ସୁଦୀର୍ଘ ନିରବତା ପରେ ଏକ ଧମାକାଧାର ନୂଆ ଓଡ଼ିଆ ଚଳଚ୍ଚିତ୍ର ମାଧ୍ୟମରେ କମ୍ ବ୍ୟାକ୍ କରୁଛନ୍ତି ଓଲିଉଡ଼ ମେଗା ଆକ୍ସନ୍ ଷ୍ଟାର ଅରିନ୍ଦମ ରୟ l ଅରିନ୍ଦମ ‘ବାବୁ ଭାଇଜାନ୍’ ପରେ କିଛି ଦିନର ନିରବତା ଭଙ୍ଗ କରି ନୂଆଲୁକ୍ ନୂଆ କାହାଣୀ ସହ ଦଶହରାକୁ ଦ୍ବିଗୁଣିତ ଉତ୍ସବ ମୁଖର କରିବା ସହିତ ଓଲିଉଡ୍ ଦର୍ଶକଙ୍କୁ ଦଶହରା ଭେଟି ଦେବାକୁ ଯାଉଥିବା ବେଳେ ପ୍ରଶଂସକ ମହଲରେ ଆନନ୍ଦ ଖେଳିଯାଇଛି। ତେବେ ରତ୍ନା ଫିଲ୍ମ ବ୍ୟାନରର ଚତୁର୍ଥ ଅବଦାନ ତଥା ନିଜ ପ୍ରଯୋଜନାରେ ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ନୂଆ ଓଡ଼ିଆ ଚଳଚ୍ଚିତ୍ରର ନିକଟରେ ଶୁଭ ମହୁରତ ହୋଇଥିଲା। ମହୁରତ ପରଠାରୁ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ରହିଛି ଅରିନ୍ଦମଙ୍କ ଏହି ଫିଲ୍ମ୍, କାରଣ ହେଉଛି ଫିଲ୍ମର ନାଁ। ନାଁ କୁ ନେଇ ଦର୍ଶକଙ୍କ ମନରେ ଯେଉଁ ଉତ୍କଣ୍ଠ ଥିଲା ତାହା ନିକଟରେ ଭୁବନେଶ୍ୱର ପ୍ରେସ୍ କ୍ଲବଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଘୋଷଣା କରାଯାଇଛି।

Advertisment

ଚଳଚ୍ଚିତ୍ରର ନାଁ ହେଉଛି ଆରଏଏମ୍(ରାମ୍)। ଏହି ‘ରାମ’ ଚଳଚ୍ଚିତ୍ର ନାମ ଘୋଷଣା ଉତ୍ସବରେ ଚଳଚ୍ଚିତ୍ରର ପ୍ରଯୋଜକ ଓ ଅଭିନେତା ଅରିନ୍ଦମ, ଅଭିନେତ୍ରୀ ରୂପ୍‌ସା, ପିଙ୍କି ପ୍ରଧାନ, ଓଡ଼ିଆ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ସତ୍ୟବ୍ରତ (କୁନା) ତ୍ରିପାଠୀ, ଚିତ୍ରୋତ୍ତୋଳକ ସୁରେନ୍ଦ୍ର ସାହୁ, ପ୍ରଯୋଜକ ମଣ୍ଟୁ ନାୟକ, ପ୍ରଦ୍ୟୁମ୍ନ ଲେଙ୍କା, ଯୁଗଳ ଦେବତା, ଅତିସ ରାଉତ, ଟୁଟୁ ନାୟକ, ବିନି ସାମଲ, ନିର୍ଦ୍ଦେଶକ ଅଶୋକ ପତି, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ସମେତଙ୍କ ବରିଷ୍ଠ କଳାକାର ଚଳଚ୍ଚିତ୍ରର ସମସ୍ତ କାଷ୍ଟ କ୍ରିଉ ଯୋଗଦେଇଥିଲେ। ରାମ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନାରେ ଅଶୋକ ପତି ଏବଂ ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ଭରଦ୍ୱାଜ ପଣ୍ଡା ରହିଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ବରେ ଅସାଦ ନିଜାମ ଓ ଲିଙ୍କନ, କ୍ୟାମେରା ପରିଚଳନା ଦାୟିତ୍ବରେ ଅଛନ୍ତି ସୁବ୍ରତ କେ. ଖଟୋଇ।

ଫିଲ୍ମଟି ଦଶହରାରେ ମୁକ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିବା ଯୋଗୁଁ ଚଳିତ ମାସରୁ ହିଁ ସୁଟିଂ ଆରମ୍ଭ ହେବାକୁ ସମସ୍ତ ପ୍ରସ୍ତୁତି ସରିଛି ଓ ଗୀତ ଗୁଡିକର ରେକର୍ଡିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିକଟରେ ରେକର୍ଡିଂ ଷ୍ଟୁଡିଓରୁ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ଅରିନ୍ଦମ, ମଣ୍ଟୁ ରାଉତ, ତାରିକ ଅଜିଜ୍, ସ୍ବୟମ୍ ଓ ଅନ୍ତରା ଚକ୍ରବର୍ତ୍ତୀ ନଜର ଆସିଛନ୍ତି। ଚଳଚ୍ଚିତ୍ର ନାମ ଘୋଷଣା ଉତ୍ସବରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କ ମନରେ ଅରିନ୍ଦମଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଖୁସି ପ୍ରକାଶ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ। ଏହା ହେଉଛି ଅଭିନେତା ଅରିନ୍ଦମ୍‌ଙ୍କ ଏହା ୫୪ତମ ଚଳଚ୍ଚିତ୍ର।