିତ ମଜୁମଦାର ଏହାର ସଙ୍ଗୀତକାର। ରତ୍ନା ଫିଲ୍ମ୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି ନିଜେ ଅରିନ୍ଦମ ରାୟ। ଭରଦ୍ବାଜ ପଣ୍ଡା ଏହାର କାହାଣୀ ଓ ସଂଳାପ ରଚନା କରିଛନ୍ତି। ତେବେ ଏଥିରେ କିଏ ନାୟିକା ଭୂମିକାରେ ଅଭିନୟ କରିବେ ତାହା ଜଣାପଡ଼ିନାହିଁ।

Advertisment

କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା ଯେ ନିର୍ଦେଶକ ଜ୍ୟୋତି ଦାସ ଅରିନ୍ଦମଙ୍କୁ ନେଇ ଏକ ବିଗ୍ ବଜେଟ୍ ଓଡ଼ିଆ ଛବି ନିର୍ମାଣ କରୁଛନ୍ତି। ଏହାର ଟାଇଟଲ ରହିଛି ‘ଗେମ୍’। ଏହା ଏକ ଆକ୍ସନଭିତ୍ତିକ ଛବି। କିନ୍ତୁ ଏହି ଫିଲ୍ମ ଫ୍ଲୋରକୁ ଯିବା ଆଗରୁ ଅରିନ୍ଦମ ଅଶୋକ ପତିଙ୍କ ନିର୍ଦେଶିତ ଏହି ନୂଆ ଓଡ଼ିଆ ଛବିରେ କାମ କରୁଛନ୍ତି।

ସୂଚନାଯୋଗ୍ୟ, ଅରିନ୍ଦମ ୨୦୦୬ରେ ମୁକ୍ତିଲାଭ କରିଥିବା ବ୍ରଜରାଜ ମୁଭିଜର ‘ପ୍ରେମ ଋତୁ ଆସିଲାରେ’ ସିନେମା ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ। ତାପରେ ସେ ପଛକୁ ଫେରି ଚାହିଁନାହାନ୍ତି। ତାଙ୍କ ଅଭିନୀତ ତଥା ମୁକ୍ତିପ୍ରାପ୍ତ ଶେଷ ସିନେମା ହେଲା ‘ବାବୁ ଭାଇଜାନ୍’, ଯାହା ୨୦୨୦ରେ ରିଲିଜ୍ ହୋଇଥିଲା। ତାପସ ସରଘରିଆ ଏହାର ନିର୍ଦେଶନା ଦେଇଥିଲେ। ଏଥିରେ ଶିବାନୀ ଥିଲେ ନାୟିକା ଭୂମିକାରେ। ଏହାପରେ ସେ ଅନ୍ୟ କୌଣସି ଛବିରେ କାମ କରିନଥିଲେ।