ଅଲଗା ହେବାର ଘୋଷଣା କଲେ ଏହି ବଲିଉଡ ଦମ୍ପତି

ମୁମ୍ବାଇ: ଖ୍ୟାତନାମା ବଲିଉଡ ଅଭିନେତା ଅର୍ଜୁନ ରାମ ପାଲ ଓ ତାଙ୍କର ପତ୍ନୀ ତଥା ମଡେଲ୍‌ ମେହେର ଜେସିୟା ଆଜି ପରସ୍ପରଠାରୁ ଅଲଗା ହୋଇଥିବା ଏକ ମିଳିତ ବିବୃତି ଜାରି କରିଛନ୍ତି। ସେମାନେ ମିଳିତଭାବେ ଦର୍ଶାଇଛନ୍ତି ଯେ ଉଭୟଙ୍କର ରାସ୍ତା ଅଲଗା ହୋଇଯିବା ହେତୁୂ ଏଭଳି ନିଷ୍ପତ୍ତି ନେଇଛନ୍ତି। ଦୁଇ ଝିଅଙ୍କର ଭବିଷ୍ୟତକୁ ଆଖିରେ ରଖି ସେମାନେ କାମ କରିବେ। ସେମାନଙ୍କ ଭିତରେ ଥିବା ଭଲ ପାଇବା କେବେ କମିବ ନାହିଁ ବୋଲି ବି ଜଣାଇଛନ୍ତି।

ଦୀର୍ଘଦିନ ହେଲା ଚର୍ଚ୍ଚା ହେଉଥିଲା ଯେ ଅର୍ଜୁନ ରାମ ପାଲ ଓ ତାଙ୍କର ପତ୍ନୀ ମେହେର ଜେସିୟା ଏକାଠି ରହୁ ନାହାଁନ୍ତି। ଅର୍ଜୁନ ଘର ଛାଡି ଚାଲି ଯାଇଛନ୍ତି। କିଚି ବର୍ଷ ତଳେ ଚର୍ଚ୍ଚା ହେଉଥିଲା ଯେ ସୁପରଷ୍ଟାର ହ୍ରିତିକ୍‌ ରୋଶନ୍‌ଙ୍କ ପତ୍ନୀ ସୁଜାନେ ଖାନ୍‌ଙ୍କ ସହିତ ଅର୍ଜୁନ ରାମପାଲଙ୍କର ଆଫେଆର୍‌ ରହିଛି। ଆହୁରି ମଧ୍ୟ କୁହାଗଲା ଯେ ଅର୍ଜୁନଙ୍କ କାରଣରୁ ହ୍ରିତିକ୍‌ ଓ ସୁଜାନେଙ୍କର ଛାଡପତ୍ର ହେଲା।

ଅର୍ଜୁନ ରାମ ପାଲ୍‌ ଓ ମେହେର ଜେସିୟାଙ୍କର ପ୍ରଥମ ସାକ୍ଷାତ ୧୯୮୬ ମସିହାରେ ହୋଇଥିଲା। ସେତେବେଳେ ମେହେର ଜଣେ ସୁପର ମଡେଲ୍‌ ଥିଲେ ଓ ଅର୍ଜୁନ ଥିଲେ ଜଣେ ସଂଘର୍ଷରତ ମଡେଲ୍‌। ତେବେ ମେହେରଙ୍କ ସହ ସଂପର୍କ ରଖିବା ପରେ ଅର୍ଜୁନ ରାମପାଲଙ୍କୁ ମିଳିଥିଲା ସଫଳତା।
୧୯୮୬ରେ ମେହେର ଜେସିୟା ମିସ୍‌ ଇଣ୍ଡିଆ ବିଜୟିନୀ ହୋଇଥିଲେ। ସେତେବେଳେ ମେହେରଙ୍କ ବୟସ ଥିଲା ମାତ୍ର ୧୬ ବର୍ଷ। ଫେମିନା ମିସ୍‌ ଇଣ୍ଡିଆ ମୁକୁଟ ପିନ୍ଧିବାପରେ ମେହେର ଜେସିୟା ମଡେଲିଂ ଦୁନିଆରେ ପାଦ ଥାପିଥିଲେ। ସେ ଲାକ୍‌ମି, ବମ୍ବେ ଡାଇଂ, ପାମୋଲିଭ୍‌ ଓ ବିମଲ୍‌ ଭଳି ନାମୀ ଦାମୀ ବ୍ରାଣ୍ଡର ମଡେଲ୍‌ ବନିଥିଲେ।

photo-ndtv

ମେହେର କେବେ ବି ଅଭିନେତ୍ରୀ ହେବାକୁ ଚାହୁଁ ନଥିଲେ। ପ୍ରାୟ ଦୁଇ ବର୍ଷର ପ୍ରେମ ସଂପର୍କ ପରେ ଅର୍ଜୁନ ରାମପାଲଙ୍କୁ ବିବାହ କରିଥିଲେ। ୧୯୯୮ରେ ଏହି ପ୍ରେମୀ ଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେତେବେଳେ ଅର୍ଜୁନଙ୍କ ବୟସ ୨୬ ବର୍ଷ ଓ ମେହେରଙ୍କର ବୟସ ୨୮ ବର୍ଷ।

ଅର୍ଜୁନ ହିନ୍ଦୁ ଓ ମେହେର ହେଲେ ପାରସୀ। ଅର୍ଜୁନଙ୍କୁ ବିବାହ କରିବା ମାତ୍ରେ ମେହେର ଜେସିୟାଙ୍କୁ ତାଙ୍କ ସଂପ୍ରଦାୟ ବାସନ୍ଦ କରିଥିଲେ। ଅର୍ଜୁନ ଓ ମେହେରଙ୍କର ଦୁଇଟି ଝିଅ ଅଛନ୍ତି। ସେମାନେ ହେଲେ ମାହିକା ଓ ମାୟରା। ଏବେ ଅର୍ଜୁନଙ୍କ ବୟସ ୪୫ ଏବଂ ମେହେରଙ୍କ ବୟସ ୪୭ ବର୍ଷ।

ସମ୍ବନ୍ଧିତ ଖବର