ମୁମ୍ବାଇ: ହିନ୍ଦୀ ସିନେମାର ଜଣାଶୁଣା ପ୍ରଯୋଜକ-ନିର୍ଦ୍ଦେଶକ ରାଜ୍କୁମାର କୋହଲିଙ୍କର ନଭେମ୍ବର ୨୪ ତାରିଖରେ ପରଲୋକ ହୋଇଛି। ରାଜ୍କୁମାର ଗତ ଶୁକ୍ରବାର ସକାଳେ ହୃଦ୍ଘାତର ଶିକାର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇ ଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗତ ଶୁକ୍ରବାର ରାଜ୍କୁମାର କୋହଲିଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ବଲିଉଡ୍ର ଏହି ପ୍ରାକ୍ତନ ପ୍ରଯୋଜକ-ନିର୍ଦ୍ଦେଶକଙ୍କ ଅନ୍ତିମ ଯାତ୍ରାରେ ତାଙ୍କର ପ୍ରଶଂସକ ଓ ସମ୍ପର୍କୀୟମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ତେବେ ଅନେକ ସ୍ଥାନରେ ଅରମାନଙ୍କୁ ତାଙ୍କ ବାପାଙ୍କ ସହିତ ଏକାଠି ଥିବା ଦେଖିବାକୁ ମିଳିଥାଏ। ଏଥିରୁ ଅନୁମାନ କରାଯାଇପାରେ ଯେ ଅରମାନ ତାଙ୍କ ବାପାଙ୍କୁ କେତେ ଭଲ ପାଉଥିଲେ। ହଠାତ ଅରମାନଙ୍କୁ ଛାଡ଼ି ବାପା ପରପାରିକୁ ଚାଲିଯିବା ପରେ ସେ ଧୈର୍ଯ୍ୟ ଧରି ରହି ପାରୁ ନାହାନ୍ତି।
ବାପାଙ୍କ ଅନ୍ତିମ ବିଦାୟ ବେଳେ ଅରମାନ ଭୋଭୋ ହୋଇ କାନ୍ଦିଥିଲେ। ନିଜକୁ ସମ୍ଭାଳି ପାରୁ ନଥିଲେ। ଏଭଳି ସମୟରେ ସୋନୁ ସୁଦ ଅରମାନଙ୍କ ପରିବାରଲୋକଙ୍କ ପାଖେପାଖେ ଥିବା ଦେଖିବାକୁ ମିଳିଥିଲା।
ରାଜକୁମାର୍ଙ୍କ ବିବାହ ହୋଇଥିଲା ପଞ୍ଜାବୀ ଅଭିନେତ୍ରୀ ନିଶିଙ୍କ ସହ। ନିଶି ତାଙ୍କ ସହ ୧୯୬୩ ମସିହାରେ ଆସିଥିବା ସିନେମା ‘ପିଣ୍ଡ୍ ଦି କୁଣ୍ଡି’ରେ କାମ କରିଥିଲେ। ଫିଲ୍ମ ସେଟ୍ରେ ହିଁ ଦୁହେଁ ପ୍ରେମରେ ପଡ଼ି ବିବାହ ନିଷ୍ପତ୍ତି ନେଇଥିଲେ। ବିବାହ ପରେ ସେମାନଙ୍କର ଦୁଇ ପୁଅ ଜନ୍ମ ହେଲେ। ସେମାନେ ହେଲେ ଅରମାନ ଓ ରଜନୀଶ । ଆପଣ ଜାଣିଥିବେ ଯେ ରାଜ୍କୁମାରଙ୍କ ବଡ଼ ପୁଅ ଅର୍ମାନ କୋହଲି ବି ଜଣେ ଅଭିନେତା। ସେ ରାଜ କୁମାର କୋହଲିଙ୍କ ପ୍ରଯୋଜିତ ‘ବିଦ୍ରୋହୀ’ ଜରିଆରେ ୧୯୯୨ରେ ବଲିଉଡ୍ରେ ପାଦ ରଖିଥିଲେ। ତାଙ୍କ ନିର୍ଦ୍ଦେଶିତ ଶେଷ ଛବି ଥିଲା ୨୦୦୨ରେ ନିର୍ମିତ ‘ଜାନି ଦୁଷ୍ମନ୍ : ଏକ ଅନୋଖି କାହାନୀ’।